କଟକ,(ବି.ବି.ନୁ୍ୟଜ୍): ଟ୍ରାଫିକ ଜରିମାନା ନେଇ ଦ୍ୱୈତ ନଗରୀ କଟକ-ଭୁବନେଶ୍ୱରରେ ଗାଡ଼ି ଚାଳକଙ୍କ ମନରେ ଛନକା ପଶିଛି । ଲୋକେ ରାସ୍ତାକୁ ଗାଡ଼ି ନେଇ ଯିବାକୁ ଭୟ କରୁଛନ୍ତି । ଟ୍ରାଫିକ ପୁଲିସକୁ ନେଇ ନକାରାତ୍ମକ ମାନସିକତା ମଧ୍ୟ ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ପୁଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ପୁଲିସର ଆଭିମୁଖ୍ୟ ନେଇ ସଫେଇ ଦେଇଛନ୍ତି । କମିସନର ଡକ୍ଟର ଷଡ଼ଙ୍ଗୀ କହିଛନ୍ତି ଯେ, ଦେଶରେ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି କରାଯାଉଛି । ସେହି କ୍ରମରେ କମିସନରେଟ୍ ପୁଲିସ ଅଞ୍ଚଳରେ ଏହି ନୂଆ ନିୟମ କାର୍ଯ୍ୟକାରୀ ହେଉଛି । ମାତ୍ର ଜରିମାନା ଆଦାୟ ଆଳରେ ପୁଲିସ କାହା ଉପରେ ଜୁଲମ କରୁନାହିଁ । ଜରିମାନା ଆଦାୟ ପୁଲିସର ଲକ୍ଷ୍ୟ ନୁହେଁ, ନିୟମ କାର୍ଯ୍ୟକାରୀ କରିବା ଓ ଲୋକଙ୍କୁ ସଚେତନ କରିବା ପୁଲିସର ଉଦେ୍ଧଶ୍ୟ ବୋଲି ଶ୍ରୀ ଷଡ଼ଙ୍ଗୀ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
କମିସନର କହିଲେ ଯେ, ଟ୍ରାଫିକ୍ ନିୟମକୁ ଆମେ ସମସ୍ତେ ଟିକେ ହାଲୁକା ଭାବେ ନେଉଥିଲେ । ମାତ୍ର ଏହାକୁ ଏବେ କଡ଼ାକଡ଼ି କରାଯାଉଛି । ଖାସ୍ କରି କଟକ-ଭୁବନେଶ୍ୱର ପୁଲିସ ଏହାକୁ ଲାଗୁ କରିବା ନେଇ ଜୋରଦାର ପ୍ରୟାସ କରୁଛି । ଏହା ସମସ୍ତଙ୍କ ପାଇଁ ଶୁଭଙ୍କର । ହେଲେ ପୁଲିସ ଏବେ ଜୁଲମ କଲା ଭଳି କାହାଠାରୁ ବଡ଼ ପରିମାଣ ଅର୍ଥ ଜରିମାନା ଆକାରରେ ଆଦାୟ କରୁନି । ଓଡ଼ିଶା ଅର୍ବାନ ପୁଲିସିଂ ଆକ୍ଟରେ ସର୍ବାଧିକ ୧ ହଜାର ଟଙ୍କା ଆଦୟ କରାଯାଉଛି । ଲୋକଙ୍କୁ ଏକ ସୁଯୋଗ ଦିଆଯାଉଛି, ଯେପରି ସୁଧୁରିଯିବେ ଓ ଆଗକୁ ନିୟମ ମାନିବେ । ଗଲା ୫ ଦିନ ମଧ୍ୟରେ ଦୁଇ ସହରରେ ୧୧୧୩ ଜଣଙ୍କଠାରୁ ଜରିମାନା ଆଦାୟ ହୋଇଛି । କେବଳ ଦୁଇ ଜଣ ବ୍ୟକ୍ତିଙ୍କଠାରୁ ୫ ହଜାର କରି ଜରିମାନା ନିଆଯାଇଛି । ଜଣେ ମୋବାଇଲ୍ରେ କଥା ହୋଇ ଗାଡ଼ି ଚଳାଉଥିଲେ ଅନ୍ୟ ଜଣେ ମଦ ପିଇଥିଲେ । ଯେଉଁ ବଡ଼ ପରିମାଣରେ ଜରିମାନା ଆଦାୟ ହୋଇଛି ବୋଲି ଚର୍ଚ୍ଚା ହେଉଛି ତାହା ପରିବହନ ବିଭାଗ ପକ୍ଷରୁ କରାଯାଉଛି ।
ସେ କହିଲେ ଯେ, ଟ୍ରାଫିକ୍ ନିୟମକୁ ଖୋଦ୍ ପୁଲିସ କର୍ମଚାରୀମାନେ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ବାଇକ୍ ଚଲାଉଥିବା ବେଳେ ହେଲ୍ମେଟ୍ ଓ ପିସିଆର୍ କିମ୍ବା ପୁଲିସ ଗାଡ଼ି ଚଲାଉଥିଲେ ସିଟ୍ ବେଲ୍ଟ ବାଧ୍ୟତାମୂଳକ । ଏଥିରେ ବ୍ୟତିକ୍ରମ ହେଲେ ବିଭାଗୀୟ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ । ବାଇକ୍ରେ ବାପା ମାଆ ଯାଉଥିଲେ ୧୨ ବର୍ଷ ପର୍ଯ୍ୟନ୍ତ ପିଲାକୁ ସାଙ୍ଗରେ ନେଇ ଯାଇପାରିବେ । କଟକ ହେଉ ବା ଭୁବନେଶ୍ୱର ସୋରୁମ୍ ସମ୍ମୁଖରେ ରହୁଥିବା ଗାଡ଼ିକୁ ଠିକ୍ ଢଙ୍ଗରେ ପାର୍କିଂ ପାଇଁ ଖୋଦ୍ ଦୋକାନ ମାଲିକ ବ୍ୟବସ୍ଥା କରିବେ । ନିଜସ୍ୱ କର୍ମଚାରୀ ନିୟୋଜିତ କରିବେ । ଏନେଇ ସବୁ ସୋରୁମ୍କୁ ସ୍ଥାନୀୟ ଥାନା ପକ୍ଷରୁ ନୋଟିସ୍ ଜାରି ହୋଇଛି । ବର୍ତ୍ତମାନ କଟକରେ କେବଳ ଜାତୀୟ ରାଜପଥ ଓ ରିଂ ବନ୍ଧରେ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଉଛି । ପରେ ଏହି ବ୍ୟବସ୍ଥା ସହର ଭିତରକୁ ଲାଗୁ କରାଯିବ । ସ୍କୁଲ୍ ପିଲାମାନେ ଜମାବି ଗାଡ଼ି ଚଲାନ୍ତୁ ନାହିଁ । ଯାଞ୍ଚ ବେଳେ ସେମାନେ ଧରାପଡ଼ିଲେ ତାଙ୍କ ଅଭିଭାବକଙ୍କୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ । ଦରକାର ହେଲେ ୩ ମାସ ଜେଲ୍ ମଧ୍ୟ ଯିବେ । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଧରାପଡ଼ିଥିବା ଛାତ୍ର ଜଣକ ୨୫ ବର୍ଷ ବୟସ ପର୍ଯ୍ୟନ୍ତ ଆଉ ଡ୍ରାଇଭିଙ୍ଗ୍ ଲାଇସେନ୍ସ ପାଇପାରିବେ ନାହିଁ । ସଂପୂର୍ଣ୍ଣ ବ୍ୟବସ୍ଥାକୁ ଲାଗୁ କରିବାରେ ପୁଲିସ ସମସ୍ତଙ୍କର ସହଯୋଗ ଲୋଡୁଛି ବୋଲି କମିସନର ଡକ୍ଟର ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି ।
Comments are closed, but trackbacks and pingbacks are open.