ବିଦୁ୍ୟତ୍ ଆଘାତରେ ଯୁବକଙ୍କ ମୃତୁ୍ୟ,ଟ୍ରଲିରେ ବୁହାହେଲା ମୃତଦେହ

Get real time updates directly on you device, subscribe now.

ବାଙ୍କୀ,(ବି.ବି.ନୁ୍ୟଜ୍): ବାଙ୍କୀ ଏନ୍ଏସି ଅଞ୍ଚଳରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି । ଆର୍ଥିକ ଅନଟନ କାରଣରୁ ଜଣେ ଯୁବକଙ୍କ ମୃତଦେହକୁ ପରିବାର ଲୋକେ ବାଙ୍କୀ ଡାକ୍ତରଖାନାରୁ ଏକ ଟ୍ରଲିରେ ବୋହିନେବାକୁ ବାଧ୍ୟ ହୋଇଛନ୍ତି । ଡାକ୍ତରଖାନାରୁ ଘରକୁ ମୃତଦେହ ନେବା ଲାଗି ଆମ୍ବୁଲାନ୍ସ, ଶବବାହକ ଗାଡ଼ି କିମ୍ବା ଅନ୍ୟ ଗାଡ଼ି କିଛି ନ ଥିବାରୁ ଏଭଳି ପରିସ୍ଥିତିର ସାମ୍ନା କରିଛନ୍ତି ମୃତକଙ୍କ ପରିବାର । କିନ୍ତୁ ଡାକ୍ତରଖାନା କର୍ତ୍ତୃପକ୍ଷ ଏ ନେଇ କିଛି ଜାଣି ନ ଥିବା କହି ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇଛନ୍ତି । ଘଟଣାକୁ ନେଇ ଏଠାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ପ୍ରାପ୍ତ ଖବର ମୁତାବକ ଶନିବାର ପ୍ରତୁ୍ୟଷରୁ ବାଙ୍କୀ ଏନ୍ଏସି ଅଧୀନ ଚକାପଦା ତନ୍ତି ସାହିର ଅନନ୍ତ ଦାସଙ୍କ ପୁଅ ସଂଜୟ ଦାସ (୩୮) ବିଦୁ୍ୟତ୍ ଆଘାତରେ ପ୍ରାଣ ହରାଇଥିଲେ । ସେ ଘରେ ଶୋଇଥିବା ବେଳେ ଟେବୁଲ ପଙ୍ଖାରେ ହାତ ବାଜି ଯିବାରୁ ବିଦୁ୍ୟତ୍ ଆଘାତରେ ତାଙ୍କର ମୃତୁ୍ୟ ଘଟିଥିଲା । ତୁରନ୍ତ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବାଙ୍କୀ ପୁଲିସ ପକ୍ଷରୁ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । କିନ୍ତୁ ବାଙ୍କୀ ସରକାରୀ ଡାକ୍ତରଖାନାରେ ଶବ ଘରକୁ ନେବା ପାଇଁ ମହାପ୍ରୟାଣ ଯୋଜନାରେ କୌଣସି ଗାଡ଼ି ନାହିଁ । ଶବକୁ ନେବା ପାଇଁ ଘରୋଇ ଆମ୍ବୁଲାନ୍ସ ୨ ହଜାର ଟଙ୍କା ଭଡ଼ା ମାଗିବାରୁ ଘର ଲୋକେ ଏତେ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିଥିଲେ । ବାଧ୍ୟ ହୋଇ ମୃତକଙ୍କ ପରିବାର ଲୋକେ ମୃତଦେହକୁ ଏକ ଟ୍ରଲିରେ ଚକାପଦା ପର୍ଯ୍ୟନ୍ତ ନେଇଥିଲେ । ଏନେଇ ବାଙ୍କୀ ଭାରପ୍ରାପ୍ତ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା. ଧୂଳେଶ୍ୱର ପ୍ରଧାନଙ୍କୁ ପଚାରିବାରେ ସେ କହିଲେ ମେଡ଼ିକାଲରୁ ଶବ ନେବା ପାଇଁ କୌଣସି ଆମ୍ବୁଲାନ୍ସ କିମ୍ବା ଗାଡ଼ି ନାହିଁ । ଯଦି ମୃତକଙ୍କ ଘର ଲୋକେ ଶବ ଘରକୁ ନେବା ପାଇଁ ଟଙ୍କା ନାହିଁ ବୋଲି ଜଣାଇଥା’ନ୍ତେ ତେବେ ତାଙ୍କୁ ରୋଗୀ କଲ୍ୟାଣ ସମିତି ପକ୍ଷରୁ ଟଙ୍କା ଦିଆଯାଇଥା’ନ୍ତା । କିନ୍ତୁ ସେ ଏ ସଂପର୍କରେ ମେଡ଼ିକାଲ ଅଧିକ୍ଷକଙ୍କୁ ଅବଗତ କରାଇନାହାନ୍ତି । ଆଜି ଘଟଣା ପରେ ତୁରନ୍ତ ସରକାର ମହାପ୍ରୟାଣ ଯୋଜନାରେ ଏକ ଶବବୁହା ଗାଡ଼ି ବାଙ୍କୀ ସରକାରୀ ଡାକ୍ତରଖାନାକୁ ଯୋଗାଇ ଦିଅନ୍ତୁ ବୋଲି ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଛି । ମୃତକ ଶ୍ରମିକ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଦେବା ପାଇଁ ପୂର୍ବତନ କାଉନସିଲର୍ ଦାଶରଥି ରାଉତ, ସମାଜସେବୀ ଅକ୍ଷୟ କୁମାର ସାମଲ ଓ ଗ୍ରାମବାସୀମାନେ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons