ଦୁଇ ପୁଅକୁ ଗଳାକାଟି ହତ୍ୟା ପରେ ରେଳ ଧାରଣାରେ ମା’ର ଆତ୍ମହତ୍ୟା!

Get real time updates directly on you device, subscribe now.

ଭବାନୀପାଟଣା,(ବି.ବି.ନୁ୍ୟଜ୍): ଜନ୍ମିତ ୨ ପୁଅକୁ ପ୍ରଥମେ ଗଳାକାଟି ହତ୍ୟା କଲା ମା’ । ଏହାପରେ ହତ୍ୟାକାରୀ ମା’ ରେଳ ଧାରଣାରେ ଟ୍ରେନ୍ ତଳେ ମୁଣ୍ଡ ଦେଇ ଆତ୍ମହତ୍ୟା କରିଛି । ମୃତକ ମହିଳା ଜଣକ ହେଲେ ସଦର ବ୍ଲକ୍ ସିଂଝରଣ ଗାଁର ଲିଙ୍ଗ ମାଝୀଙ୍କ ପତ୍ନୀ ବିମଳା ମାଝୀ (୩୨) । ତାଙ୍କର ୨ ପୁଅ ଦୁଷ୍ମନ୍ତ (୭) ଓ ରବୀନ୍ଦ୍ର(୨) । ଭବାନୀପାଟଣା ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗତକାଲି ନୂଅାଁଖାଇ ପର୍ବ ପାଳିତ ହୋଇଥିବାବେଳେ ରାତିରେ ସଦର ଥାନା ଅନ୍ତର୍ଗତ ସିଂଝରଣ ଗାଁରେ ଏଭଳି ଏକ ଚାଞ୍ଚଲ୍ୟକର ହତ୍ୟା ଓ ଆତ୍ମହତ୍ୟା ଘଟଣା ଘଟିଛି ।

ସଦର ବ୍ଲକ୍ ସଦର ଥାନା ଅଧୀନ ଫୁକଝୁଡ଼ି ଗାଁର ଶାନ୍ତି ମାଝୀଙ୍କ ଝିଅ ବିମଳାଙ୍କ ସହ ସିଂଝରଣ ଗାଁର ଲିଙ୍ଗ ମାଝୀଙ୍କର ୧୦ ବର୍ଷ ପୂର୍ବେ ବିବାହ ହୋଇଥିଲା । ସେମାନଙ୍କର ୨ ପୁଅ ଦୁଷ୍ମନ୍ତ ଓ ରବୀନ୍ଦ୍ର । ଗତ ୪ ମାସ ପୂର୍ବେ ଲିଙ୍ଗ ମାଝୀ ସେହି ଗାଁର ଜଣେ ବିବାହିତା ମହିଳା ରାଜଲକ୍ଷ୍ମୀ ବେମାଲଙ୍କୁ ଗାଁରୁ ନେଇ ଆସି ଭବାନୀପାଟଣାଠାରେ ବସବାସ କରୁଛନ୍ତି । ଏହି ଘଟଣାକୁ ନେଇ ୪ ମାସ ହେଲା ବିମଳା ଓ ଲିଙ୍ଗଙ୍କ ମଧ୍ୟରେ ମନୋମାଳିନ୍ୟ ଓ ପାରିବାରିକ ଅଶାନ୍ତି ଲାଗି ରହିଥିଲା । ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ୨ ପୁଅଙ୍କୁ ଗଳାକାଟି ହତ୍ୟା କରିବା ପରେ ଘରଠାରୁ ପ୍ରାୟ ୨ ଶହ ମିଟର ଦୂରରେ ଯାଇଥିବା ଲାଞ୍ଜିଗଡ଼ ରୋଡ-ଜୁନାଗଡ଼ ରେଳ ଧାରଣାରେ ରାୟପୁର ପ୍ୟାସେଞ୍ଜର ଟ୍ରେନ୍ ସାମ୍ନାରେ ବିମଳା ଆତ୍ମହତ୍ୟା କରିଛନ୍ତି ।

ସକାଳୁ ଏହି ଘଟଣା ଜଣାପଡ଼ିବା ପରେ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କଳାହାଣ୍ଡି ଏସ୍ପି ବାତୁଲା ଗଙ୍ଗାଧର ଘଟଣାସ୍ଥଳକୁ ଯାଇ ତଦନ୍ତର ଅନୁଧ୍ୟାନ କରିଛନ୍ତି । ସନ୍ଧାନୀ କୁକୁର ନେଇ ପୁଲିସ ଘଟଣାର ଛାନଭିନ୍ କରିବା ବେଳେ ଘଟଣାସ୍ଥଳରୁ ରକ୍ତ ଜୁଡ଼ୁବୁଡ଼ୁ ଏକ ଟାଙ୍ଗିଆ ଜବତ କରିଛି ।
ମୃତ ବିମଳାଙ୍କ ମା’ ଶାନ୍ତି ମାଝୀ ଏହା ଆତ୍ମହତ୍ୟା ନୁହେଁ ଯୋଜନାବଦ୍ଧ ଭାବେ ତାଙ୍କ ଝିଅ ଓ ୨ ନାତିଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ଥାନାରେ ଏତଲା ଦେଇଛନ୍ତି । ଏହି ମାମଲାରେ ପୁଲିସ ମୃତ ବିମଳାଙ୍କ ସ୍ୱାମୀ ଲିଙ୍ଗ ମାଝୀ, ଲିଙ୍ଗ ମାଝୀର ଦ୍ୱିତୀୟ ସ୍ତ୍ରୀ ରାଜଲକ୍ଷ୍ମୀ ବେମାଲ ଓ ରାଜଲକ୍ଷ୍ମୀଙ୍କ ପ୍ରଥମ ସ୍ୱାମୀ ଶିବ ବେମାଲଙ୍କୁ ଥାନାରେ ଅଟକ ରଖି ପଚାରାଉଚରା ଚଳାଇଛି ।

ଆଜି ୩ଟି ଯାକ ମୃତଦେହକୁ ପଞ୍ଚନାମା କରିବା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ପରେ ମୃତଦେହ ପରିବାର ବର୍ଗଙ୍କୁ ହସ୍ତାନ୍ତର କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ଏହିଭଳି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡକୁ ନେଇ ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons