ବଲଦିଆମାଲ,(ବି.ବି.ନୁ୍ୟଜ୍): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ମଥୁରା ଛକ ନିକଟରେ ବସ୍ ଧକ୍କାରେ ଜଣେ ନାବାଳକର ମୃତୁ୍ୟ ହୋଇଛି । ନାବାଳକ ଜଣକ ଫୁଲ ତୋଳିବାକୁ ଯାଇ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏହାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବାବେଳେ ବସ୍ ମାଲିକ କ୍ଷତିପୂରଣ ଦେବାକୁ ରାଜି ହେବାରୁ ସ୍ଥିତି ଶାନ୍ତ ପଡ଼ିଥିଲା ।
ସୂଚନାମତେ, ଜୁନାଗଡ଼ ଥାନା ମଥୁରା ଗାଁର ବିଶିକେସନ ବଗର୍ତ୍ତିଙ୍କ ପୁଅ ନିଲୁ ବଗର୍ତ୍ତି(୧୨) ମଥୁରା ଛକ ନିକଟରେ ଫୁଲ ତୋଳି ଫେରୁଥିବାବେଳେ ମୁଖିଗୁଡ଼ାରୁ ବଲାଙ୍ଗୀର ଅଭିମୁଖେ ଯାଉଥିବା କପିଲେଶ ନାମକ ଘରୋଇ ବସ୍ (ଡି ୦୩ ଏଚ୍ ୦୩୩୪) ତା ଉପରକୁ ମାଡ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ବାଳକର ମୃତୁ୍ୟ ହୋଇଥିଲା । ଦୁର୍ଘଟଣା ପରେ ମୃତକଙ୍କ ପରିବାର ସହ ସ୍ଥାନୀୟ ଲୋକେ ଶବ ରଖି ଦୀର୍ଘ ୫ଘଣ୍ଟା ଧରି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଜୁନାଗଡ଼ ଥାନା ଅଧିକାରୀ ପ୍ରଭାତ ଚନ୍ଦ୍ର ସେଠି ଘଟଣାସ୍ଥଳରେ ପହଞ୍ଚି ବସ୍ ମାଲିକ ଏବଂ ମୃତକଙ୍କ ପରିବାରଙ୍କ ସହ ଆପୋଷ ବୁଝାମଣା କରିଥିଲେ । କ୍ଷତିପୂରଣ ଦେଢ଼ ଲକ୍ଷ ଟଙ୍କା ଦେବାକୁ ବସ୍ ମାଲିକ ରାଜି ହେବାରୁ ରାସ୍ତାରୋକ ହଟିଥିଲା । ଦୁର୍ଘଟଣା ଘଟାଇଥିବା ବସ୍କୁ ଜୁନାଗଡ଼ ଥାନାରେ ଅଟକ ରଖାଯାଇଛି । ଏକ ଅପମୃତୁ୍ୟ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି । ଅପରାହ୍ନରେ ଶବ ବ୍ୟବଚ୍ଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା ।
Comments are closed, but trackbacks and pingbacks are open.