ନକ୍ସଲ ହମ୍ଲା ପରେ ସରଣ୍ଡାରେ ପଶିଲେ ଅଧିକ ଫୋର୍ସ

Get real time updates directly on you device, subscribe now.

ରାଉରକେଲା,(ବି.ବି.ନ୍ୟୁଜ୍): ନକ୍ସଲମାନେ ଗତକାଲି ସଂଧ୍ୟାରେ ଝାଡଖଣ୍ଡ ସରାଇକେଲାର କୁକଡୁ ଗ୍ରାମରେ ପୁଲିସ୍ ପାଟ୍ରୋଲିଂ ଟିମ୍ ଉପରକୁ ଗୁଳିମାଡ଼ କରିଥିଲେ । ଏହି ଆକ୍ରମଣରେ ଦୁଇ ଜଣ ଅଧିକାରୀଙ୍କ ସମେତ ୫ ଜଣ ପୁଲିସ୍ କର୍ମଚାରୀ ସହିଦ୍ ହୋଇଥିଲେ । ଏହି ଘଟଣା ପରେ ନକ୍ସଲମାନଙ୍କୁ ନିପାତ କରିବା ଲାଗି ଆଜି ସରଣ୍ଡା ଜଙ୍ଗଲରେ ପଶିଛନ୍ତି ଅଧିକ ଫୋର୍ସ ।
ଆଜି ସକାଳେ ସିଆରପିଏଫ୍, କୋବ୍ରା ବାଟାଲିୟନ ଓ ଜାଗୁଆର ଫୋର୍ସର ପ୍ରାୟ ଏକ ହଜାରରୁ ଅଧିକ ଯବାନ ସରଣ୍ଡା ଜଙ୍ଗଲରେ ପଶିଛନ୍ତି । ଏହି ଯବାନମାନଙ୍କ ସହ ବୋମା ନିଷ୍କ୍ରିୟ ଦଳ ରହିଛନ୍ତି । ଗତକାଲି ନକ୍ସଲମାନେ ଆକ୍ରମଣ କରିବା ପରେ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ । ମାତ୍ର ରାତି ହୋଇଯିବାରୁ ତୁରନ୍ତ କମ୍ବିଂ ଅପରେସନ କରାଯାଇନଥିଲା । ସହିଦ୍ ହୋଇଥିବା ଯବାନମାନଙ୍କ ଠାରୁ ନକ୍ସଲମାନେ ଲୁଟ କରି ନେଇଥିବା ଅସ୍ତ୍ରଶସ୍ତ୍ରକୁ ଉଦ୍ଧାର କରିବା ଲାଗି ପ୍ରୟାସ ଜାରି ରହିଛି । ଅନ୍ୟପକ୍ଷରେ ନିଖୋଜ ଥିବା ପୁଲିସ୍ କର୍ମଚାରୀଙ୍କୁ ଠାବ କରିବା ଲାଗି ଉଦ୍ୟମ ଜାରି ରହିଛି । ଗତକାଲିର ଘଟଣା ପରେ ଝାଡଖଣ୍ଡର ସମସ୍ତ ନକ୍ସଲ ପ୍ରଭାବିତ ଥାନାଗୁଡ଼ିକୁ ସତର୍କ କରାଇ ଦିଆଯାଇଛି । ଏହି ଘଟଣା ପଛରେ ମହାରାଜ ପ୍ରମାଣିକ ଦଲମର ହାତ ଥିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ସରାଇକେଲା କୁକଡୁ ହାଟରେ ଏହି କାଣ୍ଡ ଭିଆଇ ନକ୍ସଲମାନେ ସରଣ୍ଡାକୁ ପଳାଇ ଆସିଥିବା ଗୁପ୍ତ ସୂଚନା ମିଳିବା ପରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ସେହିପରି ନକ୍ସଲମାନେ କେଉଁ ବାଇକ୍ରେ ଆସିଥିଲେ, କେତେ ଜଣ ଆସିଥିଲେ, ସେମାନଙ୍କର ଆସିବା କିଏ ଦେଖିଛନ୍ତି, ଯିବା ସମୟରେ ସେମାନେ କେଉଁ ରାସ୍ତା ଦେଇ ଗଲେ ତାହାର ଟିକିନିକି ଯାଞ୍ଚ ଆରମ୍ଭ ହୋଇଛି । ଯେଉଁ ସମୟରେ ନକ୍ସଲମାନେ ପୁଲିସ୍ କର୍ମଚାରୀମାନଙ୍କ ଉପରେ ଆକ୍ରମଣ କଲେ ସେ ସମୟରେ କୁକଡୁ ହାଟରେ କେତେ ଲୋକ ଥିଲେ ତାହାର ମଧ୍ୟ ଯାଞ୍ଚ କରାଯାଉଛି । ସହିଦ୍ ହୋଇଥିବା ଯବାନମାନଙ୍କ ମୃତ ଦେହକୁ ସରାଇକେଲା ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ଅଣାଯାଇ ସେଠାରେ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ଗତ ମାସରେ ସରାଇକେଲା ଅଞ୍ଚଳରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୪ ଜଣ ଯବାନ ଆହତ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons