ପୁରୀ,(ବି.ବି.ନ୍ୟୁଜ୍): ଶ୍ରୀମନ୍ଦିର ମେଘନାଦ ପାଚେରି ନିକଟରେ ଅବସ୍ଥିତ ଲଙ୍ଗୁଳି ମଠ ବା ଲକ୍ଷ୍ମୀଭଦ୍ର ମଠ ମାଟିରେ ମିଶିଛି । ଆଜି ସକାଳ ୬ଟାରେ ପୁରୀ ଜିଲ୍ଲା ପ୍ରଶାସନ ବୁଲ୍ଡୋଜର୍ ଲଗାଇ ଏହି ପୁରୁଣା ଓ ବିପଦସଙ୍କୁଳ ମଠକୁ ଭାଙ୍ଗିଦେଇଛି । ସନ୍ଧ୍ୟା ସୁଦ୍ଧା ମଠର କୋଠା ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଛି । ମଠ ମହନ୍ତଙ୍କୁ ନୀଳାଚଳ ଭକ୍ତ ନିବାସରେ ରଖାଯାଇଛି । ଏଠାରେ ରହୁଥିବା ଅନ୍ୟ ସାଧୁସନ୍ଥଙ୍କୁ ବିକଳ୍ପ ଆବାସ ଦିଆଯାଇଛି । ଏହି ମଠର କୋଠାରେ ଦୋକାନ କରିଥିବା ବ୍ୟବସାୟୀଙ୍କୁ ପ୍ରଶାସନ ଥଇଥାନ ପ୍ରସ୍ତାବ ଦେଇଛି ।

ଶ୍ରୀମନ୍ଦିର ସଂସ୍କାର ପାଇଁ ଜଷ୍ଟିସ୍ ବି.ପି. ଦାସ କମିଶନ ଦେଇଥିବା ସୁପାରିସ ଭିତ୍ତିରେ ରାଜ୍ୟ କ୍ୟାବିନେଟ୍ ଶ୍ରୀକ୍ଷେତ୍ରର ଐତିହ୍ୟ ବିକାଶ ପାଇଁ ନିଷ୍ପତ୍ତି ନେଇଥିଲା । ଶ୍ରୀମନ୍ଦିର ସୁରକ୍ଷା ପାଇଁ ମେଘନାଦ ପାଚେରି ଠାରୁ ୭୫ ମିଟର ପରିଧିରେ ସମସ୍ତ ନିର୍ମାଣ ହଟାଇବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଜିଲ୍ଲା ପ୍ରଶାସନ ଗତ ସପ୍ତାହରେ ମେଘନାଦ ପାଚେରିକୁ ଲାଗି ରହିଥିବା ସମସ୍ତ ଅବରୋଧ ହଟାଇ ଦେଇଥିଲା । ଆଜି ପ୍ରଥମ ଥର ପାଇଁ ୭୫ ମିଟର ପରିଧିରେ ଥିବା ନିର୍ମାଣ ଉଚ୍ଛେଦ ଆରମ୍ଭ ହୋଇ ଲଙ୍ଗୁଳି ମଠକୁ ଭାଙ୍ଗି ଦିଆଯାଇଛି । ଏହାପରେ ସିଂହଦ୍ୱାର ସାମ୍ନାରେ ଥିବା ଅନ୍ୟତମ ପ୍ରାଚୀନ ଏମାର ମଠକୁ ଭାଙ୍ଗିବାକୁ ପ୍ରଶାସନ ପ୍ରସ୍ତୁତି ଚଳାଇଛି ।
ସିଂହଦ୍ୱାରର ପୂର୍ବ-ଉତ୍ତର କୋଣ ମେଘନାଦ ପାଚେରି ସାମନାରେ ଥିବା ଲଙ୍ଗୁଳି ମଠକୁ ଭାଙ୍ଗିବା ପାଇଁ ପ୍ରଶାସନ ଦୁଇଦିନ ପୂର୍ବେ ଘୋଷଣା କରିଥିଲା । ମଠ ମହନ୍ତ ଓ ଏଠାରେ ଦୋକାନ କରିଥିବା ବ୍ୟବସାୟୀଙ୍କୁ ନୋଟିସ ଜାରି କରାଯାଇଥିଲା । ସେହି ଅନୁଯାୟୀ ଆଜି ଭୋର୍ ୬ଟା ୧୫ରୁ ମଠ ଭାଙ୍ଗିବା ପାଇଁ ବୁଲ୍ଡୋଜର୍ ସହ ବରିଷ୍ଠ ଅଧିକାରୀ ଓ ପୁଲିସ ଫୋର୍ସ ପହଞ୍ଚିଥିଲେ । ପୁଲିସ ପ୍ରଥମେ ମଠ ନିକଟରେ କର୍ଡନ କରିଥିଲେ । ସମସ୍ତ ପ୍ରସ୍ତୁତି ଶେଷ ହେବା ପରେ ସକାଳ ୮ଟା ୧୫ ମିନିଟରେ ଭଙ୍ଗା ଆରମ୍ଭ ହୋଇଥିଲା । ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ମଠର ଶତକଡା ୮୦ ଭାଗ ଭଙ୍ଗା ସରିଥିଲା । ସନ୍ଧ୍ୟା ସୁଦ୍ଧା ସମ୍ପୂର୍ଣ୍ଣ ମଠ ମାଟିରେ ମିଶିଥିଲା । ଆଇନଶୃଙ୍ଖଳା ରକ୍ଷା ପାଇଁ ୧୨ ପ୍ଲାଟୁନ୍ ସଶସ୍ତ୍ର ଫୋର୍ସ, ସହରର ସମସ୍ତ ଥାନା ଅଧିକାରୀ ଏବଂ ମାଜିଷ୍ଟ୍ରେଟ୍ ଭଙ୍ଗାବେଳେ ନିୟୋଜିତ ଥିଲେ ।ମଠ ପରିସରରେ ରହିଥିବା ଗୋଟିଏ ମନ୍ଦିରକୁ ବାଦ୍ ଦେଇ ସମସ୍ତ ବିପଦସଙ୍କୁଳ ପ୍ରକୋଷ୍ଠଗୁଡିକୁ ଭାଙ୍ଗି ଦିଆଯାଇଛି । ସ୍ଥାନୀୟ ଲୋକମାନେ ଜମା ହୋଇ ଉକ୍ରଣ୍ଠାର ସହ ମଠଭଙ୍ଗା ଅଭିଯାନକୁ ଦେଖୁଥିଲେ । କେହି ବିରୋଧ କରି ନ ଥିଲେ । ଯେଉଁ କେତେକ ଦୋକାନୀଙ୍କ ଜିନିଷ ସ୍ଥାନାନ୍ତର ହୋଇପାରି ନ ଥିଲା ତାହାକୁ ପ୍ରଶାସନ ଭଙ୍ଗା ପୂର୍ବରୁ ସ୍ଥାନାନ୍ତର କରିଦେଇଥିଲା । କେତେକ ଖଜା ଦୋକାନୀଙ୍କ ଖଜା ଓ ଅନ୍ୟ ସାମଗ୍ରୀକୁ ପୁଲିସ ଅନ୍ୟତ୍ର ସ୍ଥାନାନ୍ତର କରିଦେଇଥିଲା ।

ମଠରୁ ବିସ୍ଥାପିତ ଦୋକାନୀଙ୍କୁ ଥଇଥାନ କରିବାକୁ ପ୍ରସ୍ତାବ ଦିଆଯାଇଛି ବୋଲି ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି । ମଠ ଉଚ୍ଛେଦ ହେବା ପରେ ମହନ୍ତଙ୍କ ପାଇଁ ବିକଳ୍ପ ଆସ୍ଥାନ ବ୍ୟବସ୍ଥା ମଧ୍ୟ କରାଯାଇଛି । ମହନ୍ତ ବର୍ତ୍ତମାନ ପାଇଁ ବଡ଼ଦାଣ୍ଡସ୍ଥିତ ନୀଳାଚଳ ଭକ୍ତ ନିବାସରେ ରହିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଲଙ୍ଗୁଳି ମଠ ପରେ ସିଂହଦ୍ୱାର ସାମ୍ନାରେ ଥିବା ଏମାର ମଠକୁ ଭାଙ୍ଗିବାକୁ ରୂପରେଖ ପ୍ରସ୍ତୁତ କରୁଛି ଜିଲ୍ଲା ପ୍ରଶାସନ ।
ଉଲ୍ଲେଖଯୋଗ୍ୟ ଯେ, ଶ୍ରୀମନ୍ଦିର ପରିବେଶର ସୌନ୍ଦର୍ଯ୍ୟ ବୃଦ୍ଧି ସହ ଶ୍ରୀକ୍ଷେତ୍ରର ନବକଳେବର ନିମନ୍ତେ ମୁଖ୍ୟମନ୍ତ୍ରୀ ୫୦୦ କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି । ଆସନ୍ତା ଦୁଇବର୍ଷ ମଧ୍ୟରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିଷ୍ପତ୍ତି ନେଇଛି କ୍ୟାବିନେଟ୍ । ସେହି ଅନୁଯାୟୀ କାର୍ଯ୍ୟ କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ଅଭିଯାନ ଆରମ୍ଭ କରିଛି ।
Comments are closed, but trackbacks and pingbacks are open.