ଧରାପଡ଼ିଲେ ୩ ବ୍ରାଉନ୍ସୁଗର ବେପାରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜଧାନୀରେ ଥମୁନି ବ୍ରାଉନ୍ସୁଗର କାରବାର । ଆଜି ପୁଣି ଜବତ ହୋଇଛି ବ୍ରାଉନ୍ସୁଗର । ଏଥିରେ ସଂପୃକ୍ତ ୩ ବେପାରୀ ଗିରଫ ହୋଇଛନ୍ତି । ଲକ୍ଷ୍ମୀସାଗର ଥାନା ପୁଲିସ ଓ କୁଇକ୍ ଆକ୍ସନ୍ ଟିମ୍(କୁ୍ୟଏଟି) ଲକ୍ଷ୍ମୀସାଗର କେନାଲରୋଡ୍ରେ ଚଢ଼ଉ କରି ୩ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୪୧ ଗ୍ରାମ ବ୍ରାଉନ୍ସୁଗର, ୩୭ ହଜାର ଟଙ୍କା, ୩ ମୋବାଇଲ ଫୋନ୍ ଓ ଏକ ସ୍କୁଟି ଗାଡ଼ି ଜବତ କରିଛନ୍ତି । ଗିରଫ ବେପାରୀମାନେ ହେଲେ ବମିଖାଲ ତଳ ଭୋଇସାହିର ମିଞ୍ଜା ଓରଫ ସଞ୍ଜୟ କୁମାର ଭୋଇ(୩୨), ବମିଖାଲ କେନାଲ ରୋଡ୍ରେ ରହୁଥିବା ମୟୂରଭଞ୍ଜ ଜିଲ୍ଲା କେନ୍ଦୁଡ଼ିହି ଥାନା ଅନ୍ତର୍ଗତ ଗଡ଼ସାହିର ଜଟିଆ ଓରଫ ଚକ୍ରଧର ବେହେରା(୩୨) ଓ କେନାଲ ରୋଡ୍ରେ ରହୁଥିବା ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ନୂଆବଜାରର ସେକ୍ ଇକ୍ବାଲ(୩୪) ।
ପୁଲିସ ସୂଚନା ଅନୁଯାୟୀ, ଆଜି ସକାଳେ ୩ ବେପାରୀ କେନାଲ ରୋଡ୍ରେ ଏକ ସ୍କୁଟି ଧରି ଗ୍ରାହକଙ୍କୁ ଅପେକ୍ଷା କରିଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବରପାଇ କୁ୍ୟଏଟି ଓ ଲକ୍ଷ୍ମୀସାଗର ଥାନା ପୁଲିସ ସେଠାରେ ଚଢ଼ଉ କରିଥିଲେ । ୩ ଜଣଙ୍କ ପକେଟ୍ ଯାଞ୍ଚ କରିବାରେ ୪୧ ଗ୍ରାମ ବ୍ରାଉନ୍ସୁଗର, ୩୭ ହଜାର ୧୮୦ ଟଙ୍କା, ୩ଟି ମୋବାଇଲ୍ ଫୋନ୍ ମିଳିଥିଲା । ତେଣୁ ପୁଲିସ ଟିମ୍ ୩ ଜଣଙ୍କୁ ଧରି ଥାନାକୁ ଆଣିଥିଲେ । ଜବତ ବ୍ରାଉନସୁଗରର ମୂଲ୍ୟ ୪ ଲକ୍ଷ ଟଙ୍କା ହେବ । ୩ ଜଣଙ୍କୁ ଅଧିକ ପଚରାଉଚରାରୁ ସେମାନେ ଜଳେଶ୍ୱରରୁ ବ୍ରାଉନ୍ସୁଗର ଆଣି ରାଜଧାନୀରେ କାରବାର କରନ୍ତି ବୋଲି ପୁଲିସକୁ ସୂଚନା ଦେଇଥିଲେ । ଦୀର୍ଘଦିନ ଧରି ସେମାନେ ଏହି ଲାଭଜନକ ଧଳାଜହର କାରବାର କରୁଥିଲେ । ଇକ୍ବାଲ ବ୍ରାଉନ୍ସୁଗର ଆଣି ମିଞ୍ଜା ଓ ଜଟିଆଙ୍କୁ ଯୋଗାଇଥାନ୍ତି । କାରବାରରେ ଯାହା ଲାଭ ହୁଏ ୩ ଜଣ ଭାଗବାଣ୍ଟି ନିଅନ୍ତି । ଏପରିକି ସେମାନେ ଗ୍ରାହକଙ୍କୁ ହୋମ୍ ଡେଲିଭରି ମଧ୍ୟ କରନ୍ତି ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଛି । ଶେଷରେ ଆଜି ଏହି ୩ ଯୋଡ଼ି ପୁଲିସ ହାବୁଡ଼ରେ ପଡ଼ି ବନ୍ଧା ହୋଇଛନ୍ତି । ୩ ବେପାରୀଙ୍କୁ ଆଜି ଲକ୍ଷ୍ମୀସାଗର ଥାନା ପୁଲିସ କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।
ସୂଚନା ଥାଉକି, ସ୍ପେଶାଲ ସ୍କ୍ୱାଡ୍ ଓ ଖଣ୍ଡଗିରି ଥାନା ପୁଲିସ ଗତ ୧୦ ତାରିଖରେ କୁଖ୍ୟାତ ନିଶାବେପାରୀ ସନ୍ତୋଷ ପଣ୍ଡାକୁ ଗିରଫ କରିବା ସହ ତା’ ନିକଟରୁ ୩୦ ଲକ୍ଷ ଟଙ୍କାର ବ୍ରାଉନ୍ସୁଗର ଓ ୨ ଲକ୍ଷ ୨୪ ହଜାର ଟଙ୍କା ଜବତ କରିଥିଲେ । ସେହିପରି ଖଣ୍ଡଗିରି ଥାନା ପୁଲିସ ଗତ ୮ ତାରିଖରେ ଚନ୍ଦୁ,ବଣ୍ଟି ଯୋଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବ୍ରାଉନ୍ସୁଗର ସହ ସ୍କର୍ପିଓ ଗାଡ଼ି ଜବତ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons