ପୁରୀ,(ବି.ବି.ନ୍ୟୁଜ୍): ଶ୍ରୀମନ୍ଦିର ମେଘନାଦ ପାଚେରି ଅବରୋଧ ଉଚ୍ଛେଦ ଅଭିଯାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦକ୍ଷିଣ ଦିଗରେ ଦୁଇଟି, ପଶ୍ଚିମ ଦ୍ୱାରରେ ୨ଟି,ଉତ୍ତର ଦ୍ୱାରରେ ଗୋଟିଏ ମନ୍ଦିର, ସିଂହଦ୍ୱାରକୁ ଲାଗି ଦୁଇଟି ମଠକୁ ଛାଡ଼ି ଉଚ୍ଛେଦ ସରିଛିି । ଧର୍ମଭାବନା ସହ ଜଡିତ ମନ୍ଦିରଗୁଡିକୁ ଏବେ ହାତ ଦିଆଯିବ ନାହିଁ ବୋଲି ପ୍ରଶାସନ କହିଛି । ସେହିଭଳି ସିଂହଦ୍ୱାର ସାମନାରେ ଉକ୍ରଳମଣି ଗୋପବନ୍ଧ୍ୁଙ୍କ ମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ପାରିନାହିଁ ।\nଦକ୍ଷିଣ ଦିଗରେ ଏବଂ ସିଂହଦ୍ୱାର ସାମନାରେ ଆଜି ଭଙ୍ଗା କୋଠାର ଅଂଶଗୁଡିକୁ ଭଙ୍ଗା ଯାଇଥିଲା । ଦକ୍ଷିଣ, ପଶ୍ଚିମ ଦିଗରୁ ଉଚ୍ଛେଦ ଶେଷ ହେବା ପରେ ଜେସିବି ଫେରିଛି । ଟ୍ରକରେ ଭଙ୍ଗାଭଙ୍ଗି ଅଳିଆ ଉଠାଯାଉଛି । ଆଜି ରାତିରେ ଏହି ଦୁଇ ଦିଗକୁ ସଫା କରାଯିବ । ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ମେଘନାଦ ପାଚେରିକୁ ଲାଗି ରହିଥିବା ଶ୍ରୀମନ୍ଦିର ପାୱାର କଣ୍ଟ୍ରୋଲ ରୁମକୁ ଆଜି ହଟାଯାଇନି । ଏହାକୁ ଲାଗି ରହିଥିବା ସେସୁ ଅଫିସକୁ ଭାଙ୍ଗି ଦିଆଯାଇଛି । \n ସିଂହଦ୍ୱାର ବାମ ପାଖରେ ଥିବା ଛାଉଣି ମଠ ଏବଂ ଡାହାଣ ପାଶ୍ୱର୍ରେ ରହିଥିବା ବଡ଼ଛତା ମଠକୁ ଅବରୋଧ ଉଚ୍ଛେଦ ଅଭିଯାନରୁ ବାଦ ଦିଆଯାଇଛି । ଏହି ଦୁଇ ମଠର ଶ୍ରୀମନ୍ଦିର ସେବାପୂଜା ସହ ସଂପର୍କ ରହିଛି । ସେହିଭଳି ଶ୍ରୀମନ୍ଦିର ଦକ୍ଷିଣ ପାଖ ମେଘନାଦ ପାଚେରିକୁ ଲାଗି ରହିଥିବା ହନୁମାନ ମନ୍ଦିର ଏବଂ ଏକ ଠାକୁରାଣୀ ମନ୍ଦିର ଏବେ ରହିଛି । ତା ବ୍ୟତୀତ ପଶ୍ଚିମ ଦିଗରେ ମେଘନାଦ ପାଚେରି ଲାଗି ଗୋଟିଏ କୀର୍ତ୍ତନ କେନ୍ଦ୍ର ଏବଂ ଆଉ ଏକ ଠାକୁରାଣୀ ମନ୍ଦିର ରହିଛି । ଉତ୍ତର ଦ୍ୱାର ମେଘନାଦ ପାଚେରିକୁ ଲାଗି ରହିଛି ଏକ ନୃସିଂହ ମନ୍ଦିର । ଉତ୍ତର ଦ୍ୱାର କଡକୁ ଲାଗି ରହିଛି ଶ୍ରୀମନ୍ଦିର ବିଦ୍ୟୁତ ଶକ୍ତି ନିୟନ୍ତ୍ରଣ କକ୍ଷ । \n ଶ୍ରୀମନ୍ଦିର ଚାରି ଦିଗରୁ ଆଜି ସନ୍ଧ୍ୟା ସୁଦ୍ଧା ଉଚ୍ଛେଦ ପରେ ଶ୍ରୀମନ୍ଦିର ସୁନ୍ଦର ଓ ନିଆରା ଲାଗୁଛି ବୋଲି କିଛି ଭକ୍ତ ମତ ଦେଇଛନ୍ତି ।
Comments are closed, but trackbacks and pingbacks are open.