ମାଲକାନଗିରି,(ବି.ବି.ନ୍ୟୁଜ୍): ମାଲକାନଗିରି ଖଇରପୁଟ ବଣ୍ଡାଘାଟିରେ ମୁହାଁମୁହିଁ ହୋଇଛନ୍ତି ଯବାନ୍-ନକ୍ସଲ । ପ୍ରାୟ ୪୫ ମିନିଟ ଧରି ହୋଇଥିବା ଏହି ଗୁଳି ବିନିମୟରେ ଜଣେ ଯବାନ ସହିଦ୍ ଓ ଜଣେ ଯବାନ ଆହତ ହୋଇଥିବା ବେଳେ ଜଣେ ଦୁର୍ଦ୍ଦାନ୍ତ ମାଓ ନେତା ନିହତ ହୋଇଛି । ଯବାନଙ୍କ ପ୍ରଚଣ୍ଡ ହମଲାରେ ପ୍ରାୟ ୫୦ ମାଓବାଦୀ ପଛଘୁଞ୍ଚା ଦେଇ ଛତିଶଗଡ଼ ସୀମାକୁ ଚାଲି ଯାଇଛନ୍ତି ।ନିହତ ମାଓବାଦୀ ବୁଦ୍ରା ସୋଡି ଓରଫ ରାକେଶର ଘର ଛତିଶଗଡ଼ ସୁକ୍ମା ଜିଲ୍ଲାର ବୁରୁମ ଗ୍ରାମରେ । ତାକୁ ଧରିବାକୁ ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ସେ ଆନ୍ଧ୍ର-ଓଡ଼ିଶା-ଛତିଶଗଡ଼ ବର୍ଡର ମାଓବାଦୀ ଜୋନାଲ୍ କମଟିରେ ଡିସିଏମ ଭାବେ କାମ କରୁଥିଲା । ତା ନାଁରେ ଛତିଶଗଡ଼, ଓଡ଼ିଶା ଏବଂ ଆନ୍ଧ୍ରରେ ଅନେକ ମାମଲା ରହିଛି ।

ଅନ୍ୟପକ୍ଷରେ ଗୁଳି ବିନିମୟରେ ମାଲକାନଗିରି ସୋରିଷପଦର ଅଞ୍ଚଳର ଡିଭିଏଫ୍ ଯବାନ ଜୟରାମ କବାସୀ ସହିଦ୍ ହୋଇଛନ୍ତି । ଆହତ ହୋଇଥିବା ଅନ୍ୟ ଜଣେ ଯବାନ ରାମ ଦୁରୁଆଙ୍କୁ ହେଲିକପ୍ଟର ଯୋଗେ ଅଧିକ ଚିକିତ୍ସା ପାଇଁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି ।ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତିି । ମୃତ ଯବାନଙ୍କ ନାଁ ଜୟରାମ କବାସୀ । ଆହତ ଯବାନ ଜଣଙ୍କ ହେଲେ ରାମ ଦୁରୁଆ । ଗୁରୁତର ଅବସ୍ଥାରେ ରାମଙ୍କୁ ସ୍ୱତନ୍ତ୍ର ହେଲିକପ୍ଟରରେ ବିଶାଖାପାଟଣାର ଏକ ଡାକ୍ତରଖାନାକୁ ନିଆଯାଇଛି । ତାଙ୍କ ଘର ମାଲକାନଗିରି ଥାନା ଚାଲାଣଗୁଡା ପଞ୍ଚାୟତର ଗନ୍ଧିପାଲ୍ଲି ଗ୍ରାମରେ । ମାଓ କ୍ୟାମ୍ପରୁ ଗୋଟିଏ ଏକେ-୪୭ ରାଇଫଲ, ଗୋଟିଏ ଥ୍ରୀ ନଟ୍ ଥ୍ରୀ ବନ୍ଧୁକ, ବିପୁଳ ଗୋଳାବାରୁଦ ଏବଂ ବହୁମାଓ କିଟ୍ ଜବତ ହୋଇଛି ।
ଏନକାଉଣ୍ଟର ସମ୍ପର୍କରେ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଡିଜିପି ବିଜୟ କୁମାର ଶର୍ମା କହିଛନ୍ତି, ଗୁଳି ବିନିମୟ ଅଞ୍ଚଳର ବିଭିନ୍ନ ସ୍ଥାନରେ ରକ୍ତଛିଟା ଥିବାରୁ ଆଖପାଖରେ ଆହୁରି କିଛି ମାଓବାଦୀ ନିହତ କିମ୍ବା ଆହତ ଅବସ୍ଥାରେ ଥିବା ଅନୁମାନ କରାଯାଉଛି । ଦୁର୍ଦ୍ଦାନ୍ତ ରାକେଶ ନିହତ ହେବା ଘଟଣା ପୁଲିସ୍ର ମନୋବଳ ବୃଦ୍ଧି କରିଛି । ନିହତ ମାଓ କମାଣ୍ଡର୍ ରାକେଶ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ ଆଦି ରାଜ୍ୟରେ ବହୁ ମାଓ କାର୍ଯ୍ୟକଳାପ ଓ ହିଂସାକାଣ୍ଡରେ ସମ୍ପୃକ୍ତ ଥିଲା । ୨୦୦୮ରେ ମାଲକାନଗିରି ଜିଲ୍ଲା ଏମ୍ଭି-୧୬ରେ ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣ ଘଟାଇବାରେ ସେ ସମ୍ପୃକ୍ତ ଥିଲା । ଏହି ବିସ୍ଫୋରଣରେ ୧୭ ଜଣ ଯବାନ ସହିଦ୍ ହୋଇଥିଲେ । ସେହିପରି ୨୦୧୦ରେ କୋରାପୁଟରେ ୧୭ ଜଣ ଯବାନ ସହିଦ୍ ହେବା ଘଟଣା, ୨୦୧୨ରେ ମାଲକାନଗିରିରେ ବିଏସ୍ଏଫ୍ର ୩ ଜଣ ଯବାନ ସହିଦ୍ ହେବା ଘଟଣା, ମାଲକାନଗିରି ଖଇରିପୁଟରେ ସବ୍ଇନ୍ସପେକ୍ଟର ସହିଦ୍ ହେବା ଘଟଣା, ଆନ୍ଧ୍ରପ୍ରଦେଶ ଆରକୁ ବିଧାନସଭା କ୍ଷେତ୍ରର ବିଧାୟକ ଓ ପୂର୍ବତନ ବିଧାୟକଙ୍କ ହତ୍ୟାକାଣ୍ଡ, ଏସ୍ଓଜି ଓ ବିଏସ୍ଏଫ୍ ଯବାନଙ୍କ ଉପରେ ହମ୍ଲା କରିବା, ଉପାନ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣ କରିବା ଭଳି ଘଟଣାରେ ମୃତ ରାକେଶର ସକ୍ରିୟ ସମ୍ପୃକ୍ତି ଥିଲା ।

ଆଗକୁ ମାଓ ଦମନ କାର୍ଯ୍ୟକୁ ଅଧିକ ସକ୍ରିୟ କରାଯିବ ବୋଲି ଡିଜିପି ଶ୍ରୀ ଶର୍ମା କହିଛନ୍ତି ।ଉଲ୍ଲେଖଯୋଗ୍ୟ, ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଏବଂ ବଣ୍ଡାଘାଟିରେ ମାଓବାଦୀଙ୍କ କ୍ୟାମ୍ପ ଚାଲିଥିବା ସଂପର୍କରେ ଗୁଇନ୍ଦା ପକ୍ଷରୁ ଜିଲ୍ଲା ପୁଲିସ୍କୁ ଗତକାଲି ସୂଚନା ମିଳିଥିଲା । ନୂତନ ଏସପି ଋଷିକେଶ ଖିଲାରୀ ଡି ଙ୍କ ନେତୃତ୍ୱରେ ଡିଭିଏଫ ଏବଂ ଏସଓଜି ଯବାନମାନେ ମଙ୍ଗଳବାର ରାତିରୁ କମ୍ବିଂ ଅପରେସନରେ ଯାଇଥିଲେ । ଆଜି ଭୋର୍ ସମୟରେ ସ୍ୱାଭିମାନ ଅଞ୍ଚଳର ଡାବୁଗୁଡା ଜଙ୍ଗଲରୁ ଅପରେସନ ସାରି ଯବାନମାନେ ମୁଦୁଲିପଡ଼ା ଥାନା ବଣ୍ଡାଘାଟି ପାଖନାଗୁଡା ଜଙ୍ଗଲ ରାସ୍ତାରେ ଫେରୁଥିବା ସମୟରେ ହଠାତ୍ ମାଓବାଦଙ୍କ ସହିତ ମୁହାଁମୁହିଁ ହୋଇଥିଲେ ।
ଉଭୟ ପକ୍ଷ ମଧ୍ୟରେ ବହୁ ସମୟ ଧରି ଗୁଳି ବିନିମୟ ହୋଇଥିଲା । ଯବାନଙ୍କ ଗୁଳିରେ ମାଓନେତା ରାକେଶର ମୃତ୍ୟୁ ହେବା ପରେ ସାଥୀ ମାଓବାଦୀମାନେ ଆଖିବୁଜା ଗୁଳି ଚଳାଇଥିଲେ । ଏଥିରେ ଡିଭିଏଫ ଯବାନ ଜୟରାମ ଘଟଣାସ୍ଥଳରେ ଟଳି ପଡ଼ିଥିଲେ ଏବଂ ରାମ ଦୁରୁଆ ଗୁରୁତର ହୋଇଥିଲେ । ଏହାପରେ ଯବାନମାନଙ୍କ ଆକ୍ରମଣର ସାମ୍ନା କରିନପାରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲରେ ଖସି ଯାଇଥିଲେ । ଆହତ ଏବଂ ସହିଦ ଯବାନଙ୍କୁ ସାଥୀମାନେ ପାହାଡ଼ିଆ ଏବଂ ଜଙ୍ଗଲ ରାସ୍ତା ଭିତର ଦେଇ କାନେ୍ଧଇ କାନେ୍ଧଇ ଘାଟି ତଳକୁ ଆଣିଥିଲେ । ପ୍ରଥମେ ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆହତ ରାମଙ୍କ ଚିକିତ୍ସା କରାଇଥିଲେ । ପରେ ଆମ୍ବୁଲାନ୍ସରେ ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରୁ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ବିଶାଖାପାଟଣା ହସପିଟାଲକୁ ନିଆଯାଇଥିବା ଜଣାପଡିଛି ।

ସହିଦ ଯବାନ ଏବଂ ନିହତ ମାଓବାଦୀର ମୃତଦେହକୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟକୁ ଅଣାଯାଇ ବ୍ୟବଚ୍ଛେଦ କରାଯାଇଛି । ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ସଫିନ ଅହମ୍ମଦ କେ ମାଲକାନଗିରି ପୁଲିସ ମୁଖ୍ୟାଳୟରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ସହିଦ ଯବାନ ଜୟରାମଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସହ ସହିଦ ସଲାମୀ ଦିଆଯାଇଥିଲା । ପରେ ଏକ ସ୍ୱତନ୍ତ୍ର ଗାଡ଼ିରେ ତାଙ୍କ ମରଶରୀରକୁ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା । ସହିଦ ଜୟରାମ ଅମର ରହେ ସ୍ଳୋଗାନ ଦିଆଯାଇ ତାଙ୍କ ନିଜ ଗାଁ ସିନ୍ଧ୍ରିମାଳ ପଞ୍ଚାୟତର ସୋରିଷମାଳକୁ ନିଆଯାଇଥିଲା । ଶୋଭାଯାତ୍ରାରେ ଡିଆଇଜି ସଫିନଙ୍କ ସହ ଏସ୍ପି ଶ୍ରୀ ଖିଲାରୀ, ସହକାରୀ ଏସ୍ପି ଉଦ୍ଧବ ଚରଣ ନାୟକ ସାମିଲ ହୋଇଥିଲେ ।
ଉଲ୍ଲେଖଯୋଗ୍ୟ, ସହିଦ ଜୟରାମ ଥିଲେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ତାଙ୍କ ମୃତ୍ୟୁରେ ସଂପୂର୍ଣ୍ଣ ବେସାହରା ହୋଇପଡ଼ିଛନ୍ତି ବୃଦ୍ଧ ବାପା ଡମୁ କବାସୀ(୬୧), ମାଆ ହରିବାଳା କାବସୀ, ସ୍ତ୍ରୀ ଚମ୍ପା କବାସୀ(୨୨) ଓ ଗୋଟିଏ ଦୁଇ ବର୍ଷର ଝିଅ ଲଭଲି । ସେମାନଙ୍କ ଆଖିରୁ ଲୁହ ଶୁଖୁନି ।
Comments are closed, but trackbacks and pingbacks are open.