ଜଗନ୍ନାଥଙ୍କ ସେବା ଭାବି ସହଯୋଗ କରନ୍ତୁ :ନବୀନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଶ୍ରୀମନ୍ଦିର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି । ଆବେଗ ଭରା କଣ୍ଠରେ ନବୀନ କହିଛନ୍ତି, ଜଗନ୍ନାଥଙ୍କ ପାଇଁ ଏ ଓଡ଼ିଆ ଜାତି ଅତୀତରେ ଅନେକ ତ୍ୟାଗ, ବଳିଦାନ ଦେଇଛି । ଯାହାକୁ ଆମେ କେବେ ଭୁଲିପାରିବା ନାହିଁ । ଆଜି ଆତଙ୍କବାଦର ଆଖି ଆମ ଶ୍ରୀମନ୍ଦିର ଉପରେ ପଡ଼ିଛି । ଆମକୁ ଶ୍ରୀମନ୍ଦିରର ସୁରକ୍ଷା କରିବାକୁ ପଡ଼ିବ । ଜଗା ପାଇଁ ଆମେ କ’ଣ କିଛି ତ୍ୟାଗ କରିପାରିବା ନାହିଁ? ଆପଣମାନଙ୍କର ଏହି ତ୍ୟାଗକୁ ଓଡ଼ିଆ ଜାତି ସବୁଦିନ ମନେ ରଖିବ । \n ସୁରକ୍ଷା କାରଣରୁ ଶ୍ରୀମନ୍ଦିର ଚାରିପାଖ ୭୫ ମିଟର ପର୍ଯ୍ୟନ୍ତ ଜାଗାକୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏ ଜାଗାରେ ଥିବା ଘର, ମଠ, ଅନୁଷ୍ଠାନ, କାର୍ଯ୍ୟାଳୟ, ଦୋକାନ ଆଦି ସମସ୍ତ ପ୍ରକାର ନିର୍ମାଣ ହଟାଇବାକୁ ଅଭିଯାନ ଆରମ୍ଭ ହୋଇଛି । ଏହାକୁ ସଫଳ କରିବା ପାଇଁ ଜନତାଙ୍କ ସହଯୋଗ ଲୋଡ଼ିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ । ଜନତାଙ୍କୁ ନିବେଦନ ପାଇଁ ସ୍ୱତନ୍ତ୍ର ବାର୍ତ୍ତା ଜାରି କରିଛନ୍ତି । \n ‘ଜୟ ଜଗନ୍ନାଥ‘ରୁ ମୁଖ୍ୟମନ୍ତ୍ରୀ ନିଜ କଥା ଆରମ୍ଭ କରିଛନ୍ତି । କହିଛନ୍ତି, ଶ୍ରୀ ଜଗନ୍ନାଥଙ୍କୁ ସ୍ମରଣ କରି କାମ ଆରମ୍ଭ କଲେ, ସବୁ କାମ ଶୁଭ ହୋଇଥାଏ । ଏହା ଓଡ଼ିଆ ଜାତିର ବିଶ୍ୱାସ । ପୁରୀ ଓଡ଼ିଆ ଜାତିର ପ୍ରାଣ କେନ୍ଦ୍ର । ଆଉ ମହାପ୍ରଭୁ ଆମର ଆତ୍ମା । \n ଅତୀତର ବଳିଦାନକୁ ମନେପକାଇ ନବୀନ କହିଛନ୍ତି, ଶହଶହ ବର୍ଷ ଧରି ଶ୍ରୀମନ୍ଦିର ସୁରକ୍ଷା ପାଇଁ ଓଡ଼ିଆ ଜାତି ବହୁ ତ୍ୟାଗ କରିଛି । ଅନେକ ବଳିଦାନ ଦେଇଛି । ମହାପ୍ରଭୁଙ୍କୁ ଧରି ଚିଲିକାରୁ ସୋନପୁର ଯାଏଁ ବୁଲିଛି । ଶହଶହ ବର୍ଷ ଧରି ମହାପ୍ରଭୁ ପାତାଳି ହୋଇ ରହିଛନ୍ତି । ବହୁବର୍ଷ ଧରି ପବିତ୍ର ରଥଯାତ୍ରା ମଧ୍ୟ ବନ୍ଦ ହୋଇଯାଇଥିଲା । ହେଲେ ଓଡ଼ିଆ ଜାତିକୁ ତା’ର ଆତ୍ମା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କଠାରୁ କେହି ଅଲଗା କରିପାରିନି କି କରିପାରିବେନି । ବିଶର ମହାନ୍ତିଙ୍କ ତ୍ୟାଗ ଏ ଜାତି କେବେ ଭୁଲିନି । \n ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସଂସ୍କୃତି, ଆମ ପରମ୍ପରା, ମହାପ୍ରଭୁଙ୍କୁ କେନ୍ଦ୍ର କରି ଗଢ଼ି ଉଠିଛି । ସେ ହିଁ ଆମ ଅସ୍ମିତାର ପ୍ରତୀକ । ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ସୁରକ୍ଷା ଓଡ଼ିଆ ଜାତିର ଧର୍ମ । ବର୍ତ୍ତମାନ ସାରା ବିଶ୍ୱ ପାଇଁ ଆତଙ୍କବାଦ ଏକ ବଡ଼ ସମସ୍ୟା । ଆତଙ୍କବାଦର ଧର୍ମ ନାହିଁ । ବିଭିନ୍ନ ଧର୍ମାନୁଷ୍ଠାନକୁ ସେମାନେ ଟାର୍ଗେଟ କରୁଛନ୍ତି । ତେଣୁ ଶ୍ରୀମନ୍ଦିର ନିରାପତ୍ତା ପାଇଁ ଆସିଥିବା ସୁପାରିଶକୁ କାର୍ଯ୍ୟକାରୀ କରିବା ନିହାତି ଜରୁରୀ । \n ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ଜାଣିଛି, ଏଥିରେ କିଛି ପରିବାର ପ୍ରଭାବିତ ହୋଇପାରନ୍ତି । କିନ୍ତୁ, ଶ୍ରୀମନ୍ଦିର ପାଇଁ ଏ ତ୍ୟାଗ ଗୁରୁତ୍ୱପୂର୍ଣ୍ଣ । ଭବିଷ୍ୟତ ପିଢ଼ି ପାଇଁ ଶ୍ରୀମନ୍ଦିରକୁ ସୁରକ୍ଷିତ ରଖିବା ଜରୁରୀ । ଆପଣମାନେ ଏହାକୁ ମହାପ୍ରଭୁଙ୍କ ସେବା ଭାବି ସହଯୋଗ କରନ୍ତୁ ।\n କେବଳ ନିବେଦନ ନୁହେଁ, କ୍ଷତିଗ୍ରସ୍ତଙ୍କୁ ଥଇଥାନ ଓ ସହଯୋଗ କରିବାକୁ ନିର୍ଭର ପ୍ରତିଶ୍ରୁତି ବି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଆପଣମାନଙ୍କୁ କଥା ଦେଉଛି, ଶ୍ରୀମନ୍ଦିର ସୁରକ୍ଷା ଜୋନ୍ରେ ଯେଉଁମାନଙ୍କ ଘର କିମ୍ବା ଦୋକାନ ଆସୁଛି, ସେମାନଙ୍କୁ ଠିକ୍ ଭାବରେ ଥଇଥାନ କରାଯିବ । ସୁରକ୍ଷା ଜୋନରେ ଥିବା ମଠଗୁଡ଼ିକୁ ପୁଣି ଥରେ ଗଢ଼ିବାରେ ରାଜ୍ୟ ସରକାର ପୂରା ସହଯୋଗ କରିବେ । ସମସ୍ତ ମଠଗୁଡ଼ିକୁ ଅବଢ଼ା ଯୋଜନାରେ ସହାୟତା ଯୋଗାଇ ଦିଆଯିବ । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୧୦୦ କୋଟି ଟଙ୍କା ରଖାଯାଇଛି ।\n ପୁରୀ କଥା କହୁ କହୁ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ମେ’ ମାସରେ ଫୋନି ବାତ୍ୟା ପରେ ପୁରୀ ଯାଇଥିଲି । ସେତେବେଳେ ପବିତ୍ର ପୁରୀ ଧାମର ଅବସ୍ଥା ଦେଖି ବହୁତ କଷ୍ଟ ଲାଗିଥିଲା । ସେଇଦିନ ହିଁ ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢ଼ି ତୋଳିବା ପାଇଁ ସଂକଳ୍ପ ନେଇଥିଲି । ନିକଟରେ ପୁରୀ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ୨୬୫ କୋଟି ମଞ୍ଜୁର କରିଥିଲେ । ପୁରୀର ଐତିହ୍ୟ ସୁରକ୍ଷା ପାଇଁ ଆଜି ଆହୁରି ୫ଶହ କୋଟି ମଞ୍ଜୁର କରିଛି । \n ଶେଷରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ନିବେଦନ କରି କହିଛନ୍ତିି, ଓଡ଼ିଆ ଜାତିର ବଡ଼ ପରିଚୟ ଶ୍ରୀ ଜଗନ୍ନାଥ । ପୁରୀ ଧାମର ଗାରିମା ବୃଦ୍ଧି ଦିଗରେ ଆମ ଉଦ୍ୟମର ସଫଳତା ପାଇଁ ସମସ୍ତଙ୍କ ସହଯୋଗ ଚାହିଁଛି ଓ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରୁଛି ।\n ଜନ୍ମାଷ୍ଟମୀ ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମୁଖ୍ୟମନ୍ତ୍ରୀ ନିଜ ବାର୍ତ୍ତା ଶେଷ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons