ବାସୁଦେବପୁର,(ବି.ବି.ନୁ୍ୟଜ୍): ଖୁଣ୍ଟରେ ବାନ୍ଧି ରାତି ତମାମ ମାଡ଼ । ସକାଳେ ଜରିମାନା । ୫ ହଜାର କି ୧୦ ହଜାର ନୁହଁ । ଏକାଥରକେ ୨ ଲକ୍ଷ ୫ ହଜାର ଟଙ୍କା । ଏତେ ପରିମାଣର ଟଙ୍କା ଜଣେ ଯୁବକ ତଣ୍ଡ ଗଣିଛନ୍ତି । ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ରଖି ସମ୍ପୃକ୍ତ ଯୁବକ ଏହି ଟଙ୍କା ଜରିମାନା ଆକାରରେ ଦେଇଛନ୍ତି । ମାଡ଼ ସମେତ ଜରିମାନା ବେଳର ଦୃଶ୍ୟ ଏବେ ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲୁଛି ।
ଭଦ୍ରକ ଜିଲ୍ଲା ନାୟକାଣିଡିହି ଥାନା ବାଲିମୁଣ୍ଡା ପଞ୍ଚାୟତ ନନ୍ଦପାଟଣା ଗାଁରେ ଏହି ଘଟଣା ଘଟିଛି । ଏହି ଗ୍ରାମର ଜଣେ ମହିଳାଙ୍କ ସହିତ ଗୋପବନ୍ଧୁନଗର ଗ୍ରାମର ଅବନ୍ତୀ କୁମାର ଦାସ ନାମକ ଯୁବକ ଦୀର୍ଘ ଦିନ ଧରି ଅନୈତିକ ସମ୍ପର୍କ ରଖି ଆସୁଥିବା ଆଲୋଚନା ହେଉଥିଲା । ବୁଧବାର ରାତିରେ ମହିଳାଙ୍କ ଘରେ କେହି ନ ଥିବା ଜାଣି ଯୁବକ ତାଙ୍କ ଘରକୁ ଯାଇଥିଲେ । ହେଲେ ପୂର୍ବରୁ ଲୁଚି ରହିଥିବା ଗ୍ରାମର କେତେକ ଯୁବକ ଅବନିକୁ ମହିଳାଙ୍କ ଘର ମଧ୍ୟରୁ ଘୋଷାରି ଗାଁ ଦାଣ୍ଡକୁ ନେଇ ଆସିଥିଲେ । ରାତିସାରା ଯୁବକଙ୍କୁ ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ଘଟଣା ପ୍ରଘଟ ହୋଇଥିଲା । ଲୋକେ ରୁଣ୍ଡ ହୋଇଥିଲେ । ରାତି ପାହିଥିଲା । ସକାଳ ହେବା ପରେ ସେହି ଗାଁ ମଝିରେ ବୈଠକ ବସିଥିଲା ।

ଅଟକ ଯୁବକଙ୍କ ଗ୍ରାମର ଭଦ୍ରଲୋକ ଏବଂ ମହିଳାଙ୍କ ଗ୍ରାମର କେତେକ ଭଦ୍ର ଲୋକ ପହଞ୍ଚିଥିଲେ । ଆଲୋଚନା ହୋଇଥିଲା । ଉକ୍ତ ବୈଠକ ମଝିରେ ମହିଳାଙ୍କୁ ବସାଇ ବିଚାର କରାଯାଇଥିଲା । ଏହି ବିଚାରରେ ଅବନିଙ୍କୁ ୫୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ତାଗିଦ କରାଯାଇଥିଲା । ଅବନି ଏତେ ଟଙ୍କା ଦେବାକୁ ଅସହାୟ ବୋଲି କହି ନେହୁରା ହୋଇଥିଲେ । ଶେଷରେ ୨ ଲକ୍ଷ ୫ ହଜାର ଟଙ୍କା ଦେଇ ସେ ସେଠାରୁ ମୁକୁଳିଥିଲେ ।
ଗୁରୁବାର ଅବନି ଥାନାକୁ ଯାଇ ଅଭିଯୋଗ କରିଛନ୍ତି । ମିଛ ବଦନାମ କରି ମୋତେ ଫସାଇଥିବା ସେ କହିଛନ୍ତି । ପୁଲିସ ଅଭିଯୋଗ ପାଇ ୧୪୪/୧୯ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଭାଇରାଲ ଭିଡିଓ ଫୁଟେଜ ଯାଞ୍ଚ କରି ୪ ଜଣକୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବାଚୁ ମାଇତି, ବଙ୍କେସ ଜେନା, ସତ୍ୟ ରଂଜନ ମାଇତି, ଶମ୍ଭୁ ମାଇତି । ପୁଲିସ ଅନ୍ୟମାନଙ୍କୁ ଖୋଜିବା ଆରମ୍ଭ କରିଛି । ପୁଲିସ ଭୟରେ ଗାଁ ଏବେ ପୁରୁଷଶୁନ୍ୟ ହୋଇଛି । ଘଟଣା ସମ୍ପର୍କରେ ଅବନି କହିଛନ୍ତି, ମୋର ସେ ମହିଳାଙ୍କ ପରିବାର ସହିତ ପାରିବାରିକ ସୂର୍ଯ୍ୟ ମଇତ୍ର । ପୁଣି ବନ୍ଧୁ ମହିଳାଙ୍କ ସ୍ୱାମୀ ଜଣେ କ୍ୱାକ୍ ଡାକ୍ତର ହୋଇଥିବାରୁ ମୋ ଦେହ ଅସୁସ୍ଥ ଥିଲା । ମୁଁ ସେଠାକୁ ଔଷଧ ପାଇଁ ଯାଇଥିବା ବେଳେ ମୋତେ ଅଟକ ରଖାଯାଇ ଏଭଳି ହଇରାଣ ହରକତ କରାଯାଇଛି ।
Comments are closed, but trackbacks and pingbacks are open.