ଅନଲାଇନ୍ ଠକେଇ:୨୫ ଲକ୍ଷ ଆଶା ଦେଖାଇ ଲୁଟିନେଲେ ୩ ଲକ୍ଷ ଟଙ୍କା

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ୍): ଆପଣଙ୍କୁ ବିଭିନ୍ନ କମ୍ପାନିର ଫୋନ୍ ଆସୁଛି କି? କେବିସିରେ ଲକ୍ଷାଧିକ ଟଙ୍କାର ଲଟେରୀ ଲାଗିବା, ମୋବାଇଲ ଟାୱାର ବସାଇବା, ବ୍ୟାଙ୍କ ଆକାଉଣ୍ଟ ଏବଂ ଏଟିଏମ୍ ଲକ୍ ହେବା ସମ୍ପର୍କରେ ଅଜଣା କଲ୍ ଆସିଲେ ସାବଧାନ ରୁହନ୍ତୁ । ନଚେତ୍ ଠକାମୀର ଶିକାର ହୋଇପାରନ୍ତି । ମୁହୂର୍ତ୍ତକରେ ଚାଲି ଯାଇପାରେ ଆପଣଙ୍କର ସମସ୍ତ ସଞ୍ଚୟ ଅର୍ଥ । ଏହିଭଳି ଏକ ଠକାମୀର ଶିକାର ହୋଇଛନ୍ତି ଦାମନଯୋଡି ଚମ୍ପାପଦରର ଭୀମସେନ ଗୌଡ । ୨୫ ଲକ୍ଷ ଟଙ୍କା ପାଇବା ଆଶାରେ ୩ ଲକ୍ଷ ୧୫ ହଜାର ଟଙ୍କା ଏକ ଏଜେଣ୍ଟକୁ ଦେଇ ଭୀମ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଟଙ୍କା କେମିତି ଫେରି ପାଇବେ ସେ ନେଇ ଚିନ୍ତାରେ ଅଛନ୍ତି ।
ଭୀମସେନ କହିଛନ୍ତି, ଟିଭିରେ ଚାଲିଥିବା ‘କୌନ ବନେଗା କରୋଡ଼ପତି’ କାର୍ଯ୍ୟକ୍ରମରେ ଲଟେରୀ ଲାଗିଥିବା ନେଇ ଗତ ଅଗଷ୍ଟ ୩୧ ରେ ତାଙ୍କ ପାଖକୁ ଫୋନ୍ ଆସିଥିଲା । ଭୀମଙ୍କ ନାମରେ ୨୫ ଲକ୍ଷ ଟଙ୍କାର ବ୍ୟାଙ୍କ ଚେକ୍ ଆସିଛି ବୋଲି କହି ରାଣାପ୍ରତାପ ସିଂ ନାମକ ଜଣେ ବ୍ୟକ୍ତି ହ୍ୱାଟ୍ସଆପ୍ ନମ୍ବର ମାଗିଥିଲା । ରାଣାପ୍ରତାପ ନିଜକୁ ମୁମ୍ବାଇର ପାର୍ଟ ଲଟେରୀ ମ୍ୟାନେଜର ପରିଚୟ ଦେଇଥିଲେ । ଏପରି କି ପରିଚୟପତ୍ର ମଧ୍ୟ ପଠାଇଥିଲେ । ବ୍ୟାଙ୍କ ଜମା ଖାତା ଆକାଉଣ୍ଟ ନମ୍ବର ଦେଲେ ଉକ୍ତ ଚେକ୍ ଡିପୋଜିଟ୍ ହେବ ବୋଲି ରାଣାପ୍ରତାପ ଭୀମଙ୍କୁ କହିଥିଲା । ଏହାକୁ ବିଶ୍ୱାସ କରି ଭୀମସେନ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଜମାଖାତା ଆକାଉଣ୍ଟ ନମ୍ବର ଦେଇଥିଲେ । ଆକାଉଣ୍ଟ ନମ୍ବର ପାଇବା ପରେ ରାଣାପ୍ରତାପ ୨୫ ଲକ୍ଷ ଟଙ୍କାର ଏକ ବ୍ୟାଙ୍କ ଚେକ୍ ଦାଖଲ କରାଯାଇଥିବା ନକଲ ରସିଦ୍ ପୋଷ୍ଟିଂ କରିଥିଲେ । ଗତ ସେପ୍ଟେମ୍ବର ୪ରେ ବ୍ୟାଙ୍କ ମୁଖ୍ୟ ଶାଖାର ଏକ ନକଲ ଚିଠି ତାଙ୍କ ମୋବାଇଲକୁ ମଧ୍ୟ ପଠାଯାଇଥିଲା । ଭୀମଙ୍କ ଖାତା ସାଧାରଣ ଜମା ଖାତା ହୋଇଥିବାରୁ ଏତେ ପରିମାଣର ଟଙ୍କା ଦାଖଲ କରାଯାଇପାରୁ ନଥିବା ଚିଠିରେ ଦର୍ଶାଯାଇଥିଲା । ଏଣୁ ଏହାକୁ କରେଣ୍ଟ ଆକାଉଣ୍ଟରେ ପରିବର୍ତ୍ତନ କରିବାକୁ ପଡିବ । ଏହା ପରେ ୨୬ ଲକ୍ଷ ୪୦ ହଜାର ଟଙ୍କା ଦାଖଲ କରାଯିବ ବୋଲି କୁହାଯାଇଥିଲା । ଏଥିପାଇଁ ୱାର୍ଲଡ ବ୍ୟାଙ୍କର ଅନୁମତି ଦରକାର । ଟଙ୍କା ନୂଆଦିଲ୍ଲୀ ଦେଇ ଓଡିଶା ଶାଖାରେ ପହଞ୍ଚିବ । ସେଥିପାଇଁ ଭାରତ ସରକାର ୭୫ ହଜାର ଟଙ୍କା ଟ୍ୟାକ୍ସ ଦାବି କରିଥିବା ଚିଠିରେ ଉଲ୍ଲେଖ ରହିଥିଲା । ୭୫ ହଜାର ଟଙ୍କା ଜମା କରିବା ପରେ ଏହି ଟଙ୍କା ଉଠାଯାଇ ପାରିବ ବୋଲି କୁହାଯାଇଥିଲା । ପରେ ସମ୍ପୃକ୍ତ ବ୍ୟକ୍ତି ସୋନିଆ ଦେବୀ ନାମକ ଜଣେ ମହିଳାଙ୍କ ଆକାଉଣ୍ଟ ନମ୍ବର ଦେଇ ସେଥିରେ ଟଙ୍କା ଦାଖଲ କରିବାକୁ କହିଥିଲେ ।
ଭୀମ ଗତ ୪ ତାରିଖରେ ୪ଟି ପର୍ଯ୍ୟାୟରେ ୪୦ ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ । ପୁଣି ୫ ତାରିଖରେ ୪୦ ହଜାର, ୧୬ରେ ଛୋଟୁ ତନ୍ତି ନାମକ ବ୍ୟକ୍ତିଙ୍କ ଖାତାରୁ ୪୦ ହଜାର, ୧୮ ତାରିଖରେ ପୁଣି ୨୯ ହଜାର ୫୦୦ ଦାଖଲ କରିଥିଲେ । ଚାରିରୁ ୧୯ ତାରିଖ ମଧ୍ୟରେ ବିଭିନ୍ନ ଆକାଉଣ୍ଟ ଜରିଆରେ ମୋଟ ୩ ଲକ୍ଷ ୧୫ ହଜାର ଟଙ୍କା ଡିପୋଜିଟ୍ କରିଥିଲେ । ଏ ସମ୍ପର୍କରେ କାହାକୁ କହିଲେ ଟଙ୍କା ମିଳିବ ନାହିଁ ବୋଲି ରାଣା ପ୍ରତାପ ସତର୍କ କରାଇଥିଲେ । ଏହାପରେ ୧୯ ତାରିଖରେ ପୁଣିଥରେ ୧୩ ଲକ୍ଷ ୨୦ ହଜାର ଟଙ୍କାର ଏକ ଚେକ୍ ଦେବାକୁ ପଡିବ ବୋଲି କୁହାଯାଇଥିଲା । ଆୟକର ବିଭାଗକୁ ଉକ୍ତ ଟଙ୍କା ଦିଆଯିବ ବୋଲି ଏଥିରେ ଉଲ୍ଲେଖ ରହିଥିଲା । ଏଥିରେ ତାରିଖ ସ୍ଥାନରେ ୧୯-୯-୨୦୯ ଉଲ୍ଲେଖ ରହିଥିଲେ ମଧ୍ୟ ସେ ସନେ୍ଦହ କରି ନଥିଲେ । ଏତେ ଟଙ୍କା ଜମା କରିବା ପରେ ବି ୨୫ ଲକ୍ଷ ଟଙ୍କା ତାଙ୍କ ଖାତାକୁ ଆସି ନଥିଲା । ଭୀମସେନ ଏହାମଧ୍ୟ କହିଛନ୍ତି ଯେ, ଘରେ କାହାକୁ ନଜଣାଇ ସେ ସୁନା ବିକ୍ରି କରି ଟଙ୍କାତକ ଜମା କରିଥିଲେ । ୧୫ ଦିନରେ ଟଙ୍କା ଫେରାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇ ଲୋକଙ୍କଠୁ ହାତ ଉଧାରି ଆଣିଥିଲେ । ଏବେ ସେମାନେ ଉଧାର ଟଙ୍କା ମାଗୁଛନ୍ତି । ଟଙ୍କା ଫେରି ନପାଇଲେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି । ତେବେ ଏସମ୍ପର୍କରେ ସେ ଥାନାରେ ଆଜିପର୍ଯ୍ୟନ୍ତ କୌଣସି ଅଭିଯୋଗ କରି ନଥିବା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons