କଟକ,(ବି.ବି.ନ୍ୟୁଜ୍): ବଡବଡ କମ୍ପାନୀକୁ ଦେଖାଯାଇଥିଲା ଅନୁକମ୍ପା । ଏହା ଦ୍ୱାରା ଦେଶକୁ ପ୍ରାୟ ୧୦ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି । ଏଭଳି ଘଟଣାରେ ଆୟକର ବିଭାଗର ବହୁ ବରିଷ୍ଠ ଅଧିକାରୀ ସଂପୃକ୍ତ । କିନ୍ତୁ ଏଭଳି ଦୁର୍ନୀତି ବିରୋଧରେ ସ୍ୱର ଉଠାଇଥିବା ଆୟକର ଅଧିକାରୀଙ୍କୁ ଓଲଟି ଦଣ୍ଡିତ କରାଗଲା । ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବା ସହ ତାଙ୍କ ବିରୋଧରେ ରୁଜୁ ହେଲା ସିବିଆଇ ମାମଲା । ଏନେଇ ସଂପୃକ୍ତ ଅଧିକାରୀ ଏସ୍.କେ. ଶ୍ରୀବାସ୍ତବ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍.ଜାଭେରୀ ଓ ବିଚାରପତି ଜଷ୍ଟିସ୍ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏନେଇ ଆବଶ୍ୟକ ପଦକ୍ଷେପ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଆବେଦନକାରୀ ଏସ୍.କେ. ଶ୍ରୀବାସ୍ତବ ସିବିଆଇକୁ ଘଟଣା ସଂପର୍କରେ ସ୍ମାରକପତ୍ର ଦେବେ ଓ ସିବିଆଇ ଅଭିଯୋଗ ସଂକ୍ରାନ୍ତରେ ପଦକ୍ଷେପ ଗ୍ରହଣ କରିବ । କେବଳ ସେତିକି ନୁହେଁ, ଆବେଦନକାରୀଙ୍କ ବିରୋଧରେ ଥିବା ମାମଲା ସଂପର୍କରେ ମଧ୍ୟ ସିବିଆଇ ଅନୁଧ୍ୟାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଅଭିଯୋଗର ସତ୍ୟତା ଥାଏ ତେବେ ଦୋଷୀ ଆୟକର ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ।
ଆବେଦନକାରୀ ଆଇଆର୍ଏସ୍ ଅଫିସର ଏସ୍.କେ. ଶ୍ରୀବାସ୍ତବ ପିଟିସନ୍ରେ ଉଲ୍ଲେଖ କରିଥିଲେ ଯେ, ଗୋଟିଏ ସମୟରେ ଓଡିଶାର ପି.କେ.ମିଶ୍ର ଆୟକର ବିଭାଗର ଡାଇରେକ୍ଟେର ଜେନେରାଲ, ଇନ୍ଭେଷ୍ଟିଗେସନ୍ ସେଣ୍ଟ୍ରାଲ ବୋର୍ଡ ଅଫ୍ ରେଭିନ୍ୟୁ ଡାଇରେକ୍ଟୋରେଟ୍, ନୂଆ ଦିଲ୍ଲୀ ତଥା ମୁଖ୍ୟ ଭିଜିଲାନ୍ସ ଅଫିସର ରହିଥିଲେ । ଏହି ସମୟରେ ଆୟକର ବିଭାଗର ବିଭିନ୍ନ ଅଫିସରମାନଙ୍କୁ ବିଭିନ୍ନ କମ୍ପାନୀକୁ ଅହେତୁକ ଅନୁକମ୍ପା ଦେଖାଇବା ପାଇଁ କୁହାଯାଇଥିଲା । ଏହି ଅଧିକାରୀମାନଙ୍କ ମଧ୍ୟରୁ ଏସ୍.କେ. ଶ୍ରୀବାସ୍ତବ ଜଣେ ଅଧିକାରୀ ଥିଲେ । କିନ୍ତୁ ଉପରିସ୍ଥ ଅଧିକାରୀଙ୍କ ଏଭଳି ପ୍ରସ୍ତାବକୁ ସେ ଗ୍ରହଣ କରିନଥିଲେ । ଏହି ସମୟରେ ଆୟକର ବିଭାଗରେ ବଡ କେଳେଙ୍କାରୀ ହୋଇଥିଲା । ବିଭିନ୍ନ କମ୍ପାନୀକୁ ଅନୁକମ୍ପା ଦେଖାଯାଇ ଟିକସ ଛାଡ କରାଯାଇ ପ୍ରାୟ ୧୦ ହଜାର କୋଟିରୁ ଊଦ୍ଧ୍ୱର୍ ଟଙ୍କାର ଅନିୟମିତତା କରାଯାଇଥିଲା । ଏଥିରେ ପି.କେ. ମିଶ୍ରଙ୍କ ସମେତ କଂଗ୍ରେସର ଜଣେ ବରିଷ୍ଠ ନେତା ଏବଂ ଆୟକର ବିଭାଗର ଆହୁରି ବହୁ ବରିଷ୍ଠ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ନେଇ ଅଭିଯୋଗ ହୋଇଥିଲା । ଏ ନେଇ ଆବେଦନକାରୀ ଏସ୍.କେ. ଶ୍ରୀବାସ୍ତବ ପ୍ରଥମେ ନିଜ ବିଭାଗରେ ଅଭିଯୋଗ କରିଥିଲେ । ବିଭାଗ ପକ୍ଷରୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ପି.କେ. ମିଶ୍ରଙ୍କ ନାମରେ ଓଡିଶା ସମେତ ଦିଲ୍ଲୀ ଏବଂ ଦେଶ ବାହାରେ ଆୟ ବହିର୍ଭୁତ ସମ୍ପତ୍ତି ରହିଥିବା ଅଭିଯୋଗ ହୋଇଥିଲା । ଓଡିଶାରେ ଯେଉଁସବୁ ସମ୍ପତ୍ତି ରହିଥିଲା ଏହାର ତଦନ୍ତ କରାନଯିବାକୁ ନେଇ ପି.କେ. ମିଶ୍ର ଏବଂ ତାଙ୍କ ପରିବାର ପକ୍ଷରୁ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ତେବେ ହାଇକୋର୍ଟ ଗତ ଏପ୍ରିଲ ୨୬ ତାରିଖରେ ଏକ ଆଦେଶରେ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିବା ସହ ଆସେସ୍ମେଣ୍ଟ ଅଧିକାରୀଙ୍କ ନିକଟକୁ ଏହାକୁ ପଠାଇ ଦେଇଥିଲେ । ଅର୍ଥାତ ନିଜ ବିଭାଗ ପି.କେ. ମିଶ୍ରଙ୍କ ସମ୍ପତ୍ତିକୁ ନେଇ ତଦନ୍ତ କରିବ ବୋଲି ଅଦାଲତ ଆଦେଶରେ ସ୍ପଷ୍ଟ କରି ଦେଇଥିଲେ । ଫଳରେ ଏହାପରେ ଆବେଦନକାରୀ ଏସ୍.କେ. ଶ୍ରୀବାସ୍ତବ ବିଭିନ୍ନ ବାଟରେ ହଇରାଣ କରାଗଲା । ପ୍ରଥମେ ତାଙ୍କୁ ଚାକିରିରୁ ବାଧ୍ୟତାମୂଳକ ଭାବେ ଅବସର ଦିଆଗଲା । ଏଥିସହ ସେ ଯେଉଁ ସରକାରୀ କ୍ୱାର୍ଟର୍ସରେ ରହୁଥିଲେ ସେଥିରୁ ମଧ୍ୟ ତାଙ୍କୁ ତଡ଼ି ଦିଆଯାଇଥିଲା । ଏପରିକି ତାଙ୍କ ନାମରେ ସିବିଆଇରେ ମଧ୍ୟ ମାମଲା ରୁଜୁ କରାଗଲା ।
ଫଳରେ ଆବେଦନକାରୀ ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏସମସ୍ତ ଘଟଣା ସଂକ୍ରାନ୍ତରେ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିସହ ଆୟକର ବିଭାଗ ନିଜ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଏହାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ସେ ପ୍ରାର୍ଥନା କରିଥିଲେ । ଏଥିରେ ଆବେଦନକାରୀ କେନ୍ଦ୍ର ସରକାର, କେନ୍ଦ୍ରୀୟ ଭିଜିଲାନ୍ସ କମିସନ, ଆୟକର ବିଭାଗ ନିର୍ଦ୍ଦେଶାଳୟ, ଭୁବନେଶ୍ୱର, ଇନ୍କମ୍ ଟ୍ୟାକ୍ସ, ଚିଫ୍ କମିସନର, ସହକାରୀ କମିସନର, ପି.କେ. ମିଶ୍ରଙ୍କ ସମେତ ଅନ୍ୟ ଅଧିକାରୀମାନଙ୍କୁ ପକ୍ଷଭୁକ୍ତ କରାଯାଇଛି ।


Comments are closed, but trackbacks and pingbacks are open.