କୋଇଲା ବିକିଲେ ପୂରୁଛି ପେଟ, ଝରଣା ପାଣିରେ ମେଣ୍ଟୁଛି ଶୋଷ

Get real time updates directly on you device, subscribe now.

ଅମ୍ବାଦଳା,(ବି.ବି.ନୁ୍ୟଜ୍): ମୁଣ୍ଡରେ କୋଇଲା ବସ୍ତା, ଅଣ୍ଟାରେ ବନ୍ଧା ପଡିଛନ୍ତି ଆଗାମୀ କାଲିର ଭବିଷ୍ୟତ । ଦୁର୍ଗମ ପଥ ଦେଇ ୭ କିଲୋମିଟର ଚାଲିବା ପରେ ପେଟକୁ ମିଳୁଛି ଆହାର ମୁଠାଏ । ସାପ୍ତାହିକ ହାଟରେ କୋଇଲା ବିକିଲେ ସେମାନଙ୍କ ପରିବାରର ତେଲଲୁଣ ଖର୍ଚ୍ଚ ମେଣ୍ଟୁଛି । ଏ ଦୃଶ୍ୟ ଦେଖିବାକୁ ମିଳିଛି ମୁନିଗୁଡା ବ୍ଲକ୍ ଶରଧାପୁର ପଞ୍ଚାୟତର ସୁଲେରପଦର ଗାଁରେ । ଗାଁରେ ରହୁଛନ୍ତି ୮ ଆଦିବାସୀ ପରିବାର । ସେମାନଙ୍କ ଲାଗି ବଞ୍ଚିବାର ଅନ୍ୟ କିଛି ଉପାୟ ନାହିଁ । ରାତି ପାହିଲେ ପାଖ ପାହାଡ଼ ଓ ଜଙ୍ଗଲକୁ ଯାଇଥାନ୍ତି ପିଲାଛୁଆଙ୍କ ସହ । ସେଠାରୁ ବହୁ କଷ୍ଟରେ ସଂଗ୍ରହ କରିଥାନ୍ତି କୋଇଲା । ବଡ଼ ବଡ଼ କୋଇଲା ବସ୍ତାକୁ ମୁଣ୍ଡରେ ବୋହି ୭ କିଲୋମିଟର ଦୂରରେ ଥିବା ଅମ୍ଳାଭଟ୍ଟା ସାପ୍ତାହିକ ହାଟକୁ ନେଇଥାନ୍ତି । ସେଠାରେ ବିକ୍ରି କରି ଯାହା ଦି ପଇସା ପାଇଥାନ୍ତି, ସେଥିରେ ସେମାନଙ୍କ ସଂସାର ଚଳୁଛି । ବିଡମ୍ବନାର ବିଷୟ, ବିକାଶର ବହୁ ଦୂରରେ ରହିଯାଇଛି ସୁଲେରପଦର ଗାଁ । ଆଜି ପର୍ଯ୍ୟନ୍ତ ଏହି ଗାଁରେ ବିକାଶର ଛିଟା ପଡିନାହିଁ । ବଞ୍ଚିବା ପାଇଁ କେବଳ ରୋଜଗାରର ମାଧ୍ୟମ ପାଲଟିଛି ଘଞ୍ଚ ଜଙ୍ଗଲ । ଏମାନେ ଜଙ୍ଗଲ ନଷ୍ଟ କରୁଛନ୍ତି ଏକଥା ସତ । କିନ୍ତୁ ବିକଳ୍ପ ନଥିବାରୁ କୋଇଲା ହିଁ ସେମାନଙ୍କୁ ବଞ୍ଚିବାର ରାହା ଦେଖାଇଛି ।
ଅତ୍ୟନ୍ତ ଦୁର୍ଗମ ଅଞ୍ଚଳରେ ରହିଛି ସୁଲେରପଦର ଗାଁ । ଆଜି ପର୍ଯ୍ୟନ୍ତ ଗାଁକୁ ପକ୍କା ରାସ୍ତାଟିଏ ହୋଇପାରିନାହିଁ । ନିକଟରେ ପଡୋଶୀ ଅମ୍ବାଦଳା ପଞ୍ଚାୟତର ଡଙ୍ଗରବୋରିଠାରୁ ଏକ ନୂତନ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଛି । କିନ୍ତୁ ତାହା ଜଙ୍ଗଲ ଜମି ଦେଇ ଯାଉଥିବାରୁ ବନ ବିଭାଗର ଅନୁମତି ମିଳିନାହିଁ । ଏଥିଯୋଗୁ ଅଧାରେ ଅଟକି ଯାଇଛି ରାସ୍ତାକାମ । ରୋଗ ହେଲେ ଗାଁ ପାଖରେ କୌଣସି ସ୍ୱାସ୍ଥ୍ୟକେନ୍ଦ୍ର ନାହିଁ । ରୋଗୀଙ୍କୁ ୭ କିଲୋମିଟର ବହୁ କଷ୍ଟରେ ପାରି କରିବାକୁ ପଡେ । ନେବାକୁ ପଡେ ଅମ୍ଳାଭଟ୍ଟାରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରକୁ । ଦୁଃଖର କଥା, ଏମାନେ ସମସ୍ତେ ଆଦିମ ଜନଜାତି ହୋଇଥିଲେ ହେଁ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି । କୌଣସି ଗୋଟିଏ ହେଲେ ପରିବାରକୁ ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ସାମିଲ କରାଯାଇନାହିଁ । ଅନ୍ୟାନ୍ୟ ସରକାରୀ ଯୋଜନା ସମ୍ପର୍କରେ କିଛି ହେଲେ ଜାଣନ୍ତି ନାହିଁ ଏଠାକାର ଅଧିବାସୀ । ବାଧ୍ୟ ହୋଇ ଜଙ୍ଗଲରୁ କୋଇଲା ସଂଗ୍ରହ କରି ପେଟ ପୋଷନ୍ତି । ଝରଣାରୁ ପାଣି ସଂଗ୍ରହ କରି ଶୋଷ ମେଣ୍ଟାନ୍ତି ।
ଗାଁରେ ରହୁଥିବା ଅନେକ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି । ତଥାପି ସରକାରୀ ବାବୁମାନଙ୍କର ପାଦ ପଡୁନାହିଁ ଗାଁରେ । ବାପାମାଆଙ୍କ ସହ ପିଲାମାନେ ବି ଜଙ୍ଗଲରୁ କୋଇଲା ମୁଣ୍ଡାଇ ସାପ୍ତାହିକ ହାଟକୁ ନେଉଛନ୍ତି । ଶିକ୍ଷାଠାରୁ ମଧ୍ୟ ବହୁ ଦୂରରେ ରହିଯାଇଛି ଏ ଗାଁ । ଯେଉଁଠି ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଅପହଞ୍ଚ, ସେଠାରେ ବିକାଶର ଧାରା ବା କେମିତି ଆଗେଇ ପାରିବ, ତାହା ସ୍ପଷ୍ଟ ଅନୁମେୟ । ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେବାକୁ ସୁଲେରପଦର ଗ୍ରାମବାସୀ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons