ସୁନ୍ଦରଗଡ଼,(ବି.ବି.ନୁ୍ୟଜ୍): ସଦର ଥାନା ଛକ ନିକଟରେ ଆଜି ଦିନ ପ୍ରାୟ ୧୨ଟା ସମୟରେ ୧୨ ଚକିଆ ଟ୍ରକ୍ ଧକ୍କାରେ ଏନ୍ଟିପିସିର ଦୁଇ କର୍ମଚାରୀଙ୍କ ମୃତୁ୍ୟ ଘଟିଛି । ମୃତକ ଦ୍ୱୟ ହେଲେ ଛତିଶଗଡ଼ ବିଲାସପୁର ଅଞ୍ଚଳର ସସ୍ମିତା କବିରାଜ (୨୪) ଏବଂ ଉତ୍ତର ପ୍ରଦେଶ ଗୋରଖପୁର ଅଞ୍ଚଳ ନିବାସୀ ସୂର୍ଯ୍ୟକାନ୍ତ (୨୬) ।
ଏନ୍ଟିପିସିର ଦର୍ଲିପାଲି ଅଫିସର କଲୋନୀରେ ସସ୍ମିତା ଓ ସୂର୍ଯ୍ୟକାନ୍ତ ରହୁଥିଲେ । ୨୦୧୮ ମସିହାରେ ଏହି ଦୁଇ ଜଣ ନିଯୁକ୍ତି ପାଇବା ପରେ ଟ୍ରେନିଂରେ ଅଛନ୍ତି । ନୂଅାଁଖାଇ ପାଇଁ ଆଜି ଛୁଟି ଥିବାରୁ ସୂର୍ଯ୍ୟକାନ୍ତ ଓ ସସ୍ମିତା ଏକ ସ୍କୁଟି (ଟିଏସ୍୨୨ଏ ୭୪୮୧) ଯୋଗେ ସକାଳୁ ସୁନ୍ଦରଗଡ଼କୁ ମାର୍କେଟିଂ ପାଇଁ ଆସିଥିଲେ । ମାର୍କେଟିଂ ସରିବା ପରେ ସେମାନେ ଘରକୁ ଫେରୁଥିଲେ । ଏମ୍ସିଏଲ୍ରୁ କୋଇଲା ବୋଝେଇ କରି ଏକ ଟ୍ରକ୍ (ଓଡି୧୬ଡି ୩୯୪୧) ଆସୁଥିବା ବେଳେ ଅନ୍ୟ ଏକ ଟ୍ରକ୍କୁ ଓଭରଟେକ କରିବା ସମୟରେ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ସୂର୍ଯ୍ୟକାନ୍ତ ଓ ସସ୍ମିତା ଛିଟିକି ପଡ଼ିଥିଲେ । ଫଳରେ ସେମାନଙ୍କ ଉପରେ ଟ୍ରକ୍ଟି ଚଢ଼ି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ସେମାନଙ୍କ ମୃତୁ୍ୟ ଘଟିଥିଲା । ଖବର ପାଇ ସଦର ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଦ୍ୱୟକୁ ଜବତ କରି ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାର ମର୍ଗ ହାଉସରେ ରଖିଛି । ସେମାନଙ୍କ ପରିବାର ଲୋକେ ଏଠାରେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ୍ କହିଛି । ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ପୁଲିସ୍ ଜବତ କରି ଘଟଣାର ତଦନ୍ତ ଚଳାଇଛି ।
Comments are closed, but trackbacks and pingbacks are open.