୧୮ରୁ ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା

Get real time updates directly on you device, subscribe now.

ରାଜନଗର,(ବି.ବି.ନୁ୍ୟଜ୍): ଭିତରକନିକାରେ ଦେଶୀୟ ପକ୍ଷୀମାନେ ବାରମ୍ୱାର ଠିକଣା ବଦଳାଉଛନ୍ତି । ପକ୍ଷୀବିହାର ରୂପେ ପରିଚିତ ବଗଗହନକୁ ଛାଡି ୪/୫ ବର୍ଷ ହେଲା ମଠଆଡିଆରେ ବସା ବାନ୍ଧୁଥିଲେ ଦେଶୀୟ ପକ୍ଷୀ । ମାତ୍ର ଚଳିତବର୍ଷ ପୁଣି ଠିକଣା ବଦଳାଇଛନ୍ତି । ବ୍ରାହ୍ମଣୀ ନଦୀ ମଧ୍ୟରେ ଥିବା ଲକ୍ଷ୍ମୀପ୍ରସାଦଡିଆରେ ଦେଶୀୟ ପକ୍ଷୀ ବସା ବାନ୍ଧି ଅଣ୍ଡା ଦେଇଛନ୍ତି । ମଠଆଡିଆରେ ଅଳ୍ପ ସଂଖ୍ୟକ ପକ୍ଷୀ ବସା ବାନ୍ଧିଥିବା ବେଳେ ଲକ୍ଷ୍ମୀପ୍ରସାଦଡିଆରେ ବହୁ ସଂଖ୍ୟକ ପକ୍ଷୀ ବସା ବାନ୍ଧିବା ଘଟଣା ସାମ୍ନାକୁ ଆସିଛି । ଚଳିତ ମାସ ୧୮ ତାରିଖରୁ ୨୪ ତାରିଖ ଯାଏ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା କରାଯିବ ବୋଲି ଡିଏଫ୍ଓ ବିକାଶ ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା ଅଗଷ୍ଟ ୨୩ରୁ ୨୯ ତାରିଖ ଯାଏ ୭ ଦିନ ଧରି ହୋଇଥାନ୍ତା । ଗଣନାକାରୀ ଟିମ୍ ମଠଆଡିଆରେ ପହଞ୍ଚିବା ପରେ ମାତ୍ର ଅଳ୍ପ ସଂଖ୍ୟକ ପକ୍ଷୀ ବସା ବାନ୍ଧିଥିବା ଓ ହଜାର ହଜାର ପକ୍ଷୀ ବସା ବାନ୍ଧିବା ପାଇଁ କୁଟା କାଠି ଧରି ଉଡୁଥିବାର ଦେଖିବାକୁ ପାଇଥିଲେ । ଫଳରେ ଗଣନା ବନ୍ଦ ରହିଥିଲା । ଏହାପରେ ଚଳିତ ମାସ ୨ ତାରିଖ ଦିନ ଲକ୍ଷ୍ମୀପ୍ରସାଦଡିଆରେ ହଜାର ହଜାର ଦେଶୀୟ ପକ୍ଷୀ ବସା ବାନ୍ଧିଥିବା ଦେଖିବାକୁ ମିଳିଥିଲା । ବନ ବିଭାଗ ଟିମ୍ ଘଟଣାସ୍ଥଳ ଅନୁଧ୍ୟାନ କରି ଡିଏଫ୍ଓଙ୍କୁ ରିପୋର୍ଟ ଦେଇଥିଲେ । ତେଣୁ ଚଳିତମାସ ୧୮ରୁ ୨୪ ତାରିଖ ୭ଦିନ ଧରି ଭିତରକନିକାର ମଠଆଡିଆ ଓ ଲକ୍ଷ୍ମୀପ୍ରସାଦଡିଆରେ ଗଣନା କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ୩ଟି ଟିମ୍ ଏହି ଦେଶୀୟ ପକ୍ଷୀଙ୍କ ଗଣନା କରିବେ । ବିଭାଗ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ମଠଆଡିଆରେ ଗୁଅାଁ ଓ ବନିଗଛରେ କପରଖାଇ, ପାଣିକୁଆ, ଦାବଣ୍ଟିଆ ପକ୍ଷୀ ବସା ବାନ୍ଧିଥିବା ବେଳେ ଲକ୍ଷ୍ମୀପ୍ରସାଦଡିଆରେ ଗେଣ୍ଡାଳିଆ, ବଡବଗ, ମଝିଅାଁବଗ, ଛୋଟବଗ, ରାଣୀବଗ, ଅଞ୍ଜନା, ଖଇରା, ଦା’ବେଣ୍ଟିଆ ଆଦି ପକ୍ଷୀ ହଜାର ହଜାର ସଂଖ୍ୟାରେ ବସା ବାନ୍ଧିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons