ପୁରୀ,(ବି.ବି.ନୁ୍ୟଜ୍): ଆମିକସ୍ କୁ୍ୟରି ଓ ସଲିସିଟର ଜେନେରାଲଙ୍କ ପୁରୀ ଗସ୍ତ ପରେ ଶ୍ରୀମନ୍ଦିର ଚୌହଦି ୭୫ ମିଟର ମଧ୍ୟରେ ଥିବା ବିପଦସଙ୍କୁଳ କୋଠା ଭଙ୍ଗା ଜୋର ଧରିଛି । ଗତରାତିରୁ ଉଚ୍ଛେଦ ପ୍ରସ୍ତୁତି ଚାଲିଥିଲା ।
ସନ୍ଥ ରାମାନନ୍ଦ ସଂପ୍ରଦାୟର ବଡ ଆଖଡ଼ା ମଠ ଉପରେ ଆଜି ବୁଲ୍ଡୋଜର ଚାଲିଛି । ୪ଦିନର ନିରବତା ପରେ ଉଚ୍ଛେଧ ଅଭିଯାନ ପୁଣି ଚାଲିଛି । ବଡ଼ଆଖଡ଼ା ମଠ ସାମନାରେ ଥିବା ୩୬ ଦୋକାନ ଘର ମଧ୍ୟରୁ ୩୧ଟି ଆଜି ଭଙ୍ଗାଯାଇଛି । ବାକି ଦୋକାନ ସାମନାରେ ଗଣେଶ ମେଢ଼ ବସିଥିବାରୁ ଆଜି ରାତି କିମ୍ବା ଆସନ୍ତାକାଲି ସକାଳୁ ଭଙ୍ଗାଯିବାକୁ ପ୍ରଶାସନ ପ୍ରସ୍ତୁତି ଚଳାଇଛି । ଆଜି ଭୋର ସାଢେ଼ ୭ଟାରୁ ପ୍ରଶାସନର ଉଚ୍ଛେଦ ଆରମ୍ଭ ହୋଇଥିଲା । ଆଠଟି ବୁଲ୍ଡୋଜର ଲାଗିଥିଲା । ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ଉଚ୍ଛେଦ ଆରମ୍ଭ ହୋଇଥିଲା । ଦୁଇଟି ସିଫ୍ଟରେ ୨୪ ପ୍ଳାଟୁନ୍ ପୁଲିସ ଫୋର୍ସ ଉଚ୍ଛେଦ ସ୍ଥାନକୁ ଘେରି ରହିଥିଲେ । ଶାନ୍ତିଶୃଙ୍ଖଳାର ସହ ଉଚ୍ଛେଦ ସମ୍ପନ୍ନ ହୋଇଥିଲା ।
ବିପଦସଙ୍କୁଳ ମଠ ସମ୍ପୂର୍ଣ୍ଣ ଭଙ୍ଗାଗଲେ ଶ୍ରୀମନ୍ଦିର ପୂର୍ବ-ଉତ୍ତର କୋଣରୁ ବଡଦାଣ୍ଡକୁ ଲମ୍ବି ଯାଇଥିବା ରାସ୍ତା କଡରେ ୫୦୬ ଡିସିମିଲ (୫.୦୬ ଏକର) ଜମି ଖାଲି ହେବ । ମଠ ସାମନାରୁ ଭଙ୍ଗା ଯାଇଥିବା ବିପଦସଙ୍କୁଳ କୋଠାଗୁଡିକ ଏକଦା ଦେଶର ବିଭିନ୍ନ ପ୍ରାନ୍ତରୁ ପୁରୀ ଆସୁଥିବା ନାଗା ବାବାଙ୍କ ଆଶ୍ରୟ ସ୍ଥଳ ରହିଥିଲା । ମଠର ବିପଦସଙ୍କୁଳ କୋଠାଗୁଡିକୁ ଭଙ୍ଗାଯାଉଛି । ମଠ ମହନ୍ତ ରହୁଥିବା ନୂତନ ଦୁଇ ମହଲା କୋଠାକୁ (ଦୁଇ ମହଲାର ଦଶ ପ୍ରକୋÂ) ବର୍ତ୍ତମାନ ଉଚ୍ଛେଦ କରାଯାଉ ନାହିଁ ।
ମଠ ପରିସରରେ ରହିଛି ମଠର ପ୍ରତିÂାତା ଯୋଗ ମୂଦ୍ରାରେ ବସିଥିବା ଜଗତଗୁରୁ ସ୍ୱାମୀ ରାମାନନ୍ଦ ଆଚାର୍ଯ୍ୟଙ୍କ ପୂର୍ଣ୍ଣାବୟବ ପିତ୍ତଳ ମୂର୍ତ୍ତି । ତା ସହ ମଠ ମହନ୍ତଙ୍କ ଗାଦି, ମଠ ମୁଖ୍ୟ ମନ୍ଦିରରେ ବିଜେ ମଠ ଦେବତା ଶ୍ରୀରାମ ଲକ୍ଷ୍ମଣ ସୀତା, ନାଗା ଆଖଡାର ମୁଖ୍ୟ ଦେବତା ଶ୍ରୀହନୁମାନ, ଧାମାଧୀପତି ଶ୍ରୀଜଗନ୍ନାଥ, ଶାଳଗ୍ରାମ, ଚାରିଧାମ ଠାକୁର ପ୍ରତିନିଧିଙ୍କ ମନ୍ଦିର ସୁରକ୍ଷିତ ରହିଛି । ବଡ଼ଆଖଡ଼ାର ଏହି ସବୁ ଐତିହ୍ୟ ସମ୍ପନ୍ନ ସ୍ମୃତିକୁ ଉଚ୍ଛେଦ କରାଯିବ ନାହିଁ ବୋଲି ପ୍ରଶାସନ ସୂଚନା ଦେଇଛି । ଏହାକୁ ସୁରକ୍ଷିତ ରଖିବାକୁ ପ୍ରଶାସନ ଘୋଷଣା କରିଛି ।
ବଡ ଆଖଡ଼ା ମଠର ମହନ୍ତ ଶ୍ରୀମହନ୍ତ ହରି ନାରାୟଣ ଦାସ କହନ୍ତି ମଠ ସାମନାରେ ୩୦ ଦୋକାନ ଏବଂ ପଛରେ ୭ଟି ଦୋକାନ ନିର୍ମାଣ ହୋଇଥିଲା । ଦୋକାନ ଭଡ଼ା ଉପାର୍ଜନରୁ ମଠ ଚାଲିଥିଲା । ମଠ ସାମନାରେ ବର୍ତ୍ତମାନ ଦିଆଯାଇଥିବା ଦୋକାନଗୁଡିକ ପୂର୍ବରୁ ପୁରୀ ଆସୁଥିବା ନାଗା ବାବାମାନଙ୍କ ଆସ୍ଥାନ ଥିଲା । ଏହା ବ୍ୟତୀତ ସିଂହଦ୍ୱାର ପୁଲିସ ଥାନା ପାଇଁ ମଠ ଘରକୁ ଭଡା ଦିଆଯାଇଥିଲା । ଦୁଇ ମହଲା ବିଶିଷ୍ଟ ମଠରେ ମୋଟ ୮୫ଟି ପ୍ରକୋÂ ରହିଛି । ଅଗଣା ଛାଡି ମଠ ଛାତର ଇଲାକା ହେଉଛି ୧୮ ହଜାର ବର୍ଗ ଫୁଟ । ନାଗା ବାବାମାନଙ୍କ ଏହି ମଠ ପରିସର ଏବେ ପଦା ହୋଇ ଯାଇଛି । ପ୍ରଶାସନର ଉଚ୍ଛେଦ ଅଭିଯାନ ଆଗାମୀ ଦିନରେ ଜୋର ହେବ । ପ୍ରଥମେ ବିପଦସଙ୍କୁଳ ମଠ କୋଠା, ଘରୋଇ କୋଠା, ବେଆଇନ ନିର୍ମାଣ ଭଙ୍ଗାଯିବ । ଏହା ପରେ ଆପୋସ ଆଲୋଚନା ଜରିଆରେ ଶ୍ରୀମନ୍ଦିର ଚାରି ପାଖର ୭୫ ମିଟର ମଧ୍ୟରେ ଥିବା ଅନ୍ୟ କୋଠାଗୁଡିକୁ ଜମି ଅଧିଗ୍ରହଣ, ପୁନର୍ବାସ, ଥଇଥାନ ଆଇନ ମୁତାବକ ଭଙ୍ଗାଯିବାକୁ କାଗଜାତ ପ୍ରସ୍ତୁତି ଚାଲିଛି ।
Comments are closed, but trackbacks and pingbacks are open.