ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଦଶନ୍ଧି ଦଶନ୍ଧି ଧରି ରାଜୁତି କରୁଥିବା ପଲିଥିନ ଯୁଗର ଏକପ୍ରକାର ଅବସାନ ହେବାକୁ ଯାଉଛି । ପଲିଥିନଜନିତ ପ୍ରଦୂଷଣର ବିଷ ବଳୟରୁ ମୁକୁଳିବାକୁ ଯାଉଛନ୍ତି ଲୋକେ । କେବଳ ଲୋକେ ଆଉଟିକେ ସଚେତନ ହୋଇଗଲେ ପୂରା ବନ୍ଦ ହୋଇଯିବ ପଲିଥିନ । ଏହାର ବିକଳ୍ପ ଭାବେ ପୁଣି ମାଟି ପାତ୍ର ଆଗକୁ ଆସିଛି । ନବରଙ୍ଗପୁର ସହରର ଜାଇକା ଫୁଡପାର୍ଲର ପକ୍ଷରୁ ମାଟିପାତ୍ର ଓ ଶିଆଳି ପତ୍ରରେ ଖାଦ୍ୟ ପଦାର୍ଥ ପ୍ୟାକିଂ ଏବଂ ପାର୍ସଲ କରାଯାଉଛି । ହୋଟେଲ ମାଲିକ ବବ୍ଲୁ ଦାସ ଉଭୟ ତରଳ ଓ କଠିନ ପଦାର୍ଥ ପାଇଁ ଛୋଟ ଛୋଟ ମାଟିପାତ୍ର ବ୍ୟବହାର କରୁଛନ୍ତି । ବିରିୟାନି ଏବଂ ଭାତ ପାର୍ସଲ ପାଇଁ ୫ ଟଙ୍କାର ମାଟିପାତ୍ରରେ ଶିଆଳି ପତ୍ର ଦିଆଯାଇ ପ୍ୟାକିଂ କରାଯାଉଛି । ଅନ୍ୟାନ୍ୟ ତରକାରୀକୁ ମଧ୍ୟ ୪ ଟଙ୍କିଆ ଏବଂ ୨ ଟଙ୍କିଆ ମାଟିପାତ୍ରରେ ପ୍ୟାକିଂ କରାଯାଇ ବିକ୍ରି କରାଯାଉଛି । ତେଣୁ ବବ୍ଲୁଙ୍କ ଭଳି ଅନ୍ୟ ବ୍ୟବସାୟୀମାନେ ମାଟିପାତ୍ରର ବ୍ୟବହାର କରିବା ଦରକାର । ତାହେଲେ ଖାଦ୍ୟ ସୁରକ୍ଷିତ ରହିବା ସହ କୁମ୍ଭାର ସଂପ୍ରଦାୟର ଲୋକେ ବି ଭଲ ଦି ପଇସା ରୋଜଗାର କରିପାରିବେ । ସେମାନଙ୍କ ବୁଡ଼ିଯାଉଥିବା ବେଉସା ପୁଣିଥରେ ବଞ୍ଚି ପାରିବ । ଏହା ସେମାନଙ୍କ କୌଳିକ ବୃତ୍ତିକୁ ବଞ୍ଚାଇବାରେ ସହାୟକ ହେବ ।
ପଲିଥିନ୍ ସଂପୂର୍ଣ୍ଣ ବନ୍ଦ ହେବା ଦରକାର । ଏହାହେଲେ ପରିବେଶ ସୁସ୍ଥ ରହିବ, ପ୍ରଦୂଷଣର ବଳୟରୁ ଲୋକେ ନିସ୍ତାର ପାଇବେ । ପୁଣିଥରେ ଫେରିପାରିବ ମାଟିପାତ୍ରର ଯୁଗ । କାରଣ ପ୍ଲାଷ୍ଟିକ ପାତ୍ର, ପଲିଥିନ ଉପରେ ଲୋକେ ଏତେ ନିର୍ଭରଶୀଳ ହୋଇପଡ଼ିଥିଲେ ଯେ, କୁମ୍ଭାର ସଂପ୍ରଦାୟର କୌଳିକ ବୃତ୍ତି ସଙ୍କଟକୁ ଚାଲିଯାଇଥିଲା । ପଲିଥିନ ଉପରେ ସରକାର କଟକଣା ଜାରି କରିବା ପରେ ଏବେ କୁମ୍ଭାର ସଂପ୍ରଦାୟରେ ଆଶା ଉଜ୍ଜୀବୀତ ହୋଇଛି । ପୁଣିଥରେ ସେମାନେ ମାଟିପାତ୍ର ଆଡ଼କୁ ମୁହାଁଇବା ଆରମ୍ଭ କରିଛନ୍ତି । ଯଦି ଚା’ ବିକାଳିଙ୍କଠାରୁ ଆରମ୍ଭ କରି ହେଟେଲ ବ୍ୟବସାୟ କରୁଥିବା ମାଲିକମାନେ ମାଟିପାତ୍ରକୁ ପ୍ରାଥମିକତା ଦିଅନ୍ତେ, ତାହେଲେ ବିଷ ବୟଳରୁ ଆମକୁ ମୁକ୍ତି ମିଳିପାରନ୍ତା ବୋଲି କହିଛନ୍ତି ବୁଦ୍ଧିଜୀବୀ ।
Comments are closed, but trackbacks and pingbacks are open.