ମାଲକାନଗିରି,(ବି.ବି.ନୁ୍ୟଜ୍): ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ । ଯନ୍ତ୍ରଣାରେ ଛଟପଟ ଜଣେ ଆଦିବାସୀ ବାଳକକୁ ଜଙ୍ଗଲ ନଦୀନାଳ ରାସ୍ତାରେ ୫କିମି ଭାରରେ ବୋହିଲେ ଡାକ୍ତର ଓ ଆମ୍ବୁଲାନ୍ସ ଚାଳକ । ଏଭଳି ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଡ଼ଡୁରାଲ ପଞ୍ଚାୟତ ଦୁର୍ଗମ ନୂଆଗୁଡା ଗାଁରେ । ଡାକ୍ତରଙ୍କ ଏଭଳି ସେବା ମନୋଭାବକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।
ଖଇରପୁଟ ବ୍ଲକ ମାଓପ୍ରବଣ ଦୁର୍ଗମ ନୂଆଗୁଡ଼ା ଗାଁକୁ ଆଜି ପର୍ଯ୍ୟନ୍ତ ରାସ୍ତା ନାହିଁ । ରାସ୍ତା ନଥିବାରୁ ଆମ୍ବୁଲାନ୍ସ ସେବା ଗ୍ରାମବାସୀଙ୍କ ପାଇଁ ସପ୍ନ ପାଲଟିଛି । ରୋଗୀ ଓ ଗର୍ଭବତୀ ମହିଳାଙ୍କ ପାଇଁ ଖଟିଆ ହିଁ ଭରସା । ଗତକିଛି ଦିନ ହେଲା ନୂଆଗୁଡା ଗାଁର ବାପ ମା ଛେଉଣ୍ଡ କମୁଳୁ କ୍ରୀସାନୀ(୧୨)ଙ୍କ ଦେହ ଅସୁସ୍ଥ ହୋଇପଡିଥିଲା । ରୋଗରେ ପଡ଼ି ସେ ଯନ୍ତ୍ରଣା ଭୋଗୁଥିଲେ । ଯନ୍ତ୍ରଣା ବଢିବା ଦେଖି ଗ୍ରାମବାସୀ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଫୋନ ପାଇ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଆମ୍ବୁଲାନ୍ସ ଡାକ୍ତରଙ୍କୁ ନେଇ ଗାଁ ଅଭିମୁଖେ ଯାଇଥିଲା । ଗାଁକୁ ରାସ୍ତା ନଥିବା ଓ ନାଳରେ ପାଣିକାଦୁଅ ରହିଥିବାରୁ ଗାଡି ଯିବା ସମ୍ଭବ ହୋଇ ନଥିଲା । ପଞ୍ଚାୟତ ରାସ୍ତାର ବାଲବାଡି ଗାଁ ମୁଣ୍ଡରେ ଗାଡିଟି ଅଟକି ରହିଥିଲା । ସେଠାରୁ ଡାକ୍ତର ଶକ୍ତିପ୍ରସାଦ ମିଶ୍ର ଓ ଆମ୍ବାଲାନ୍ସ ଡ୍ରାଇଭର ଗୋବିନ୍ଦ ନାଗୁଲୁ ଚାଲି ଚାଲି ଗାଁରେ ପହଞ୍ଚି ରୋଗଗସ୍ତ ବାଳକକୁ ପରୀକ୍ଷା କରିଥିଲେ । ତାକୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଆବଶ୍ୟକ ବୋଲି ଡାକ୍ତର କହିଥିଲେ । ରାସ୍ତା ଖରାପ ଯୋଗୁ ଦୀର୍ଘ ୫କିିମି ଦୂର ବାଲବାଡି ଛକକୁ କିପରି ଯିବେ ସେହି ଚିନ୍ତାରେ କମୁଳୁଙ୍କ ସେବା ଯତ୍ନ କରିଥିବା ବଡଭଉଣୀ ସୁନ୍ଦରୀ କ୍ରୀସାନୀ(୨୦)ଚିନ୍ତାରେ କାନ୍ଦି ପକାଇଥିଲେ । ଡାକ୍ତର ଶ୍ରୀ ମିଶ୍ର ସାହାସ ଦେଇ ଗାଁରୁ ଏକ ବାଉଁଶ ପାଛିଆ ଆଣି ସେଥିରେ କାଠଭାର କରିଥିଲେ । ଡାକ୍ତର ଶ୍ରୀ ମିଶ୍ର ଓ ଡ୍ରାଇଭର ଶ୍ରୀ ନାଗୁଲୁ ଭାରରେ କମୁଳୁଙ୍କୁ କାନେ୍ଧଇ ପାହଡ଼, ନାଳ ରାସ୍ତା ପାରି କରିଥିଲେ । ଦୀର୍ଘ ବାଟ ପାଦରେ ଚାଲି ଚାଲି ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ । ସେଠାରୁ ଖଇରପୁଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆାଯାଇଥିଲା କମୁଳୁଙ୍କୁ । ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ସଦର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଜିଲ୍ଲା ହସପିଟାଲରେ ପରୀକ୍ଷା ପରେ କମୁଳୁଙ୍କ କିଡ୍ନୀଜନିତ ରୋଗଥିବା ଜଣାପଡିଥିଲା । ଖବରପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣଚନ୍ଦ୍ର ଦାସ ହସ୍ପିଟାଲରେ ପହଞ୍ଚି କମୁଳୁ ଓ ତାଙ୍କ ବଡ ଭଉଣୀ ସୁନ୍ଦରୀଙ୍କୁ ଭେଟିଥିଲେ । ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତଥା ହସ୍ପିଟାଲ କର୍ତ୍ତୃପକ୍ଷ ଡାକ୍ତର ଅନିଲ କୁମାର ମିଶ୍ରଙ୍କ ସହିତ ବାଳକର ଚିକିତ୍ସା ସୁବିଧା କଥା ପଚାରିଥିଲେ । ଅପହଞ୍ଚ ଇଲାକାରେ ଆମ୍ବାଲାନ୍ସ ସେବା ପହଞ୍ଚି ପାରି ନଥିବା ବେଳେ ଜଣେ ଡାକ୍ତର ବଣଜଙ୍ଗଲ ନଦୀନାଳ ପାରିହୋଇ ରୋଗୀଙ୍କୁ ଭାରରେ ବୋହି ଆଣିବା ଗ୍ରାମବାସୀଙ୍କୁ ଚକିତ କରିଦେଇଥିଲା । ରୋଗଗସ୍ତ ପିଲାଟି ପାଇଁ ଡାକ୍ତର ଭଗବାନ ସାଜି ଆସିଥିଲେ ବୋଲି ଗ୍ରାମବାସୀ କହିଛନ୍ତି । ନୂଆଗୁଡା ଗ୍ରାମବାସୀ ଡାକ୍ତରଙ୍କ ଏଭଳି କାମକୁ ଶତମୁଖରେ ପ୍ରଶଂସା କରିଛନ୍ତି । ସୂଚନା ଥାଉ କି ଜିଲ୍ଲାରେ ଏବେ ବି ୩୫୦ରୁ ଅଧିକ ଗାଁକୁ ଭଲ ରାସ୍ତା ନଥିବାରୁ ବିକାଶ ଧାରାରେ ପ୍ରତିବନ୍ଧକ ସାଜିଛି । ଅପହଞ୍ଚ ଇଲାକାର ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ସେବା ସ୍ୱପ୍ନ ପାଲଟିଛି । ଫଳରେ ରୋଗୀଙ୍କୁ ଭାର ଓ ଖଟିଆରେ ବୋହି ଡାକ୍ତରଖାନାକୁ ଅଣାଯାଉଛି । ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି ।
Comments are closed, but trackbacks and pingbacks are open.