ସମୂହ ଇସ୍ତଫା ଦେବେ ଜିଲ୍ଲା ପରିଷଦ ସଭ୍ୟ!

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନ୍ୟୁଜ୍): ୧୦ ମାସ ହେଲା ବସିନି ବୈଠକ । ପ୍ରତିବାଦରେ ସମୂହ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି ଜିଲ୍ଲା ପରିଷଦ ସଭ୍ୟସଭ୍ୟା । ଏହାକୁ ନେଇ ଏବେ ସରଗରମ ରାୟଗଡ଼ା ରାଜନୀତି । ବିଜେଡି, ବିଜେପି ଓ କଂଗ୍ରେସର ୧୨ ଜଣ ସଭ୍ୟସଭ୍ୟା ଏ ସଂପର୍କରେ ଜିଲ୍ଲାପାଳଙ୍କୁ ଭେଟି ଅବଗତ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ପ୍ରତି ୨ ମାସ ଅନ୍ତରରେ ଜିଲ୍ଲା ପରିଷଦ ବୈଠକ ବସିବା କଥା । କିନ୍ତୁ ଗତ ୧୦ ମାସ ଭିତରେ ଥରୁଟିଏ ହେଲେ ବସିନି । ୨୦୧୮ ଅକ୍ଟୋବରରେ ଶେଷ ବୈଠକ ବସିଥିଲା । ଏହାର ପ୍ରତିବାଦରେ ଆଜି ସକାଳେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ୧୨ ଜଣ ସଭ୍ୟସଭ୍ୟା ଏବଂ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗ ଏକ ରୁଦ୍ଧଦ୍ୱାର ବୈଠକ କରିଥିଲେ । ଦୀର୍ଘ ୧ ଘଣ୍ଟା ଧରି ଆଲୋଚନା କରିବା ପରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ବୀଣାପାଣି ସାହୁକାରଙ୍କ ନେତୃତ୍ୱରେ ସମସ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଏବଂ ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଅମୃତ ଋତୁରାଜଙ୍କ ସହ ବୈଠକ କରି କେଉଁ କାରଣରୁ ଜିଲ୍ଲା ପରିଷଦ ବୈଠକ ବସୁନାହିଁ ବୋଲି ପଚାରିଥିଲେ । ସେମାନେ କହିଥିଲେ ଯେ, ପଞ୍ଚାୟତିରାଜ ବ୍ୟବସ୍ଥାର ସର୍ବୋଚ୍ଚ ସ୍ଥାନରେ ଜିଲ୍ଲା ପରିଷଦ ରହିଥିବା ବେଳେ ଏହାକୁ ଠିକ ଭାବେ କାର୍ଯ୍ୟକାରୀ କରାଯାଉନି । ଏହାଦ୍ୱାରା ଉନ୍ନୟନ କାର୍ଯ୍ୟ ପ୍ରଭାବିତ ହେଉଛି । ଜିଲ୍ଲା ପରିଷଦର ବୈଠକ ବସୁନଥିବାରୁ ସରକାରୀ ଅନୁଦାନ ମଞ୍ଜୁରୀ ପାଉନାହିଁ । କେତେଦିନ ଏଭଳି ଚାଲିବ ବୋଲି ସେମାନେ ପ୍ରଶ୍ନ କରିଥିଲେ । ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା କହିଛନ୍ତି ଯେ, ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦକୁ ମାନ୍ୟବର ଅଦାଲତ ଅସିଦ୍ଧ ଘୋଷଣା କରିଛନ୍ତି । ଫଳରେ ଜିଲ୍ଲା ପରିଷଦ ବୈଠକ କାହା ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ, ତାହାର ସ୍ପଷ୍ଟ ସୂଚନା ନାହିଁ । ଅଭିଯୋଗ ପାଇବା ପରେ ପଞ୍ଚାୟତିରାଜ ବିଭାଗକୁ ଅବଗତ କରାଯାଇଛି । ବିଭାଗୀୟ ନିର୍ଦ୍ଦେଶକଙ୍କ ସହିତ ଆଜି ସେ କଥା ହୋଇଛନ୍ତି । ସରକାରଙ୍କ ତରଫରୁ ସୂଚନା ଦିଆଗଲେ ଜିଲ୍ଲା ପରିଷଦ ବୈଠକ ଆୟୋଜନ କରାଯିବ । ଅନ୍ୟପକ୍ଷରେ ଜିଲ୍ଲା ପରିଷଦ ସଭ୍ୟସଭ୍ୟା କହିଛନ୍ତି ଯେ, ଆସନ୍ତା ୧୫ ଦିନ ମଧ୍ୟରେ ବୈଠକ ଡକାନଗଲେ ସେମାନେ ସମୂହ ଇସ୍ତଫା ଦେବେ । ଇସ୍ତଫା ପରେ ଯାହା ହେବ, ସେଥିପାଇଁ ପ୍ରଶାସନ ଏବଂ ରାଜ୍ୟ ସରକାର ଦାୟୀ ରହିବେ ।

ପ୍ରକାଶଥାଉକି, ଗତ ଡିସେମ୍ବର ମାସରେ ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦକୁ ଜିଲ୍ଲା ଓ ଦୌରାଜଜ୍ ଅସିଦ୍ଧ ଘୋଷଣା କରିଥିଲେ । ନିର୍ବାଚନ ଗୋପନୀୟତା ପାଳନ କରିନଥିବା ଅଭିଯୋଗରେ ଏହାକୁ ଅସିଦ୍ଧ ଘୋଷଣା କରାଯାଇଥିଲା । ଫଳରେ ସେହିଦିନରୁ ଅଧ୍ୟକ୍ଷ ପଦ ଅସିଦ୍ଧ ହୋଇଯାଇଛି । ଏହାକୁ ନେଇ ଜିଲ୍ଲା ପରିଷଦରେ ଏକପ୍ରକାର ଅଚଳାବସ୍ଥା ଲାଗି ରହିଛି । ଦେଖିବାର କଥା ଏବେ କି ପଦକ୍ଷେପ ନେଉଛି ପ୍ରଶାସନ । ଜିଲ୍ଲା ପରିଷଦର ୨୨ ଜଣ ସଭ୍ୟସଭ୍ୟାଙ୍କ ମଧ୍ୟରୁ ଯେଉଁ ୧୨ ଜଣ ଜିଲ୍ଲାପାଳଙ୍କୁ ଭେଟିଥିଲେ ସେମାନେ ହେଲେ ଉପାଧ୍ୟକ୍ଷା ବୀଣାପାଣି ସାହୁକାର, କଂଗ୍ରେସର ନନ୍ଦକିଶୋର ଚୌଧୁରୀ, ଅମ୍ବିକା ମାଝି, ନୀଳକଣ୍ଠ ଝୋଡ଼ିଆ, ବିଜେପିର ରାମଚନ୍ଦ୍ର ବେହେରା, ସାରଦା ସେନାପତି ଓ ବିଜେଡ଼ିର ପି.ଗୌରିଶଙ୍କର, ଅମ୍ବିକା ବିଡ଼ିକା, ଗଙ୍ଗାଧର ପୁଆଲା, ନିର୍ମଳା କାଡ୍ରାକା, ସୋମି ହିମିରିକା ଓ ରତ୍ନମାଳା ପରିଚ୍ଛା । ଅନ୍ୟପକ୍ଷରେ ପୁରୁଷୋତ୍ତମ ଗମାଙ୍ଗ ରୁଦ୍ଧଦ୍ୱାର ବୈଠକରେ ଉପସ୍ଥିତ ଥିବା ସତ୍ତେ୍ୱ କେଉଁ କାରଣରୁ ଜିଲ୍ଲାପାଳଙ୍କ ସହ ସାକ୍ଷାତ କରିନଥିଲେ ତାହା ଚର୍ଚ୍ଚାର ବିଷୟ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons