ଜୟପୁର,(ବି.ବି.ନୁ୍ୟଜ୍): ‘ରାତି ପାହିଲେ ଶ୍ରେଣୀ ପରୀକ୍ଷା ଦେଇଥାନ୍ତା । ଏମିତି କ’ଣ ହେଲା ଯେ ଆତ୍ମହତ୍ୟା ଭଳି ଶେଷ ରାସ୍ତାକୁ ବାଛିନେଲା ଜୟଧର । ମାଆ ପରି ସ୍ନେହ ଦେବାରେ ଦିନେହେଲେ ଅବହେଳା କରିନି । ଭଲମନ୍ଦ ଓ ହସକାନ୍ଦ ସମୟରେ ପାଖେ ପାଖେ ରହି କୋଳେଇ ନେଇଛି । ତଥାପି ମୋ ସ୍ନେହରେ କିଛି ଅସୁବିଧା ରହିଗଲା କି? ଜୟଧର କାହାକୁ କିଛି ନକହି ସବୁଦିନ ପାଇଁ ଚାଲିଗଲା ।’ କୋହ ଚାପି ଚାପି ଏକଥା କହୁଥିଲେ ଜୟପୁର ଚିଲଡ୍ରେନ୍ସ ହୋମ୍ ବା ଶିଶୁ ସଦନର ମାଆ ଲତାମଣି ମହାପାତ୍ର । କ’ଣ ଅସୁବିଧା ହୋଇଛି ଜଣାଇଥିଲେ, ସମାଧାନ କରିବାକୁ ଚେଷ୍ଟା କରିଥାନ୍ତି ବୋଲି କହି ଆଖିରୁ ଲୁହ ପୋଛୁଥିଲେ ।
ହଷ୍ଟେଲ କର୍ମଚାରୀ ଲତାମଣିଙ୍କ କହିବା ଅନୁଯାୟୀ, ଜୟଧର ସ୍ଥାନୀୟ ଜେଇଏଲସି ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିଲେ । ଆଜି ଅର୍ଥାତ ମଙ୍ଗଳବାର ତା’ର ପରୀକ୍ଷା ଥିଲା । ସୋମବାର ସ୍କୁଲ ନଯାଇ ହଷ୍ଟେଲରେ ରହି ପଢିବାକୁ କହିଥିଲେ । ରାତି ୯ଟା ପରେ ସମସ୍ତ ୨୧ ଜଣ ଛାତ୍ରଙ୍କୁ ଖାଇବାକୁ ଡକାଯାଇଥିଲା । ସମସ୍ତେ ଖାଇବାକୁ ଆସିଥିଲେ, କିନ୍ତୁ ଜୟଧର ଆସିନଥିଲେ । ଏକଥା ଜଣାପଡିବା ପରେ ତାଙ୍କୁ ରୁମ୍ରୁ ଡାକି ଆଣିବା ଲାଗି ଅନ୍ୟ ପିଲାଙ୍କୁ ପଠାଇଥିଲେ । ସେଠାରେ ସେ ନଥିଲେ । କାଳେ ନୂଆ କୋଠାରେ ରହିଯାଇଥିବେ ଭାବି ସେଠାକୁ ବି ପିଲାଙ୍କୁ ପଠାଇଥିଲେ । ସମଗ୍ର କୋଠାରେ କେହିନଥିବା ଏବଂ ପାଇଖାନା ଘର ଭିତରପଟୁ ବନ୍ଦ ଥିବା ପିଲାମାନେ ଦେଖିଥିଲେ । ଡାକିଲେ କିଛି ଉତ୍ତର ମିଳୁନଥିବା କହିଥିଲେ । ପରେ ଲତା ସେଠାରେ ପହଞ୍ଚି ଅନ୍ୟମାନଙ୍କ ସହ କବାଟ ଖୋଲିବାକୁ ଚେଷ୍ଟା କରିଥିଲେ । ଅସଫଳ ହେବାରୁ କବାଟ ଭାଙ୍ଗି ଭିତରେ ପଶିଥିଲେ । ଦେଖିବାକୁ ପାଇଥିଲେ ଯେ, ଜୟଧର ହଷ୍ଟେଲର ଏକ ଚଦର ଚିରି ବେକରେ ବାନ୍ଧି ପାଇଖାନା ଭେଣ୍ଟିଲେସନ ଝରକାରୁ ଓହଳି ପଡ଼ିଥିଲେ । ତୁରନ୍ତ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହ ଏକ ଅଟୋରେ ଜିଲ୍ଲା ହସପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେତେବେଳକୁ ସବୁ ସରିଯାଇଥିଲା । ଡାକ୍ତର ଜୟଧରଙ୍କୁ ମୃତ ଘୋଷଣା କରିଥିଲେ ।
Comments are closed, but trackbacks and pingbacks are open.