ପୁରୀ: ଏମାର ମଠ ଉଚ୍ଛେଦ ଚାଲିଛି । ମଠର ପ୍ରାୟ ୪୦ ପ୍ରତିଶତ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି । ଏମାର ମଠ ସଂମ୍ପୂର୍ଣ୍ଣ ଭାବେ ଭାଙ୍ଗିବାକୁ ସମୟ ଲାଗିବ । ତେବେ ମଠ ଜାଗାରେ ଅନେକ ଗୁପ୍ତ କୋଠରିର ସନ୍ଧାନ ମିଳିଛି । କେହି ଏହାକୁ ଗୁପ୍ତ ସୁଡ଼ଙ୍ଗ କହୁଥିବା ଦେଉଥିବା ବେଳେ ଆଉ କେହି ଏହାକୁ ମଠର ଧାନ କୋଠି କହୁଛନ୍ତି ।
ତେବେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିବାରୁ ସଂପୂର୍ଣ୍ଣ ଘଟଣା ଉପରୁ ପରଦା ହଟିପାରିନି । ଫଳରେ ଏନେଇ ଉତ୍କଣ୍ଠା ବଢିଯାଇଛି । ଉଚ୍ଛେଦ ବେଳେ ମାଟିମଣ୍ଡପ ସାହି ଦିଗରେ ମଠ ପରିସରରେ ଦେଖିବାକୁ ମିଳିଛି ୬ଟି ଖମାର ଘର ।

ପୁରାତନ ଖାଦ୍ୟ ଶସ୍ୟଭଣ୍ଡାର ନିର୍ମାଣ ଶୈଳୀରେ ନିର୍ମିତ ଏହି ଖମାରଗୁଡିକ ତିନି ତାଲା ବିଶିଷ୍ଟ । ଏଭିତରୁ ୩ଟି ଘର ଭଙ୍ଗାଯିବା ବେଳେ ଭୂତଳ ରାସ୍ତା ନେଇ ଚର୍ଚ୍ଚା ଉଠିଥିଲା । ଉପସ୍ଥିତ କର୍ମଚାରୀ କିଛି ବାଟ ଏହି ରାସ୍ତାରେ ଯିବା ପରେ ଚାରିଆଡ ଅନ୍ଧାର ଥିଲା । ସାଙ୍ଗରେ ସ୍ନେକ ହେଲପ ଲାଇନ୍ ସଦସ୍ୟ ଥିଲେ ମଧ୍ୟ କେହି ଭିତରକୁ ଯିବାକୁ ସାହସ କରିନଥିଲେ । ପ୍ରତି ଖମାର ଘରେ ରହିଛି ଦୁଇଟି ଜଳା କବାଟ । ଏସବୁ ଖମାର ଦୁର୍ଭିକ୍ଷ ବେଳେ ଖାଦ୍ୟ ଶସ୍ୟ ଯୋଗାଉଥିଲା ।
ମାଟିତଳେ ଆହୁରି ଅନେକ ଗୁପ୍ତ କୋଠରି ଥିବା ଦେଖିବାକୁ ମିଳିଛି । ସନ୍ଦେହରେ କିଛି କୋଠରିକୁ ପ୍ରଶାସନ ଜେସିବି ଲଗାଇ ଭାଙ୍ଗିଥିଲେ ବି ସେଥିରୁ କିଛି ସନ୍ଦେହଜନକ ଜିନିଷ ମିଳିନାହିଁ। ତେବେ କିଛି କୋଠରି ଏଯାବତ ଭଙ୍ଗା ଯାଇନଥିବାରୁ ଏହା ଉପରେ ସମସ୍ତଙ୍କର ଦୃଷ୍ଟି ରହିଛି। ଗୁପ୍ତ କୋଠରୀ ଅଧିକ ତଳକୁ ଲମ୍ବିଥିବା ଅନୁମାନ କରାଯାଉଛି । କେବଳ ମଠ ମହନ୍ତଙ୍କ କୋଠରି ଓ ଏହାର ପାଖ କିଛି କୋଠରି ବାକି ରହିଛି । ବାହାରେ ବୁଲଡୋଜର ଚାଲିଥିବା ବେଳେ ମଠ ଭିତରେ ବସି ରହିଛନ୍ତି ମଠ ମହନ୍ତ । ସେ ତାଙ୍କ ଜାଗାରୁ ଉଠୁ ନାହାନ୍ତି । ଉଚ୍ଛେଦ ପ୍ରକ୍ରିୟାରେ ସହଯୋଗ କରୁନାହାନ୍ତି । ତେଣୁ ମହନ୍ତ ବସି ରହିଥିବା ଜାଗା ଭଙ୍ଗା ଗଲେ ଗୁପ୍ତଧନ ମିଳିପାରେ ବୋଲି ସନ୍ଦେହ କରାଯାଉଛି ।
Comments are closed, but trackbacks and pingbacks are open.