ଚାନ୍ଦବାଲି, (ବି.ବି.ନ୍ୟୁଜ୍): ରଜ ଉତ୍ସବରେ ଗାଁଠୁ ସହର ଯାଏଁ ସମସ୍ତେ ହସ, ଖୁସିରେ ମସ୍ଗୁଲ ଥିବା ବେଳେ ଚାନ୍ଦବାଲି ସହରରେ ଆଜି ଅଘଟଣ ଘଟିଛି । ଆତ୍ମହତ୍ୟା କରିବାକୁ ଜଣେ ଯୁବକ ହଠାତ୍ ନଦୀକୁ ଡେଇଁ ନିଖୋଜ ହୋଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ରଜ ଉତ୍ସବକୁ ଫିକା କରି ଦେଇଛି । ଆଜି ସନ୍ଧ୍ୟାରେ ଚାନ୍ଦବାଲି ଲଞ୍ଚ୍ ଘାଟରେ ଘଟିଛି ଏ ଅଘଟଣ । ଚାନ୍ଦବାଲି ଏନ୍ଏସି ଅନ୍ତର୍ଗତ ପାଞ୍ଚପଡ଼ା ଗାଁର ଯୁବକ ଜିତୁନୁ ଦାସ ଲଞ୍ଚ୍ ଉପରେ ଚଢି ବୈତରଣୀ ନଦୀକୁ ଡେଇଁ ପଡ଼ିଥିଲେ । ନଦୀରେ ସେ ୧୫ ମିନିଟ୍ ପର୍ଯ୍ୟନ୍ତ ଭାସିଥିଲେ । ସୂଚନା ପାଇ ମ%୍ୟ ଆନ୍ତର୍ଜାତୀୟ ଜଳ ପରିବହନ ସଂସ୍ଥା (ଆଇଡବ୍ଲ୍ୟୁଟି)ର କୌଣସି କର୍ମଚାରୀ ତାଙ୍କୁ ଉଦ୍ଧାର କରି ନଥିଲେ । ଓଲଟା ସ୍ଥାନୀୟ ଲୋକେ ଲଞ୍ଚ୍ ନେଇ ଉଦ୍ଧାର କରିବାକୁ ଚାହିଁଥିଲେ ମ%୍ୟ ବିଭାଗୀୟ କର୍ମଚାରୀମାନେ ସହଯୋଗ କରି ନଥିଲେ । ସ୍ଥାନୀୟ ଲୋକେ ଲଞ୍ଚ୍ ନପାଇ ଦେଶୀ ଡ଼ଙ୍ଗା ନେଇ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ହେଲେ ସେତେବେଳକୁ ବିଳମ୍ବ ହୋଇ ଯାଇଥିଲା । ପାଣିରେ ଭାସୁଥିବା ଜିତୁନୁ ହଠାତ ବୁଡ଼ି ଯିବାରୁ ତାଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇ ନଥିଲା । ଆଇଡବ୍ଲ୍ୟୁଟି ବିଭାଗ କର୍ମଚାରୀଙ୍କ ଅସହଯୋଗର ପ୍ରତିବାଦ କରି ଉତ୍ତ୍ୟକ୍ତ ଲୋକେ ବିଭାଗୀୟ କାର୍ଯ୍ୟାଳୟ ଭଙ୍ଗାରୁଜା କରିବା ସହ ରାସ୍ତାରେ ନିଆଁ ଜାଳି ରାସ୍ତାରୋକ କରିଛନ୍ତି । ଘଟଣା ଅଣାୟତ୍ତ ହେଉଥିବା ଦେଖି ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛି । ଏଣେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରୋଶ ଦେଖି ପୁଲିସ ଲଞ୍ଚ୍ କର୍ମଚାରୀମାନଙ୍କୁ ଥାନାକୁ ନେଇ ସୁରକ୍ଷା ଦେଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ ଜିତୁନୁଙ୍କ ସନ୍ଧାନ ମିଳିପାରି ନାହିଁ ।
Comments are closed, but trackbacks and pingbacks are open.