ବ୍ରହ୍ମପୁର, (ବି.ବି.ନ୍ୟୁଜ୍): ପୁଲିସ ଉପରକୁ ଗୁଳି ମାଡ଼ କରିବା ମାମଲାରେ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ପଶ୍ଚିମବଙ୍ଗ ମୁର୍ଶିଦାବାଦର ଦୀପକ ମଣ୍ଡଳକୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି ବ୍ରହ୍ମପୁର ଅତିରିକ୍ତ ସିଜିଏମ୍ ସରୋଜ କୁମାର ଦାଶ । ଏଥିସହ ୭ ହଜାର ଟଙ୍କା ଜୋରିମାନା, ଜୋରିମାନା ଅନାଦେୟ ଅଧିକ ୧୬ ମାସ ଜେଲ ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ହୋଇଛି । ଦୀପକ ବିରୋଧରେ ଗଞ୍ଜାମ ଜିଲ୍ଲା ସହ ରାଜ୍ୟର ବିଭିନ୍ନ ଅଞ୍ଚଳ ଓ ପଶ୍ଚିମବଙ୍ଗରେ ଏକ ହତ୍ୟାକାଣ୍ଡ ସମେତ ବିଭିନ୍ନ ଅପରାଧ ମାମଲା ଥିବା ତକ୍ରାଳୀନ ଗୋଳନ୍ଥରା ଥାନା ଆଇଆଇସି ତଥା ଏସ୍ଟିଏଫ୍ ଇନ୍ସପେକ୍ଟର ଆଲୋକ କୁମାର ଜେନା ସୂଚନା ଦେଇଛନ୍ତି । କୋର୍ଟ ସୂତ୍ରରୁ ପ୍ରକାଶ ୨୦୧୬ ଅଗଷ୍ଟ ୩୧ ତାରିଖରେ ଭୈରବୀ ରାସ୍ତାରେ ଆଇଆଇସି ଜେନା ତାଙ୍କ ଷ୍ଟାଫ ଗାଡ଼ି ଯାଞ୍ଚକରୁଥିଲେ । ଏହି ସମୟରେ ଅଭିଯୁକ୍ତ ଦୀପକ ମଣ୍ଡଳ ଓ ତା’ର ଜଣେ ସହଯୋଗୀ ସେହି ରାସ୍ତାରେ ଦ୍ରୁତ ଗତିରେ ଆସୁଥିଲେ । ଆଇଆଇସି ଜେନା ଦୀପକକୁ ଅଟକାଇଥିଲେ କିନ୍ତୁ ସେ ସେଠାରୁ ଦ୍ରୁତ ଗତିରେ ପଳେଇଥିଲା । ପିଛା କରିବାରୁ ପୁଲିସ ଉପରକୁ ଗୁଳି ଚଳାଇଥିଲା ଦୀପକ । ଏହାର ପ୍ରତି ଉତ୍ତରରେ ଆଇଆଇସି ଜେନା ତାଙ୍କ ସର୍ଭିସ୍ ରିଭଲଭରରୁ ଅଭିଯୁକ୍ତ ଦୀପକର ଗୋଡ଼କୁ ଗୁଳି ଚଳାଇଥିଲେ । ଆହତାବସ୍ଥାରେ ତାକୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଘଟଣାସ୍ଥଳରୁ ମୋଟର ସାଇକେଲ, ବନ୍ଧୁକ, ମୋବାଇଲ ଫୋନ, କିଛି ଖୋକା ଜବତ ହୋଇଥିଲା ।ପୁଲିସ ଗୁଳିରେ ଆହତ ଦୀପକର ବାମ ଗୋଡ଼ ଚିକିତ୍ସାବେଳେ କଟାଯାଇଥିଲା । ଗୋଳନ୍ଥରା ଥାନା କେସ୍ ନଂ ୧୨୬/୧୬ ଧାରା ୩୫୩/୩୦୭/୨୫ ଏବଂ ୨୭ ଆର୍ମସ୍ ଆକ୍ଟ ଅନୁସାରେ ମାମଲା ରୁଜୁ କରି ତଦନ୍ତକାରୀ ଅଧିକାରୀ ତକ୍ରାଳୀନ ଏସ୍ଆଇ ଲକ୍ଷ୍ମଣ ସେଠୀ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ । ଉକ୍ତ ଚାର୍ଜସିଟ୍କୁ ଆଧାର କରି ଏବଂ ୧୯ଜଣ ସାକ୍ଷୀଙ୍କର ବୟାନକୁ ଭିତ୍ତିକରି ଏସିଜେଏମ୍ ଦାଶ ଦୀପକକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ଭି.ପ୍ରସନ୍ନ କୁମାର ପାତ୍ର ଏବଂ ମୁଦାଲାଙ୍କ ପକ୍ଷରୁ ନରସିଂହ ପଟ୍ଟନାୟକ ମକଦ୍ଦମା ପରିଚାଳନା କରିଥିଲେ । ଏହି ମାମଲାରେ ଉପଯୁକ୍ତ ସାକ୍ଷ୍ୟପ୍ରମାଣ ଉପସ୍ଥାପନ କରିଥିବାରୁ ସଂପୃକ୍ତ କେସ୍ର ତଦନ୍ତକାରୀ ଅଧିକାରୀ ଏସ୍ଆଇ ଲକ୍ଷ୍ମଣ ସେଠୀ, ତକ୍ରାଳୀନ ଥାନା ଆଇଆଇସି ଜେନା, ଏପିପି ଭି.ପ୍ରସନ୍ନ କୁମାର ପାତ୍ରଙ୍କୁ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ପ୍ରଶଂସା କରିଛନ୍ତି । ସୂଚାନଯୋଗ୍ୟ ଯେ, ଦୀପକର ସହଯୋଗୀ ଅଷ୍ଟମ ମଣ୍ଡଳ ବି ପୁଲିସ ଉପରକୁ ଗୁଳି ଚାଳନା କରିଥିଲା । ଗୋପାଳପୁର ଥାନାର ତକ୍ରାଳୀନ ଆଇଆଇସି ପ୍ରଜ୍ଞା ପାରମିତା ଜେନା ଗୁଳି ଚାଳନା କରିବାରୁ ଅଷ୍ଟମ ଆହତ ହୋଇଥିଲା । ସଂପୃକ୍ତ ମାମଲାରେ ଅଷ୍ଟମକୁ ମଧ୍ୟ ସଜା ହୋଇସାରିଥିବା ଇନ୍ସପେକ୍ଟର ଆଲୋକ ଜେନା ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.