ପୁରୀ,(ବି.ବି.ନୁ୍ୟଜ୍): ଆପୋସ ଆଲୋଚନା ଜରିଆରେ ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ବିପଦସଙ୍କୁଳ ମଠଗୁଡିକୁ ଉଚ୍ଛେଦ କରାଯିବ । ଏହି ଆଧାରରେ ଗତ ତିନି ଦିନ ଧରି ପ୍ରଶାସନ ୪ଟି ମଠର ମହନ୍ତଙ୍କ ସହ ବିଭିନ୍ନ ଦଫାରେ ଆଲୋଚନା ଚଳାଇଛି । ବୁଧବାର ସୁଦ୍ଧା ଶ୍ରୀମନ୍ଦିର ଚୌହଦିରେ ଥିବା ୪ଟି ମଠ ମହନ୍ତଙ୍କ ସହ ଜିଲ୍ଲା ପ୍ରଶାସନ ଆଲୋଚନା କରିଛି । ସରକାରଙ୍କ ଥଇଥାନ ଯୋଜନା ଏବଂ ମଠ ସଂସ୍କୃତି ସୁରକ୍ଷା ନେଇ ବିସ୍ଥାପିତଙ୍କୁ ଅବଗତ କରାଇବା ପରେ ଶାନ୍ତିଶୃଙ୍ଖଳାରେ ଉଚ୍ଛେଦ କରିବାକୁ ପ୍ରଶାସନ ଆଲୋଚନା ଚଳାଇଛି । ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ସୁରକ୍ଷା ଜୋନ ଇଲାକାରେ ଦଶ ଏକର ମଠ ଜମିକୁ ପ୍ରଶାସନ ଦଖଲକୁ ନେଇଛି ।
ମଠ ଉଚ୍ଛେଦ ପରିପ୍ରେକ୍ଷୀରେ ଦୋକାନୀଙ୍କ ଥଇଥାନ, ମହନ୍ତଙ୍କ ଗାଦି, ମଠ ମନ୍ଦିର ସୁରକ୍ଷା, ଦୋକାନରୁ ମଠ ପାଉଥିବା ଉପାର୍ଜନର ବିକଳ୍ପ ପନ୍ଥା ଆଦି ପ୍ରସଙ୍ଗରେ ପ୍ରଶାସନ ମହନ୍ତମାନଙ୍କ ସହ ଆଲୋଚନା କରୁଛି । ଇତିମଧ୍ୟରେ ରାଧାବଲ୍ଲବ ମଠ ମହନ୍ତଙ୍କ ସହ ପ୍ରଶାସନ ଆଲୋଚନା କରିସାରିଛି । ଗତକାଲି ମଙ୍ଗୁ ମଠ ମାପଚୁପ କରିବା ସହ ମହନ୍ତଙ୍କ ସହ ମଠ ପରିସରରେ ପ୍ରଶାସନିକ ଅଧିକାରୀ ଆଲୋଚନା କରିଥଲେ । ଆଜି ଦକ୍ଷିଣ ପାଶ୍ୱର୍ ମଠ, ଉତ୍ତର ପାଶ୍ୱର୍ ମଠ ମହନ୍ତଙ୍କ ସହ ପ୍ରଶାସନ ଆଲୋଚନା କରିଛି । ବୁଧବାର ସନ୍ଧ୍ୟାରେ ମଙ୍ଗୁ ମଠ ମହନ୍ତଙ୍କ ସହ ପୁଣି ଆଲୋଚନା ଚାଲିଥିଲା ।
ମଙ୍ଗୁ ମଠ ମହନ୍ତ କହିଛନ୍ତି ‘ମଠ ଉଚ୍ଛେଦ ସମ୍ପର୍କରେ ଆଜି ପ୍ରଶାସନ ତାରିଖ ଜଣାଇବାକୁ କହିଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ଉଚ୍ଛେଦ ସଂପର୍କରେ ପ୍ରଶାସନ କୌଣସି ସୂଚନା ଦେଇନାହିଁ’ । ଅନ୍ୟ ପକ୍ଷରେ ପ୍ରଶାସନ ସୂତ୍ରରୁ ଖବର ମିଳିଛି ଖୁବ୍ ଶୀଘ୍ର ମଙ୍ଗୁ ମଠ, ସାନ ଛତା ମଠ ଏବଂ ଦୋଳବେଦି କୋଣ ଡାକ୍ତରଖାନାକୁ ଉଚ୍ଛେଦ କରାଯିବ । ପୂର୍ବରୁ ସାନ ଛତା ମଠ ମହନ୍ତଙ୍କ ସହ ଆଲୋଚନା ହୋଇଥିଲା । ଆଜି ପୁଣି ଥରେ ଆଲୋଚନା ଚାଲିଥିଲା ।
ବୁଧବାର ସନ୍ଧ୍ୟାରୁ ଦୋଳମଣ୍ଡପ ସାହି ରାସ୍ତା କଡ଼ରେ ଥିବା ମଙ୍ଗୁ ମଠର ଦୋକାନଗୁଡିକୁ ଖାଲି କରୁଛନ୍ତି ବ୍ୟବସାୟୀ । ପ୍ରଶାସନ ଏହି ଦୋକାନ ଖାଲି କରିବାକୁ ପ୍ରାକ୍ ସୂଚନା ଦେଇଥିବା ସୂଚନା ମିଳିଛି । ମଠର ଦୁଇ ପାଖରେ ୨୧ଟି ଦୋକାନ ରହିଛି । ଏମାନଙ୍କ ଥଇଥାନ ନେଇ ପ୍ରଶାସନ ବିକଳ୍ପ ଯୋଜନା ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ଅବଗତ କରିନଥିବା ଦୋକାନୀମାନେ କହିଛନ୍ତି । ଅନ୍ୟପକ୍ଷରେ ମଙ୍ଗୁମଠର ମହନ୍ତ, ଆଠ ଜଣ କର୍ମଚାରୀଙ୍କ ପାଇଁ ଉଚ୍ଛେଦ ପରିପ୍ରେକ୍ଷୀରେ ପ୍ରଶାସନ ନୀଳାଚଳ ଭକ୍ତ ନିବାସରେ ପାଞ୍ଚଟି କୋଠରି ସଂରକ୍ଷିତ ରଖିଛି ।
ଖୁବ୍ ଶୀଘ୍ର ମଙ୍ଗୁ ମଠ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରଶାସନ ସୂଚନା ଦେଇଛି । ଏହାସହ ସାନଛତା ମଠ, ଦୋଳବେଦି କୋଣ ସରକାରୀ ଡାକ୍ତରଖାନାକୁ ଉଚ୍ଛେଦ କରିବାକୁ ପ୍ରସ୍ତୁତି ଚାଲିଛି । ଉଚ୍ଛେଦ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ସାମ୍ନା ଏମାର ମଠ, ଲଙ୍ଗୁଳି ମଠ, ବଡ଼ଆଖଡ଼ା ମଠର ଦଶ ଏକର ଜମି ପ୍ରଶାସନ ଦଖଲକୁ ଯାଇଛି । ଏମାର ମଠର ସାଢେ଼ ଚାରି ଏକର ଜମି, ଲଙ୍ଗୁଳି ମଠର ୧୮ ହଜାର ବର୍ଗଫୁଟ, ବଡ଼ଆଖଡ଼ା ମଠର ପାଞ୍ଚ ଏକର ୬ ଡିସିମିଲ ଜମି ଖାଲି ହୋଇଛି । ଉଚ୍ଛେଦ ପରେ ମଙ୍ଗୁ ମଠରେ ୧୨ ହଜାର ବର୍ଗ ଫୁଟ ଜମି ଖାଲି ହେବ । ଏହି ଖାଲି ସ୍ଥାନରେ ସୌନ୍ଦର୍ଯ୍ୟକରଣ କାମ ହେବ । ତିନି ଦିଗରୁ ଜବରଦଖଲ ଉଚ୍ଛେଦ ହଟିସାରିଲେ ପ୍ରଶାସନ ପଶ୍ଚିମ ଦିଗପ୍ରତି ନଜର ଦେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ଚାଲିଛି ।
Comments are closed, but trackbacks and pingbacks are open.