ଦୁଇ ଭାଇଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କଲେ ମନ୍ତ୍ରୀ

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): କାଳିଆର ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି । ମାତ୍ର ଆଗାମୀ ଦିନରେ ତାର ଚିକିତ୍ସା ଉପରେ ଏସ୍ସିବି ଡାକ୍ତରୀ ଟିମ୍ ଗୁରୁତ୍ୱ ଦେଇଛି । କିଛି ଦିନ ହେଲା କାଳିଆର ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ଥିବା ନୁ୍ୟରୋସର୍ଜରୀ ଟିମ୍ ଆଜି ବିଶ୍ୱର ଖ୍ୟାତାନାମା ନୁ୍ୟରୋ ସର୍ଜରୀ ବିଶେଷଜ୍ଞ ତଥା ଜାପାନର ଡାକ୍ତର ତାକିଜ୍ୱା କତସୁମୀଙ୍କ ସହ ଏକ ଭିଡିଓ କନ୍ଫରେନସିଂ ମାଧ୍ୟମରେ ଆଲୋଚନା କରିଛନ୍ତି । ଡାକ୍ତରୀ ଟିମ୍ ମୁଖ୍ୟ ତଥା ଏସ୍ସିବି ନୁ୍ୟରୋସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ସୁଧାଂଶୁ ମିଶ୍ରଙ୍କ ସମେତ ଜଗା- କାଳିଆଙ୍କୁ ଚିକିତ୍ସା କରିଥିବା ଏମ୍ସର କେତେକ ବିଶେଷଜ୍ଞ ଓ ଜାପାନର ଡାକ୍ତର ତାକିଜ୍ୱାଙ୍କ ସହ କାଳିଆର ବର୍ତ୍ତମାନର ମସ୍ତିଷ୍କ ସ୍ଥିତି ଓ ପରବର୍ତ୍ତୀ ଚିକିତ୍ସା ବାବଦରେ ଆଲୋଚନା କରିଛନ୍ତି ।
ଅନ୍ୟପକ୍ଷରେ ଜଗା-କାଳିଆ ଦୁଇ ଭାଇଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ ଲାଗି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ଏସ୍ସିବିରେ ପହଞ୍ଚି ଡାକ୍ତରଖାନା କର୍ତ୍ତୃପକ୍ଷ ଓ ତାଙ୍କ ଅଭିଭାବକଙ୍କ ସହ ଆଲୋଚନା କରିଛନ୍ତି । ଦୁଇ ଯମଜ ଶିଶୁଙ୍କ ପାଖକୁ ଯାଇ ମନ୍ତ୍ରୀ ଶ୍ରୀ ଜେନା ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିତି ଦେଖିଥିଲେ । ଜଗା ସହ ମନ୍ତ୍ରୀ କିଛି ସମୟ କଥା ହେବା ସହ ତାକୁ କାଖେଇଥିଲେ । ଜଗା ଏବେ ଫିଟ୍ ଥିଲେ ହେଁ ତାର ମୁଣ୍ଡରେ ଖପୁରି ନାହିଁ । ଖପୁରି ବଦଳରେ ଏକ ହେଲମେଟ୍ ପିନ୍ଧା ଯାଇଛି । ସ୍କୁଲ୍ ଯିବା ପାଇଁ ଜଗାର ବୟସ ହୋଇଥିଲେ ହେଁ ତାର ମୁଣ୍ଡର ଉପର ଭାଗରେ ସମସ୍ୟା ଥିବା ଜଣାପଡିଛି । ସୁରକ୍ଷା ଦୃଷ୍ଟିରୁ ଜଗାର ମୁଣ୍ଡରେ ଖପୁରି ପ୍ରତିରୋପଣ ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । ଜଗା ଏବେ ବିପଦମୁକ୍ତ ବୋଲି ଡାକ୍ତରୀ ଟିମ୍ ମୁଖ୍ୟ ପ୍ରଫେସର ମିଶ୍ର କହିଛନ୍ତି । ଜଗା ସ୍କୁଲ୍ ଯିବା ପୂର୍ବରୁ ତାର ଅଭିଭାବକଙ୍କ ପାଖରେ ସେ କିଛି ଅଭ୍ୟସ୍ତ ହେବା ଉଚିତ୍ ବୋଲି ପ୍ରଫେସର ମିଶ୍ର କହିଛନ୍ତି । ବାସ୍ତବ ସ୍ଥିତି ଅନୁସାରେ ଏବେ ଜଗାର ସ୍କୁଲ୍ ଯିବା ସମ୍ଭାବନା କ୍ଷୀଣ ବୋଲି କୁହାଯାଉଛି । ଏଥିଲାଗି ପ୍ରଫେସର ମିଶ୍ର ନିଜ ଉଦ୍ୟମରୁ କିଛି ଛବି ବହି ସମେତ ଅନ୍ୟାନ୍ୟ ଶିକ୍ଷଣୀୟ ଉପକରଣ ଆଣି ଜଗାକୁ ଦେଇଛନ୍ତି । ପ୍ରଫେସର ମିଶ୍ର ଜଗାକୁ ଆଜି ଛବି ବହି ଧରି ବିଭିନ୍ନ ଚିତ୍ର ଏବଂ ଅକ୍ଷର ସମ୍ବନ୍ଧରେ ଅଭ୍ୟସ୍ତ କରାଉଥିବା ଦେଖିବାକୁ ମିଳିଥିଲା । ପ୍ରତି ଦିନ କିଛି କିଛି ସମୟ ଜଗାକୁ ଛବି ବହିରେ ଉଲ୍ଲେଖ ଥିବା ଚିତ୍ର ଏବଂ ଅକ୍ଷର ସମ୍ପର୍କରେ ଅଭ୍ୟସ୍ତ କରାଇବା ପାଇଁ ଅଭିଭାବକଙ୍କୁ ପ୍ରଫେସର ମିଶ୍ର ପରାମର୍ଶ ଦେଇଛନ୍ତି ।
ସ୍କୁଲ୍ ଯାଇ ପାଠ ପଢ଼ା ବୋଝ ମୁଣ୍ଡାଇବା ପୂର୍ବରୁ ଜଗା ତାର ମା, ବାପାଙ୍କ ପାଖରେ ଅଭ୍ୟସ୍ତ ହେବା ଆବଶ୍ୟକ ବୋଲି ଶିଶୁ ରୋଗ ବିଶେଷଜ୍ଞମାନେ ମଧ୍ୟ କହିଛନ୍ତି । ଆସନ୍ତାକାଲି ଜଗାର ସ୍କୁଲ୍ ଯିବା ନେଇ ଏସ୍ସିବିର ଗଠିତ ଡାକ୍ତରୀ ବୋର୍ଡ ବୈଠକ ଡକାଯାଇଛି । ବୋର୍ଡର ନିଷ୍ପତ୍ତି ଏବେ ଜଗାର ସ୍କୁଲ୍ ଯିବା ନଯିବା ଉପରେ ନିର୍ଭର କରୁଛି ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି । ସୂଚନାଯୋଗ୍ୟ, କାଳିଆର ଚିକିତ୍ସା ପାଇଁ ଭିଡିଓ ମାଧ୍ୟମରେ ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ନୁ୍ୟରୋସର୍ଜରୀ ବିଶେଷଜ୍ଞ ସମ୍ମିଳନୀରେ ଦୀର୍ଘ ସମୟ କାଳ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଜଗା- କାଳିଆଙ୍କୁ ଏମ୍ସରେ ଅପରେସନ୍ କରିଥିବା ଡାକ୍ତରମାନେ ଭାଗ ନେଇଥିଲେ । ଜଗା କାଳିଆଙ୍କ ଅପରେସନ୍ରେ ଜାପାନର ଖ୍ୟାତାନାମା ନୁ୍ୟରାସର୍ଜରୀ ବିଶେଷଜ୍ଞ ଡାକ୍ତର ତାକିଜ୍ୱା କତସୁମି ଦୁଇ ଯମଜ ଶିଶୁଙ୍କ ବ୍ରେନ୍ରେ ଗ୍ରାଫ୍ଟ କରିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons