ମାଲକାନଗିରି,(ବି.ବି.ନ୍ୟୁଜ୍): ପୁଣି ସେବାଶ୍ରମରେ ଲାଗିଛି କଳଙ୍କ । ମଙ୍ଗଳ ବିଭାଗ ଅଧୀନରେ ଥିବା ଏହି ବିଦ୍ୟାଳୟଗୁଡ଼ିକର ପିଛା ଛାଡୁନି ବିବାଦ । ଷଷ୍ଠ ଶ୍ରେଣୀର ଜଣେ ଛାତ୍ରୀକୁ ଅସଦାଚରଣ କରିବା ଅଭିଯୋଗରେ ଶିକ୍ଷକଙ୍କୁ ଗ୍ରାମବାସୀ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି । ଏହାର ଭିଡିଓ ଭାଇରାଲ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି କତାମାଟେରୁ ସେବାଶ୍ରମ ବିଦ୍ୟାଳୟରେ । ମାଡ଼ ଖାଇଥିବା ଶିକ୍ଷକ ଜଣଙ୍କ ହେଉଛନ୍ତି ଅଶ୍ୱିନୀ କୁମାର ଦେହୁରୀ । ଷଷ୍ଠ ଶ୍ରେଣୀର ଛାତ୍ରୀ ଜଣକୁ ସହକାରୀ ଶିକ୍ଷକ ଅଶ୍ୱିନୀ କୁମାର ଦେହୁରୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏ କଥା ଗ୍ରାମବାସୀଙ୍କ କାନରେ ପଡ଼ିବା ପରେ ଶିକ୍ଷକଙ୍କୁ ସ୍କୁଲ ଗେଟ୍ରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ । ଗ୍ରାମବାସୀଙ୍କ କହିବା କଥା, ଗତ ୨୩ ତାରିଖରେ ଅଶ୍ୱିନୀ ସ୍କୁଲ ନିକଟରେ ଥିବା ତାଙ୍କ ବାସଭବନକୁ ଖାତା ଦେଖାଇବା ବାହାନାରେ ଡାକି ନେଇଥିଲେ ଛାତ୍ରୀ ଜଣକୁ । ସେଠାରେ ତା ସହିତ ଅସଦାଚାରଣ କରିଥିଲେ । ଆଜି ସକାଳେ ପୁନର୍ବାର ବିଦ୍ୟାଳୟ ପମ୍ପହାଉସ ଭିତରକୁ ଡାକିନେଇ ଛାତ୍ରୀ ସହ ଅସଦାଚାରଣ କରିଥିଲେ । ଏକଥା ଜାଣାପଡ଼ିବା ପରେ ସେମାନେ ଉତ୍ତ୍ୟକ୍ତ ହୋଇ ଶିକ୍ଷକଙ୍କୁ ବାନ୍ଧି ମାଡ଼ ମାରିଥିଲେ । ଅଡ଼ି ବସିଥିଲେ ଯେ, ଜିଲ୍ଲା ପ୍ରଶାସନ ବିଦ୍ୟାଳୟରେ ପହଞ୍ଚି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲା ପର୍ଯ୍ୟନ୍ତି ସେମାନେ ଶିକ୍ଷକଙ୍କୁ ଛାଡ଼ିବେ ନାହିଁ । ତେବେ ଶିକ୍ଷକଙ୍କୁ ମାଡ ମରାଯିବାର ଭିଡିଓ ସଂଗେ ସଂଗେ ଭାଇରାଲ ହୋଇଥିଲା । ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦୀପ୍ତ କୁମାର ପଣ୍ଡା ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ । ମାଲକାନଗିରି ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଶଶିକାନ୍ତ ସାମନ୍ତରାୟ ଓ ଶିଖପାଲି ଏସ୍ଏସ୍ଡି ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମନରୋମା ସ୍ୱାଇଁଙ୍କୁ କତାମାଟେରୁ ଶେବାଶ୍ରମ ବିଦ୍ୟାଳୟକୁ ପଠାଇ ତଦନ୍ତ କରାଇଛନ୍ତି । ପ୍ରଶାସନ ପକ୍ଷରୁ ଏହି ଟିମ୍ ସ୍କୁଲରେ ପହଞ୍ଚି ତଦନ୍ତ କରିବା ପରେ ଗ୍ରାମବାସୀ ସଂପୃକ୍ତ ଶିକ୍ଷକଙ୍କୁ ଛାଡ଼ିଥିଲେ । ତଦନ୍ତକାରୀ ଅଧିକାରୀମାନେ ସରପଞ୍ଚ, ଗ୍ରାମ ମୁଖିଆ ଏବଂ ପିଡୀତା ଛାତ୍ରୀର ବୟାନ ରେକର୍ଡ କରିଥିବା ଜଣାପଡିଛି । ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପଣ୍ଡା କହିଛନ୍ତି, ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କ ନିକଟକୁ ପଠାଯିବ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
Comments are closed, but trackbacks and pingbacks are open.