ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଜିଲ୍ଲାରେ ଥମିବାର ନାଁ ନେଉନି ଜନନୀ ଯନ୍ତ୍ରଣା । ଜିଲ୍ଲାର ଦୁର୍ଗମ ଅଞ୍ଚଳକୁ ରାସ୍ତାଘାଟ ନଥିବା ଯୋଗୁ ପ୍ରତିଦିନ ଯନ୍ତ୍ରଣା ଭୋଗୁଛନ୍ତି ଗର୍ଭବତୀ । ରାସ୍ତା ନଥିବା ଯୋଗୁ ପହଞ୍ଚି ପାରୁନି ଆମ୍ବୁଲାନ୍ସ । ବାଧ୍ୟହୋଇ ଲୋକେ ଖଟିଆରେ ବୋହୁଛନ୍ତି ଲୋକଙ୍କୁ । ଏହି କ୍ରମରେ ଆଜି ପୁଣିଜଣେ ଗର୍ଭବତୀଙ୍କୁ ୨ କିମି ଖଟିଆରେ ବୁହାଯିବା ପରେ ମିଳିଥିଲା ଆମ୍ବୁଲାନ୍ସ ସେବା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ପାପଡାହାଣ୍ଡି ବ୍ଲକର ଦୁର୍ଗମ ଗାଁ ଆମ୍ବବଡାପଦର ଗାଁରେ ।
ଆଜି ସକାଳ ପ୍ରାୟ ୭ଟାବେଳେ ଗାଁର ଦଶେଇ ସାନ୍ତାଙ୍କ ପ୍ରସବ ବେଦନା ଆରମ୍ଭ ହୋଇଥିଲା । ଯନ୍ତ୍ରଣାରେ ଛଟପଟ ହୋଇଥିଲେ ଦଶେଇ । ଡାକ୍ତରଖାନା ନେବା ପାଇଁ ଗ୍ରାମବାସୀ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ୨୬ନଂ ଜାତୀୟ ରାଜପଥ ପାଖରେ ପହଞ୍ଚିଥିଲା ଆମ୍ବୁଲାନ୍ସ । କିନ୍ତୁ ଗାଁ ରାସ୍ତା ଶୋଚନୀୟ ହୋଇପଡ଼ିଥିବାରୁ ୨ କିମି ଆଗରୁ ଅଟକି ଯାଇଥିଲା ଆମ୍ବୁଲାନ୍ସ । ଗାଁ ଲୋକେ ପ୍ରାୟ ୩ ଘଣ୍ଟା ରଖିଥିଲେ ଆମ୍ବୁଲାନ୍ସ । ଗର୍ଭବତୀଙ୍କୁ ବୋହି କରି ସେଠାରେ ପହଞ୍ଚିବା ପରେ ନିଆଯାଇଥିଲା ମୈଦଲପୁର ଡାକ୍ତରଖାନା । ସେଠାରେ ଦଶେଇ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ପ୍ରସବ ପରେ ଉଭୟ ମାଆ ଓ ଶିଶୁ ସୁରକ୍ଷିତ ଥିଲେ । ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ପ୍ରସୂତୀଙ୍କୁ ନେଇ ତାଙ୍କ ସ୍ୱାମୀ ତପନ ମାଝୀ ଘରକୁ ଫେରିଥିଲେ ।
Comments are closed, but trackbacks and pingbacks are open.