କୋରାପୁଟ,(ବି.ବି.ନ୍ୟୁଜ୍): ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କୋରାପୁଟ ଅଞ୍ଚଳରେ ଆଦିବାସୀମାନେ ବନ୍ଦାପନା ପର୍ବ ପାଳନ କରିଛନ୍ତି । ଫସଲ ସୁରକ୍ଷା ପାଇଁ ଆଦିବାସୀ ସମ୍ପ୍ରଦାୟ ଏହି ପର୍ବ ପାଳନ କରିଥାନ୍ତି । ଆଦିବାସୀଙ୍କ ଏହି ନିଆରା ପର୍ବ ବର୍ଷକୁ ଥରେ ହେଉଥିବା ବେଳେ ବର୍ଷାଋତୁରେ ଏହା ପାଳନ କରାଯିବା ବିଧି ରହିଛି । ଜମିରେ ହୋଇଥିବା ଫସଲକୁ ରୋଗପୋକ ଦାଉରୁ ରକ୍ଷା କରିବାକୁ କେନ୍ଦୁଡାଳ, ସଳପ ବାହାଙ୍ଗା ପୋତା ଯାଇଥିଲା । ପର୍ବ ପାଳନ ପାଇଁ ଦିଶାରୀ ପ୍ରଥମେ ଦିନ ଠିକ କରିଥାନ୍ତି । ଦିଶାରୀ ଯେଉ ଗାଁକୁ ଯେଉଦିନ ସମୟ ଦେଇଥାନ୍ତି ସେହିଦନ ସେହି ଗାଁର ଚାଷୀମାନେ ପର୍ବ ପାଳିଥାନ୍ତି ବୋଲି ଚାଷୀନେତା ମଦନ କିର୍ଷାନୀ କହିଛନ୍ତି । ବିଶେଷକରି ଜମିରେ ଏହି ସମୟରେ ଫସଲ ଛନଛନିଆ ହୋଇ ବଢ଼ିଥାଏ । ଫସଲରେ ରୋଗପୋକ ଅଧିକ ଲାଗିଥାଏ । ଗୋରୁଗାଈ ଜମିରେ ପଶି ଫସଲ ଉଜାଡ଼ି ଦେବା ମଧ୍ୟ ଭୟ ରହିଥାଏ । ତେଣୁ ଏହାର ପ୍ରତିକାର ପାଇଁ ଆଦିବାସୀ ସମ୍ପ୍ରଦାୟ ଜମିରେ ପୂଜାକରି କୋଚିଲା, କେନ୍ଦୁଡାଳ ଓ ସଲପ ବାହୁଙ୍ଗା ଆଦି ପୋତିଥାନ୍ତି । କୀଟଗୁଡ଼ିକ ଡାଳପ୍ରତି ଆକୃଷ୍ଟ ହୋଇ ଆସିଥାନ୍ତି । ଡାଳଗୁଡ଼ିକର ଔଷଧୀୟ ପ୍ରଭାବରେ ପୋକଗୁଡ଼ିକ ମରିଯାଇଥାନ୍ତି । ଏହି ପର୍ବ ପାଳନ ଅବସରରେ ଜମିର ମଧ୍ୟଭାଗରେ ମଣିଷ ଆକୃତିର ଏକ ପୁତୁଳା ମଧ୍ୟ ପୋତାଯାଇଥାଏ । ଏହାଦ୍ୱାରା କେହି ଜଣେ ମଣିଷ ଛିଡା ହୋଇଥିବା ଅନୁଭବ କରି ଗୋରୁଗାଈ କିମ୍ବା ଜଙ୍ଗଲି ଜନ୍ତୁ ଜମିକୁ ପ୍ରବେଶ କରନ୍ତି ନାହିଁ । ଫସଲ ଉପରୁ ଖରାପ ଦୃଷ୍ଟି ହଟାଇବା ପାଇଁ ମଧ୍ୟ ମଣିଷ ପୁତୁଳା ପୋତାଯାଏ ବୋଲି ଆଦିବାସୀ ଗବେଷକ ବାସୁଦେବ ସାହୁ କହିଛନ୍ତି ।
Comments are closed, but trackbacks and pingbacks are open.