ବୃଦ୍ଧି ପାଉଛି ଚକ୍ଷୁଦାନ:ଚାହିଦା ତୁଳନାରେ ନିଅଣ୍ଟ

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନ୍ୟୁଜ୍): ଚଳିତ ମାସ ୧୦ ଓ ୧୨ ତାରିଖ । କୁକୁଡ଼ାଖଣ୍ଡି ଅଞ୍ଚଳର ୱାଇ.ଦମୟନ୍ତୀ (୮୫) ଓ ବ୍ରହ୍ମପୁର ଚର୍ଚ୍ଚରୋଡ୍ ଅଞ୍ଚଳର ଭି.ଭାରତୀ (୭୩)ଙ୍କ ଚକ୍ଷୁ ଡୋଳା (କର୍ଣ୍ଣିଆ)କୁ ପରିବାର ଲୋକଙ୍କ ସହମତି କ୍ରମେ ବ୍ରହ୍ମପୁର ଏମ୍କେସିିଜି ଚକ୍ଷୁ ବିଭାଗର ସ୍ୱତନ୍ତ୍ର ଟିମ୍ ସଂଗ୍ରହ କରିଥିଲା । ଏହି ମହତ୍ କାର୍ଯ୍ୟରେ ସହଯୋଗ କରିଥିଲା ଫ୍ରେଣ୍ଡସ୍ ହେଲ୍ପିଙ୍ଗ୍ କ୍ଲବ୍ । ୨୪.୯.୨୦୧୦ରେ ଚକ୍ଷୁ ଦାନ କରିବାକୁ ଦମୟନ୍ତୀ ସମ୍ମତି ଦେଇଥିଲେ । ପ୍ରାୟ ୯ ବର୍ଷ ପରେ ତାଙ୍କର ବିୟୋଗ ପରେ ସେ ରଖିଥିବା ଚକ୍ଷୁଦାନ ଫର୍ମ ଦେଖି ପରିବାର ଲୋକ ଏମ୍କେସିଜି କର୍ତ୍ତୃପକ୍ଷ ଓ ପରିବାର ଲୋକଙ୍କୁ ଫୋନ୍ କରିଥିଲେ । ତାହାର ଦୁଇଦିନ ପୂର୍ବରୁ ଅଗଷ୍ଟ ୧୦ ତାରିଖରେ ଭି.ଭାରତୀଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ଦୁଇ ପୁଅ ଓ ତିନି ଝିଅ ମାଆଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଚକ୍ଷୁଦାନ କରାଇଥିଲେ । ପୂର୍ବରୁ ଭାରତୀଙ୍କ ସ୍ୱାମୀ ସତ୍ୟନାରାୟଣ ମୂର୍ତ୍ତି ୨୦୧୫ରେ ଚକ୍ଷୁଦାନ କରିଥିଲେ । ସେହିପରି ଅଗଷ୍ଟ ୨୦ ତାରିଖରେ ବଡ଼ବଜାର ପାତ୍ର ସାହିର କେ.ଭାସ୍କର ରାଓ (୮୪)ଙ୍କ ମୃତ୍ୟୁ ପରେ ତାଙ୍କ ଚକ୍ଷୁ ସଂଗ୍ରହ କରାଯାଇ ଥିଲା । ଲୋକଙ୍କ ମଧ୍ୟରେ ଚକ୍ଷୁଦାନ ନେଇ ବୃଦ୍ଧି ପାଉଥିବା ସଚେତନତାର ଏହା ଗୋଟିଏ ଗୋଟିଏ ଉଦାହରଣ । ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି ଚକ୍ଷୁଦାନ ପକ୍ଷ । ଏହି ଅବସରରେ ଚକ୍ଷୁଦାନ ନିମନ୍ତେ ଜନସଚେତନତା କରାଯାଉଛି । ତେବେ ଲୋକଙ୍କ ମଧ୍ୟରେ ଏବେ ବି ଆହୁରି ଜନସଚେତନତାର ଆବଶ୍ୟକତା ରହିଥିବା କହିଛନ୍ତି ଚକ୍ଷୁ ଚିକିତ୍ସକ ଡା. ପ୍ରଣତି ସାହୁ । କାରଣ ଚକ୍ଷୁରୋପଣ ପାଇଁ ଯେତେ ଲୋକ ଆବେଦନ କରୁଛନ୍ତି ତା ଠାରୁ ବହୁ କମ୍ ଲୋକ ଚକ୍ଷୁଦାନ କରୁଛନ୍ତି । ତେଣୁ ଆବଶ୍ୟକତା ଠାରୁ ଚକ୍ଷୁଦାନର ମାତ୍ରା ବେଶ୍ ନିଅଣ୍ଟ । ଚକ୍ଷୁଦାନ ପାଇଁ ଆଗରୁ ଲୋକେ ପଞ୍ଜୀକରଣ କରୁଛନ୍ତି । ତଥାପି ମୃତ୍ୟୁ ପରେ ବି ଆଇନ ଦୃଷ୍ଟିରୁ ମୃତକଙ୍କ ବଂଶଧର ବା ପରିବାର ଲୋକଙ୍କ ସହମତି ପରେ ହିଁ ଚକ୍ଷୁ ସଂଗ୍ରହ କରାଯାଇ ପାରିବ । ନଚେତ୍ ଆଗୁଆ ପଞ୍ଜୀକରଣ ବା ଚୁକ୍ତିନାମା ସତ୍ତେ୍ୱ ତାହା ସମ୍ଭବପର ନୁହେଁ । ଅପରପକ୍ଷରେ ଲୋକ ଅନ୍ୟର ଚକ୍ଷୁରେ ଦୁନିଆ ଦେଖିବା ପାଇଁ ବର୍ଷ ପରେ ବର୍ଷ ଚାହିଁ ରହିଥାନ୍ତି । ତେବେ ବହୁତ କମ୍ ଲୋକଙ୍କ ଜୀବନରେ ଏହା ବାସ୍ତବ ରୂପ ନେଇଥାଏ । ଏମ୍କେସିଜି ଚକ୍ଷୁ ବିଭାଗର ଡା. ରାଜେନ୍ଦ୍ର କୁମାର ବେହେରାଙ୍କ କହିବା ମୁତାବକ ଚକ୍ଷୁଦାନ ନେଇ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଉଛି । ଲୋକେ ମୃତ୍ୟୁ ପରେ ଚକ୍ଷୁଦାନ କରିବା ପାଇଁ ଆଗୁଆ ପଞ୍ଜୀକରଣ କରିବା ବା ସହମତି ପ୍ରଦାନ ଦେବା ନେଇ ସଚେତନ ହେଲେଣି । ଗତ ୧୦ ବର୍ଷରେ ଏମ୍କେସିଜିରେ ପ୍ରାୟ ୪ଶହରୁ ଅଧିକ ଚକ୍ଷୁଦାନ ହୋଇଥିବା ସେ ସୂଚନା ଦେଇଛନ୍ତି । ଏଠାରେ ବିଶେଷଜ୍ଞ ଡାକ୍ତର ଅଛନ୍ତି, ଉପକରଣ ବି ରହିଛି । ଚକ୍ଷୁ ଚିକିତ୍ସା ଶିବିରରେ ଲୋକଙ୍କୁ ଏ ନେଇ ସଚେତନ କରାଯାଉଛି । ଫ୍ରେଣ୍ଡ୍ସ୍ ହେଲପିଙ୍ଗ୍ କ୍ଲବ୍ (ଏଫ୍ଏଚ୍ସି) ଭଳି ଏନ୍ଜିଓ ଏ ଦିଗରେ ତତ୍ପରତାର ସହ କାର୍ଯ୍ୟରତ । ବ୍ରହ୍ମପୁରର ଏଫ୍ଏଚ୍ସି ୨୦୦୦ ମସିହାରୁ ଚକ୍ଷୁଦାନ ନିମନ୍ତେ ଲୋକଙ୍କୁ ପ୍ରୋତ୍ସାହିତ କରି ଆସୁଛି । ଏମ୍କେସିଜି ଚକ୍ଷୁ ବିଭାଗରୁ ମିଳିଥିବା ସୂଚନା ମୁତାବକ ଚକ୍ଷୁଦାନ ଓ ଚକ୍ଷୁରୋପଣ ପାଇଁ ଆଗୁଆ ପଞ୍ଜୀକରଣ କରାଯାଉଛି । ଏଥିପାଇଁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ୨୪ ଘଣ୍ଟିଆ ପ୍ରସ୍ତୁତ ଥାଆନ୍ତି । ଯେହେତୁ ମୃତ୍ୟୁର ୬ ଘଣ୍ଟା ମଧ୍ୟରେ ଚକ୍ଷୁର କରୋନା (ଡୋଳା) ସଂଗ୍ରହ କରିବାକୁ ହୋଇଥାଏ ତେଣୁ ଫୋନ୍ ଆସିବା କ୍ଷଣି ଟିମ୍ ପ୍ରସ୍ତୁତ ହୋଇ ଘଟଣାସ୍ଥଳକୁ ଯାଇଥାଆନ୍ତି । ତେବେ ମୃତକଙ୍କ କୌଣସି ଚକ୍ଷୁଜନିତ ରୋଗ ନଥିବ, ତାଙ୍କ ଡୋଳା ଠିକ୍ ଥିବ ତେବେ ହିଁ ସଂଗ୍ରହ କରାଯାଇପାରିବ । ଏମ୍କେସିଜିରେ ଚକ୍ଷୁ ବ୍ୟାଙ୍କ୍ ସୁବିଧା ରହିଛି । ଏଣୁ ସେଠାରେ ସଂଗୃହିତ ଚକ୍ଷୁ ୩ ଦିନ ପର୍ଯ୍ୟନ୍ତ ସଂରକ୍ଷିତ କରି ରଖାଯାଇପାରୁଛି । ଏହି ସମୟ ମଧ୍ୟରେ ପୂର୍ବରୁ ପଞ୍ଜୀକରଣ କରିଥିବା ଲୋକଙ୍କୁ ସୂଚନା ଦିଆଯାଇ ଚକ୍ଷୁରୋପଣ କରାଯାଉଛି । ତେବେ ବହୁ ଲୋକ ଚକ୍ଷୁରୋପଣ ପାଇଁ ଅପେକ୍ଷାରତ ଅଛନ୍ତି । କାରଣ ସେହି ମୁତାବକ ଚକ୍ଷୁଦାନ ଏଯାବତ୍ ସମ୍ଭବପର ହୋଇପାରିନି । ତଥାପି ଏମ୍କେସିଜି ଆଇ ବ୍ୟାଙ୍କ୍ ଦ୍ୱାରା ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ବାଲୁଗାଁ, ପୁରୀର ଦୃଷ୍ଟିହୀନ ମଧ୍ୟ ଉପକୃତ ହୋଇଥିବା ନଜୀର ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons