କଟକରେ ସିରିଜ୍ ବୋମା ମାଡ଼

Get real time updates directly on you device, subscribe now.

କଟକ,(ବି.ବି.ନ୍ୟୁଜ୍): ନୂଆ ପୁଲିସ୍ କମିସନର ଦାୟିତ୍ୱ ଗ୍ରହଣ କରୁକରୁ ପୁଲିସକୁ ଚାଲେଞ୍ଜ ଦେଇ ଆଜି କିଛି ଦୁର୍ବୃତ୍ତ କଟକରେ ସିରିଜ ବୋମା ମାଡ଼ କରିଛନ୍ତି । ନୂଆ କମିସନରଙ୍କୁ ନେଇ କମିସନରେଟ୍ ପୁଲିସ ଚଳଚଞ୍ଚଳ ହୋଇଯାଇଥିବାବେଳେ ଆଜି ଦିନ ପ୍ରାୟ ଗୋଟାଏ ପରେ କିଛି ଦୁର୍ବୃତ୍ତ ଲାଲବାଗ ଥାନା ଅନ୍ତର୍ଗତ ଅଲିଶାବଜାର ଡଗରପଡ଼ା ଭୂତିଆସାହି ଅଞ୍ଚଳରେ ଦୁଇ ପରିବାରକୁ ଟାର୍ଗେଟ୍ କରି ଘନଘନ ବୋମା ମାଡ଼ କରିଛନ୍ତି । ବାଇକ୍ରେ ଆସି ଦୁର୍ବୃତ୍ତମାନେ ଦୁଇ ଘର ଉପରକୁ ଚାରିରୁ ଅଧିକ ବୋମା ମାଡ଼ କରି ଫେରାର ହୋଇଯାଇଛନ୍ତି । ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ହୋଇଯାଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ବୋମା ମାଡ଼ ହୋଇଥିବା ପୁଲିସ ସନ୍ଦେହ କରୁଛି ।\nବୋମାମାଡ଼ ଘଟଣାରେ ଲାଲବାଗ ଥାନା ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ଏବଂ ବୋମା ନିଷ୍କ୍ରିୟକାରୀ ଦଳକୁ ନେଇ ଘଟଣାସ୍ଥଳରେ ତଦନ୍ତ କରିଛି । ଘଟଣାସ୍ଥଳରୁ ତଦନ୍ତକାରୀ ଦଳ ଗୋଟିଏ ଅଫୁଟା ବୋମା ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରିଛି । ଘଟଣା ପରେ ଅଲିଶାବଜାର ଭୂତିଆ ସାହି ଅଞ୍ଚଳରେ ଆତଙ୍କରାଜ ଚଳାଇଆସୁଥିବା ଜଣେ କୁଖ୍ୟାତ ତଥା ପେସାଦାର ଅଭିଯୁକ୍ତ ନିଜ ଆଡୁ ଯାଇ ଲାଲବାଗ ଥାନାରେ ଆତ୍ମସମର୍ପଣ କରିଥିବା କୁହାଯାଉଛି । ଅନ୍ୟପକ୍ଷରେ ଉକ୍ତ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ମଧ୍ୟ ପୁଲିସ୍ ଉଠାଇ ନେଇ ଏବେ ଅଟକ ରଖି ପଚରାଉଚରା ଚଳାଇଥିବା ସୂଚନା ମିଳିଛି । ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପୁଲିସ ଜେରା କରୁଛି ।\n ଆଜି ଦିନ ପ୍ରାୟ ଗୋଟାଏ ବେଳେ ଅଲିଶା ବଜାର ଭୂତିଆ ସାହି ଅଞ୍ଚଳର ସ୍ୱର୍ଗତ ତ୍ରିଲୋଚନ ପରିଡ଼ା ଏବଂ ସ୍ୱର୍ଗତ ବୃନ୍ଦାବନ ପରିଡ଼ାଙ୍କ ଘର ଉପରକୁ କେହି ଦୁର୍ବୃତ୍ତ ଏକାଧିକ ବୋମା ମାଡ଼ କରିଥିଲେ । ବୋମା ବିସ୍ଫୋରଣରେ ସ୍ଥାନୀୟ ଥରହର ହୋଇଯାଇଥିଲା । ବୋମା ମାଡ଼ ହୋଇଥିବା ଦୁଇ ଯାକ ସ୍ଥାନରେ ଧୂଆଁମୟ ହୋଇଯାଇଥିଲା । ଲାଲବାଗ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ଲୋକେ ଆଶ୍ୱସ୍ତ ହୋଇଥିଲେ । ଦୁର୍ବୃତ୍ତମାନେ ସ୍ୱର୍ଗତ ତ୍ରିଲୋଚନ ପରିଡ଼ାଙ୍କ ଘର ଉପରକୁ ଗୋଟିଏ ଓ ସ୍ୱର୍ଗତ ବୃନ୍ଦାବନଙ୍କ ଘର ଉପରକୁ ଲକ୍ଷ୍ୟ କରି ୩ଟି ବୋମା ମାରିଥିଲେ । ଏଥିରେ ୨ଟି ବୋମା କାନ୍ଥରେ ବାଜି ବିସ୍ଫୋରଣ ହୋଇଥିବା ବେଳେ ଆଉ ଗୋଟିଏ ଫୁଟିନଥିଲା । ବୋମା ବସ୍ଫୋରଣରେ ସମ୍ପୃକ୍ତ ଦୁଇ ପରିବାର ସମେତ ପାଖପଡ଼ିଶା ଲୋକ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏହି ଘଟଣାରେ ଦୁଇ ପୀଡ଼ିତ ପରିବାର ପକ୍ଷରୁ ଲାଲବାଗ ଥାନାରେ ଦୁଇଟି ଏତଲା ରୁଜୁ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons