ଜଗତସିଂହପୁର,(ବି.ବି.ନୁ୍ୟଜ୍): କଟକ ସହର ଉପକଣ୍ଠ କନ୍ଦରପୁର ଥାନାନ୍ତର୍ଗତ ବିରିବାଟୀ ଡିହସାହି ନିକଟରୁ ଆଜି ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ତାଳଦଣ୍ଡା କେନାଲରେ ମୃତଦେହ ଭାସୁଥିବା ଅବସ୍ଥାରେ ଠାବ କରାଯାଇଥିଲା । ପୁଲିସ ପକ୍ଷରୁ ଶବ ବ୍ୟବଚ୍ଛେଦ ନିମନ୍ତେ କଟକ ଏଫ୍ଏମ୍ଟିକୁ ପଠାଯାଇଛି । ଚିହ୍ନଟ ହୋଇନଥିଲେ ହେଁ ଆନୁମାନିକ ବୟସ ୩୫ ହୋଇଥିବା ହେତୁ ଗଳିତ ମୃତଦେହଟି ନିଖୋଜ ବିରିଡ଼ି ହାଜିପୁର ଦୁଦୁରାମପାଟଣାର କିଶୋର ଚନ୍ଦ୍ର ଅଞ୍ଚଳଙ୍କର ବୋଲି ସନେ୍ଦହ ପ୍ରକାଶ ପାଇଛି । ସପ୍ତାହେରୁ ଉଦ୍ଧ୍ୱର୍ ମୃତଦେହଟି କେନାଲରେ ପଡ଼ିରହିବା ଯୋଗୁଁ ଫୁଲି ବିକୃତ ହୋଇଯାଇଥିବାରୁ ଚିହ୍ନଟ କରାଯିବା ବା ପ୍ରକୃତ ପରିଚୟ ଜଣାପଡିବା ସମ୍ଭବପର ହୋଇନାହିଁ । କନ୍ଦରପୁର ପୁଲିସ ନିଖୋଜ କିଶୋରଙ୍କ ଭାଇ ଗୁଡ଼ୁଲ୍ ଅଞ୍ଚଳଙ୍କୁ ମୃତଦେହ ଚିହ୍ନଟ କରିବାକୁ କଟକ ନେଇଥିଲେ । କିନ୍ତୁ ମୃତଦେହ ବିକୃତ ହୋଇଯାଇଥିବାରୁ ଚିହ୍ନଟ ହୋଇ ପାରି ନ ଥିଲା । ବାଧ୍ୟ ହୋଇ ପୁଲିସ ପକ୍ଷରୁ ଡିଏନ୍ଏ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଥିବା ଜଗତସିଂହପୁର ଏସ୍ଡିିପିଓ ପ୍ରକାଶ ଚନ୍ଦ୍ର ପାଲ ଜଣାଇଛନ୍ତି । ଆଜିକା ଘଟଣା ପରେ ନର୍ସ ନିହାରିକା ପାତ୍ର (ରୂପାଲି) ହତ୍ୟାକାଣ୍ଡ ରହସ୍ୟ ନୂଆ ମୋଡ଼ ନେବାକୁ ଯାଉଥିବା ଆଲୋଚନା ଜୋର୍ ଧରିଛି ।
ନର୍ସ ରୂପାଲି ନିଖୋଜ ହେବାର ଅଳ୍ପ କିଛି ଦିନ ପରେ ବିରିଡ଼ି ପୁଲିସ କିଶୋରଙ୍କୁ ଜେରା କରିଥିଲେ । ମାତ୍ର ଏହା ପରଠାରୁ କିଶୋର ମଧ୍ୟ ନିଖୋଜ ହୋଇଯାଇଥିଲେ । କିଶୋର ନିଖୋଜ ହୋଇଯିବା ସଂକ୍ରାନ୍ତରେ ତାଙ୍କ ମା’ ବିରିଡ଼ି ଥାନାରେ ଅଭିଯୋଗ କରିଥିଲେ । ଏବେ କନ୍ଦରପୁର ପାଖ ତାଳଦଣ୍ଡା କେନାଲରୁ ଅଜଣା ମୃତଦେହ ମିଳିବା ପରେ ପୁଲିସ ଚିନ୍ତାରେ ପଡ଼ିଯାଇଛି । କାରଣ ଅଥଙ୍ଗା ନିକଟରେ କିଶୋରଙ୍କ ବାପା ହୋଟେଲ କରିଛନ୍ତି । ହାଜିପୁର ଦୁଦୁରାମପାଟଣାରେ ଘର ହୋଇଥିଲେ ସୁଦ୍ଧା ୪/୫ ବର୍ଷ ତଳୁ କାର୍ତ୍ତିକ ଅଥଙ୍ଗା ପଳାଇ ଆସି ହୋଟେଲ କରିଥିଲେ । ଉକ୍ତ ହୋଟେଲରେ ମଧ୍ୟ ସେ ଓ ତାଙ୍କ ପତ୍ନୀ ରହୁଥିଲେ । ପୁଅ କିଶୋର ମଧ୍ୟ ଅଥଙ୍ଗା ସହ ଗାଁ ଘରକୁ ଯିବା ଆସିବା କରୁଥିଲେ । କିନ୍ତୁ ଗାଁକୁ କେତେବେଳେ କେମିତି କିଶୋର ଆସିଥାନ୍ତି ବୋଲି ସ୍ଥାନୀୟ ଅଞ୍ଚଳର କିଛି ଲୋକ ପ୍ରକାଶ କରିଛନ୍ତି । ତେବେ କିଶୋରଙ୍କ ସାନ ଭାଇ ଗୁଡ଼ୁଲ ଗାଁ ଘରେ ରହିଥାନ୍ତି । ଯେହେତୁ ଅଥଙ୍ଗାରୁ ଅଜଣା ମୃତଦେହ ମିଳିଥିବା ଜାଗାର ଦୂରତା ଅତି ବେଶି ହେଲେ ୨/୩ କିମି ହେବ ଏବଂ କିଶୋର ମଧ୍ୟ କିଛି ଦିନ ତଳୁ ନିଖୋଜ ରହିଛନ୍ତି । ସେ ଦୃଷ୍ଟିରୁ ଉଦ୍ଧାର ମୃତଦେହଟି କିଶୋରଙ୍କ ହୋଇଥାଇପାରେ ବୋଲି ସନେ୍ଦହ ପ୍ରକାଶ ପାଇଛି । ଅପରପକ୍ଷେ ମୃତଦେହର ବୟସ ଅଧିକ ହେବ ବୋଲି ପୁଲିସ କହୁଛି । ତଥାପି ପରିଚୟ ମିଳିନଥିବାରୁ ଏବେ ସୁଦ୍ଧା ଏ ସଂକ୍ରାନ୍ତରେ ଅଧିକ କିଛି କହିହେବ ନାହିଁ ବୋଲି ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ତାଳଦଣ୍ଡା କେନାଲରେ ଏତେ ଦିନ ଧରି ମୃତଦେହ ପଡ଼ିରହିବା ନେଇ କୌତୂହଳ ପ୍ରକାଶ ପାଇଛି । କାରଣ କେନାଲରେ ଅଧିକାଂଶ ଜାଗାରେ ଲୋକଙ୍କ ଚଳପ୍ରଚଳ ରହିଥାଏ । ଏବେ ଯେହେତୁ ଚାଷ ସମୟ, ଦୈନିକ ବହୁ ଲୋକ କେନାଲ ବନ୍ଧ ରାସ୍ତା ଦେଇ ଚାଷ ଜମିକୁ ଯାଇଥାନ୍ତି । ତଥାପି କିଭଳି କାହା ଆଖିରେ ଗଳିତ ମୃତଦେହଟି ନ ପଡ଼ିଲା ତାହାକୁ ନେଇ ନାନା ଆଲୋଚନା ଦାନା ବାନ୍ଧିଛି । ଏପଟେ ଦୁଇ ଦିନ ତଳେ କେନାଲ ପାଣିରେ କିଛି ଗୋଟେ ଭାସୁଥିବା ସାମ୍ନାକୁ ଆସିଥିଲା । ମାତ୍ର ଏହାକୁ ସେତେଟା କେହି ଗୁରୁତ୍ୱ ଦେଇନଥିଲେ । ଆଜି ଦୁର୍ଗନ୍ଧ ହେବା ସାଙ୍ଗକୁ ମୃତଦେହଟି ମୁହଁ ମାଡ଼ି ପାଣିରେ ଭାସୁଥିବା ଖବର ବିଜୁଳି ବେଗରେ ଖେଳି ଯାଇଥିଲା । କନ୍ଦରପୁର ପୁଲିସ ଘଟଣାସ୍ଥଳକୁ ଛୁଟି ଯାଇ ମୃତଦେହକୁ ଉଦ୍ଧାର କରିଥିଲେ ।
ତେବେ ଅଜଣା ମୃତଦେହ ଉଦ୍ଧାର ଘଟଣାରେ ଉଭୟ କନ୍ଦରପୁର ଓ ବିରିଡ଼ି ପୁଲିସ ଭିତରେ ସମନ୍ୱୟ ରହିନଥିଲା । କାରଣ ମୃତଦେହ ଉଦ୍ଧାର କରାଯିବା ପରେ ବିରିଡ଼ି ପୁଲିସକୁ ନ ଜଣାଇ ଏହାକୁ ଏଫ୍ଏମ୍ଟିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦେଇଥିଲେ କନ୍ଦରପୁର ପୁଲିସ । ଦୁଇ ଦିନ ହେଲାଣି ନର୍ସ ରୂପାଲିଙ୍କ ଗଳିତ ମୃତଦେହ ବିରିଡ଼ି ବିଲୁଆଖାଈ ନଈପଠାରୁ ଏକ ବସ୍ତାରୁ ମିଳିଥିବା ଖବର ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଥିଲା । ଏହି ଯୋଜନାବଦ୍ଧ ହତ୍ୟାକାଣ୍ଡରେ କିଶୋରଙ୍କ ସଂପୃକ୍ତି ଥିବା ସନେ୍ଦହ ପରିସରକୁ ଆସିଛି । ବିରିଡ଼ି ସହ ମଧୁପାଟଣା ପୁଲିସ ମଧ୍ୟ କିଶୋରଙ୍କ ସନ୍ଧାନ ଲଗାଇବାରେ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି । କିଶୋର ନିଖୋଜ ରହିଥିବା ମଧ୍ୟ ବିରିଡ଼ି ଥାନାରେ ଅଭିଯୋଗ ହୋଇଛି । ଏହା ସତ୍ତେ୍ୱ କନ୍ଦରପୁର ପୁଲିସ ଖାମ୍ଖିଆଲି ଭାବେ ବିିରିଡ଼ି କିମ୍ବା ମଧୁପାଟଣା ଥାନାକୁ ନ ଜଣାଇ ଅଜଣା ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଦେବା ଚକିତକାରୀ ବିଷୟ ହୋଇଛି । ପ୍ରକାରାନ୍ତରେ ଏହା ନର୍ସ ହତ୍ୟାକାଣ୍ଡର ତଦନ୍ତକୁ ପ୍ରଭାବିତ କରିପାରେ ବୋଲି ଚର୍ଚ୍ଚା ଖେଳିଛି । ଏପଟେ ସ୍ପେସାଲ ବ୍ରାଞ୍ଚରୁ ଖବର ପାଇ ବିରିଡ଼ି ପୁଲିସ କଟକ ଛୁଟି ଯାଇ ମୃତଦେହକୁ ଚିହ୍ନଟ କରିବାକୁ ପ୍ରୟାସ କରିଥିଲେ । କିନ୍ତୁ କିଶୋରଙ୍କ ଭାଇ ଗୁଡ଼ୁଲ ମୃତଦେହ ଚିହ୍ନଟ ନ କରିପାରିବାରୁ ପୁଲିସ ଏବେ ଡିଏନ୍ଏ ପରୀକ୍ଷା ରିପୋର୍ଟ ଉପରେ ଭରସା କରିଛି । ଆଜି ମୃତଦେହ ଉଦ୍ଧାର ପରେ ପୁଲିସର ତଦନ୍ତ ଦିଗହରା ହୋଇପଡ଼ିଛି । ଯେହେତୁ କିଶୋରଙ୍କ ସନ୍ଧାନ ମିଳିନାହିଁ, ସେ ଦୃଷ୍ଟିରୁ ତଦନ୍ତକୁ କେଉଁ ଦିଗରୁ ଆରମ୍ଭ କରାଯିବ ତାହା ପୁଲିସ ପାଇଁ ଚାଲେଞ୍ଜ ପାଲଟି ଯାଇଛି । ଜଗତସିଂହପୁର ଏସ୍ଡିପିଓ ଶ୍ରୀ ପାଲ, ଜଗତସିଂହପୁର ଥାନାଧିକାରୀ ରଜନୀକାନ୍ତ ମିଶ୍ର, ବିରିଡି ଥାନାଧିକାରୀ ପାରୋ ଟୁଡ଼ୁ, ନାଉଗାଁ ଥାନାଧିକାରିଣୀ ପ୍ରଜ୍ଞା ରିତାମ୍ବର କର ପ୍ରମୁଖ ମାମଲାର ଛାନ୍ଭିନ୍ରେ ଲାଗି ପଡ଼ିଥିବା ବେଳେ ମଧୁପାଟଣା ପୁଲିସ ମଧ୍ୟ ନିଜ ଆଡ଼ୁ ରୂପାଲି ହତ୍ୟା ମାମଲାର ପର୍ଦ୍ଧାଫାସ୍ରେ ଜୁଟି ଯାଇଥିବା ଖବର ମିଳିଛି । ଏଣେ ଆଜି ରୂପାଲିଙ୍କ ମୃତଦେହ କଟକ ଏଫ୍ଏମ୍ଟିରେ ବ୍ୟବଚ୍ଛେଦ କରାଯାଇଛି । ଉକ୍ତ ମାମଲାରେ ବ୍ୟବଚ୍ଛେଦ ରିପୋର୍ଟ ଯଥେଷ୍ଟ ଗୁରୁତ୍ୱବହନ କରୁଥିବାରୁ ପୁଲିସ ଯଥା ଶୀଘ୍ର ଏହାକୁ ହାସଲ କରିବାକୁ ପ୍ରଚେଷ୍ଟା ଜାରି ରଖିଛି । ତେବେ ଯଦି ଆଜି ଉଦ୍ଧାର ହୋଇଥିବା ମୃତଦେହ ଅନ୍ୟ କାହାର ବୋଲି ଚିହ୍ନଟ ହୁଏ ବା ନିଖୋଜ କିଶୋରଙ୍କର ସନ୍ଧାନ ମିଳିଯାଏ ତେବେ ହୁଏତ ଏ ରହସ୍ୟ ଫିଟିପାରେ ବୋଲି କୁହାଯାଉଛି ।
Comments are closed, but trackbacks and pingbacks are open.