ପାଟଣାଗଡ଼,(ବି.ବି.ନୁ୍ୟଜ୍): ଅନ୍ଧବିଶ୍ୱାସର ଏକ ଭୟଙ୍କର ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ଚିଟିକାମାଲ ଗାଁରେ । ଗୁଣିଗାରେଡ଼ି ସନେ୍ଦହରେ ଏକ ଦମ୍ପତିଙ୍କୁ ହତ୍ୟା କରିବା ପରେ ଶବ ଦୁଇଟିକୁ ବସ୍ତାରେ ଭର୍ତ୍ତି କରି ପାହାଡ଼ ଖୋଲରେ ଫିଙ୍ଗି ଦିଆ ଯାଇଥିଲା । ଖବର ପାଇ ପୁଲିସ ଦମ୍ପତିଙ୍କ ଶବ ଉଦ୍ଧାର କରିଛି । ମୃତକ ହେଲେ ଚିନ୍ତାମଣି ବରିହା(୫୫) ଏବଂ ସ୍ତ୍ରୀ ରୁକ୍ମଣି ବରିହା (୫୦) । ଫରେନ୍ସିକ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ବଲାଙ୍ଗୀର ଏସ୍ପି ଏମ. ସନ୍ଦିପ ସମ୍ପତ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ଏଠାରେ ଉଲ୍ଲେଖ କରାଯାଇ ପାରେ କି, ଗତ ୧୨ ତାରିଖ ସକାଳେ ଚିଟିକାମାଲ ଗ୍ରାମରେ ଜଣେ ଶିଶୁପୁତ୍ରର ସମାଧି ଉପରେ ଜଣେ ବ୍ୟକ୍ତି ପୂଜାପାଠ କରିଥିବା ନେଇ ଖବର ପ୍ରଚାରିତ ହୋଇଥିଲା । ଏହି ଘଟଣାକୁ କେନ୍ଦ୍ରକରି ଚିଟିକାମାଲ ଗାଁର ମୃତକ ରୁକ୍ମଣୀ ବରିହାଙ୍କୁ ଡାହାଣୀ ସନେ୍ଦହ କରାଯାଉଥିବା ନେଇ ସେ ଲରମ୍ଭା ଥାନାରେ ଅଭିଯୋଗ କରିଥିଲେ । ଅପରପକ୍ଷେ ମୃତ ଶିଶୁର ପିତା ନାରାୟଣ ବରିହା ଆମେ କାହାରିକୁ ସନେ୍ଦହ କରୁନାହୁଁ ବୋଲି ଦର୍ଶାଇ ଥାନାରେ ପାଲଟା ଅଭିଯୋଗ କରିଥିଲେ । ଏହାପରେ ଗାଁରେ ବାରମ୍ବାର ସଭା କରାଯାଉଥିଲା । ମିଳିଥିବା ସୂଚନା ଅନୁସାରେ, ଗତକାଲି ଗାଁର ନାରାୟଣ ବରିହା, କୃଷ୍ଣ ବରିହା, ସ୍ୱରୁପା ଘିଭେଲା ଏବଂ ଗୌରାଙ୍ଗ ପୋଢଙ୍କୁ ଲରମ୍ଭା ପୁଲିସ ଥାନାକୁ ଡକାଇ ପଚରାଉଚରା କରିଥିଲା । ଖବରପାଇ ଗାଁର କିଛି ଲୋକ ଗୋଟିଏ ଗାଡ଼ି ଭଡ଼ା କରି ଏମାନଙ୍କ ସାଥିରେ ଥାନାରେ ପହଞ୍ଚଥିଲେ । ସେମାନେ ସମସ୍ତେ ବିଳମ୍ବିତ ରାତିରେ ଘରକୁ ଫେରି ଗାଁରେ ଏକ ଗୁପ୍ତ ସଭା କରିଥିଲେ । ତଥାପି ଏହି ସମସ୍ୟାର ସମାଧାନ ହୋଇପାରି ନଥିବାବେଳେ ଆଜି ଦମ୍ପତିଙ୍କୁ କେହି ହତ୍ୟା କରିଛନ୍ତି ।
ଆଜି ସକାଳ ପ୍ରାୟ ୬ଟାରେ ହଠାତ୍ ଚିଟିକାମାଲ ଗାଁକୁ କେତେକ ବ୍ୟକ୍ତି ଗାଁକୁ ଚାରିଆଡୁ ଘେରି ରଖିଥିଲେ । ଗାଁ ଭିତରକୁ କାହାରିକୁ ପ୍ରବେଶ କରାଇ ଦେଉ ନଥିଲେ । ଗାଁ ଚତୁଃପାଶ୍ୱର୍ରେ ଛୋଟବଡ଼ ପଥର ସାଙ୍ଗକୁ ବଡ଼ ଗଛଗଣ୍ଡି ପକାଇ ଗାଁ ରାସ୍ତାକୁ ସଂପୂର୍ଣ୍ଣ ଭାବରେ ଅବରୋଧ କରାଯାଇଥିଲା । ସେହି ସମୟରେ ଉକ୍ତ ଦମ୍ପତିଙ୍କୁ ଘରୁ ଡାକି ନେଇ ସ୍କୁଲ ସମ୍ମୁଖରେ ଗୋଡେ଼ଇ ଗୋଡେ଼ଇ ଠେଙ୍ଗାରେ ବାଡେ଼ଇବା ସହ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ଜଣାପଡ଼ିଛି । ଏହି ଖବର ପ୍ରଚାର ହେବା ପରେ ପଡେ଼ାଶୀ ଗ୍ରାମର ଲୋକେ ସେଠାକୁ ଯିବାକୁ ଚେଷ୍ଟା କରିଥିଲେ ହେଁ ଭୟରେ କେହି ପ୍ରବେଶ କରିପାରି ନଥିଲେ । ଖବରପାଇ ପୁଲିସ ପ୍ରାୟ ୧୦ଟାରେ ଗାଁରେ ପହଞ୍ଚିଥିଲା । ସେତେବେଳକୁ ହତ୍ୟାକାଣ୍ଡ ଘଟି ସାରିଥିଲା । ଗାଁ ମଧ୍ୟ ସଂପୂର୍ଣ୍ଣ ପୁରୁଷଶୁନ୍ୟ ହୋଇପଡ଼ିଥିଲା । ତେବେ ଗାଁର ପରିସ୍ଥିତି ସ୍ୱାଭାବିକ ଥିଲା, ମହିଳାମାନେ ରୋଷେଇରେ ବ୍ୟସ୍ତ ଥିବା ବେଳେ ସ୍କୁଲ ମଧ୍ୟ ଖୋଲା ଥିଲା । କିନ୍ତୁ ଏ ବିଷୟରେ ସମସ୍ତେ କିଛି ଜାଣିନଥିବା ଭଳି ରହୁଥିଲେ । ଘଟଣାସ୍ଥଳରେ ଲରମ୍ଭା ପୁଲିସ, ପାଟଣାଗଡ଼ ଏସଡିପିଓ ସୁରେଶ କୁମାର ନାୟକଙ୍କ ସହ ପୁଲିସ ଟିମ୍ ଏବଂ ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏମ ସନ୍ଦିପ ସମ୍ପତ ଗାଁରେ ପହଞ୍ଚିଥିଲେ । ପରେ ଫରେନସିକ ଟିମ୍ ପହଞ୍ଚି ତଦନ୍ତ କରିଥିଲେ ।
ମୃତ ଚିନ୍ତାମଣିଙ୍କ ଘର କବାଟରେ ତାଲା ଲାଗିଥିବା ବେଳେ ଘର ନିକଟରେ ଥିବା ସ୍କୁଲ କାନ୍ଥରେ ରକ୍ତ ଛିଟା ପଡ଼ିଥିବା ପୁଲିସ ଦେଖିବାକୁ ପାଇଥିଲା । ଏଥିସହ ସ୍କୁଲ ସାମନାରେ ପଡ଼ିଥିବା ରକ୍ତ ଲାଗିଥିବା ଦୁଇଟି ଠେଙ୍ଗା ଦେଖିବା ପରେ ପୁଲିସକୁ ତଦନ୍ତର ବାଟ ଫିଟି ଯାଇଥିଲା । ଗାଁରୁ ଟ୍ରାନ୍ସଫର୍ମର ରାସ୍ତା ଦେଇ ଜଙ୍ଗଲକୁ ଯିବା ବାଟରେ ରକ୍ତ ଛିଟା ଏବଂ ଭଙ୍ଗାଚୁଡ଼ି ପଡ଼ିଥିବା ଦେଖିବାକୁ ପାଇଥିଲା । ଏହାକୁ ଅନୁଧାବନ କରି ପରିଶେଷରେ ପୁଲିସ ମୃତଦେହ ପାଖରେ ପହଞ୍ଚିଥିଲା । ପୁଲିସ ଗାଁ ଉପକଣ୍ଠରେ ଥିବା ଚିତାଡୁଙ୍ଗୁରି ପାହାଡ଼ ଶୀର୍ଷର ଦୁଇଟି ଖୋଲ ମଧ୍ୟରେ ମୃତ ଦମ୍ପତିଙ୍କୁ ବସ୍ତାରେ ଭର୍ତ୍ତି ହୋଇ ପଡ଼ିଥିବା ପୁଲିସର ନଜରକୁ ଆସିଥିଲା । ଅନ୍ୟପକ୍ଷରେ ଘଟଣାଟି ଗୁଣିଗାରେଡ଼ି କାର୍ଯ୍ୟ ଉପରେ ସନେ୍ଦହ କରି ଘଟିଥିବା ପୁଲିସ ଅନୁମାନ କରୁଛି ।
ଏସଂପର୍କରେ ଲରମ୍ଭା ଥାନାଧିକାରୀ ବିନୋଦ ବିହାରୀ ନାଏକଙ୍କୁ ପଚାରିବାରୁ ସେ କହିଲେ, ପୁଲିସ ପାଖରେ ସବିଶେଷ ତଥ୍ୟ ଅଛି, ତଦନ୍ତ ଜାରି ରହିଛି । ଏଥିରେ ସଂପୃକ୍ତ ଏକାଧିକ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ।
Comments are closed, but trackbacks and pingbacks are open.