ଖପ୍ରାଖୋଲ,(ବି.ବି.ନ୍ୟୁଜ୍): କିଛି ଦିନର ନୀରବତା ପରେ ଲାଲ୍ବାହିନୀ ପୁଣି ଥରେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳରେ ତାର ଉପସ୍ଥିତି ଜାହିର କରିଛି । ଖପ୍ରାଖୋଲ ବ୍ଲକ ହରିଶଙ୍କରଠାରେ ବ୍ୟାନର ଲଗାଇ ଜନଆନ୍ଦୋଳନ ଉପରେ ଫାସିବାଦୀ ଦମନକୁ ବିରୋଧ କରିବାକୁ ଆହ୍ୱାନ ଦେଇଛି । ଏଥିସହ ଅନ୍ୟ ଏକ ବ୍ୟାନରରେ ସ୍ଥାନୀୟ କିଛି ଯୁବକଙ୍କୁ ଜନବିରୋଧୀ କାର୍ଯ୍ୟ ନଛାଡ଼ିଲେ ଦଣ୍ଡିତ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଖପ୍ରାଖୋଲ ପୁଲିସ ଖବର ପାଇ ବ୍ୟାନର ଦୁଇଟିକୁ ଜବତ କରିଥିବା ବେଳେ ବଲାଙ୍ଗୀର ଏସପି କେ. ଶିବା ସୁବ୍ରମଣୀ ଖପ୍ରାଖୋଲ ଯାଇ ଘଟଣା ସଂପର୍କରେ ପଚରାଉଚରା କରିଥିଲେ ।
ସୂଚନାମତେ ହରିଶଙ୍କର ମନ୍ଦିର ନିକଟରେ ଥିବା ଏକ ଦୋକାନରେ ଏବଂ ଡିଅର ପାର୍କ ପାଖରେ ଦୁଇଟି ମାଓ ବ୍ୟାନର ଲାଗିଥିବା ଆଜି ଦେଖିବାକୁ ମିଳିଥିଲା । ବ୍ୟାନରରେ ହିନ୍ଦୀ ଭାଷାରେ ଲେଖାଯାଇଛି । ଗୋଟିଏ ବ୍ୟାନରରେ ଜନଆନ୍ଦୋଳନ ଉପରେ ଫାସିବାଦୀ ଦମନକୁ ବିରୋଧ କରିବା, ଅପରେସନ ଗ୍ରୀନ୍ହଣ୍ଟକୁ ବିରୋଧ, ସୁପ୍ରିମକୋର୍ଟଙ୍କ ଆଦିବାସୀ ବିରୋଧୀ ଆଦେଶ ରଦ୍ଦ କରିବା, ଦନ୍ତେୱାଡା କିରନ୍ଦୁଲ ଏନଏମଡିସିକୁ ନିଜ କମ୍ପାନିକୁ ଦେବା ପାଇଁ ଚଳାଇଥିବା ମସୁଧାକୁ ବିରୋଧ, କେନ୍ଦ୍ର ସରକାରଙ୍କ ତ୍ରିଭାଷା ଫର୍ମୁଲାକୁ ବିରୋଧ କରାଯିବା ସହ ଡୁଡୁକାମାଲ ଓ ସାଲେପାଲିରେ ହୋଇଥିବା ଗୁଳିବିନିମୟର ପ୍ରତିଶୋଧ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।
ସେହିପରି ଅନ୍ୟ ଏକ ବ୍ୟାନରରେ ଗାଁର କିଛି ବ୍ୟକ୍ତିଙ୍କ ନାଁ ଉଲ୍ଲେଖ କରି ଜନବିରୋଧୀ କାମ ଛାଡ଼ି ଦେବାକୁ ଚେତାବନୀ ଦିଆଯାଇଛି । ମାଓ ବ୍ୟାନର ଲାଗିବା ପରେ ଆଜି ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳି ଯାଇଛି । ହରିଶଙ୍କରଠାରେ ଅବସ୍ଥାପିତ ସିଆରପିଏଫ୍ କ୍ୟାମ୍ପର ଅନତି ଦୂରରେ ଏଭଳି ବ୍ୟାନର ଲାଗିବା ପୁଲିସ ପାଇଁ କଡ଼ା ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଗତ ଏପ୍ରିଲ ୧୧ ତାରିଖରେ ମଧ୍ୟ ହରିଶଙ୍କରଠାରେ ମାଓବାଦୀ ବ୍ୟାନର ଓ ପୋଷ୍ଟର ଲଗାଇଥିଲେ । ଖପ୍ରାଖୋଲ ଥାନାଧିକାରୀ ଜ୍ୟୋତିରଂଜନ ପତିଙ୍କୁ ପଚାରିବାରୁ ମାଓ ବ୍ୟାନର ଜବତ କରାଯାଇଥିବା ପ୍ରକାଶ କରିଛନ୍ତି ।
Comments are closed, but trackbacks and pingbacks are open.