ଦେବଗଡ,(ବି.ବି.ନୁ୍ୟଜ୍): ଗତ ଜୁନ୍ ମାସରେ ୭ ଫୁଟିଆ ବାଘ ଚମଡ଼ା ସହ ରାଜ୍ୟ ସିଆଇଡି କ୍ରାଇମ ବ୍ରାଞ୍ଚର ସ୍ପେସିଆଲ ଟାr ଫୋର୍ସ (ଏସ୍ଟିଏଫ୍) ପୁଲିସ ୭ ଜଣ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିବା ବେଳେ ୨ ମାସ ବ୍ୟବଧାନରେ ଗତକାଲି ବିଳମ୍ବିତ ରାତିରେ ଦେବଗଡ ଫରେଷ୍ଟ ସ୍କ୍ୱାଡ୍ ପୁଣି ଆଉ ଏକ ୭ ଫୁଟିଆ ବାଘ ଚମଡ଼ା ଜବତ କରିଛି । ଡିଏଫ୍ଓ କ୍ଷମା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ୍ ଚୋରା ଚାଲାଣ କରୁଥିବା ଏକ ବୋଲେରୋ ସହ ତାକୁ ପାଇଲଟିଂ କରୁଥିବା ଏକ ବାଇକ୍ ଜବତ କରିବା ସହ ଘଟଣାସ୍ଥଳରୁ ୫ ତସ୍କରଙ୍କୁ ଧରିବାରେ ସଫଳ ହୋଇଛି । ଘଟଣାରେ ସମ୍ପୃକ୍ତ ଆଉ କିଛି ସନ୍ଦିଗ୍ଧ ଫେରାର୍ ଥିବା ବେଳେ ବନ ବିଭାଗର ୨ଟି ସ୍ପେସିଆଲ ଟିମ୍ ସେମାନଙ୍କୁ ଟ୍ରାକିଂ ଜରିଆରେ ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଓ ସୁନ୍ଦରଗଡ ଜିଲ୍ଲା ଟିକାୟତପାଲି ଥାନାଞ୍ଚଳରେ କାବୁ କରିବା ସହ ଦେବଗଡ଼ ଆଣୁଥିବା ସୂଚନା ମିଳିଛି ।

ଘଟଣାସ୍ଥଳରେ ଏକ କଲରାପତରିଆ ବାଘଛାଲ ସହ ଫରେଷ୍ଟ ଖୁଆଡ଼କୁ ଫସିଥିବା ଅଭିଯୁକ୍ତମାନେ ଦେବଗଡ଼ ଜିଲ୍ଲା ବାରକୋଟ ଥାନାଞ୍ଚଳର ସନାତନ ଲୁହୁରା (୨୦), ରିଆମାଳ ଥାନା ତଥା କଂସର ଫାଣ୍ଡି ପାଳକୁଦର ଗାଁର ଦେବେନ୍ଦ୍ର ରଣଚୁଳିଆ (୨୭) ଓ ଦେବଗଡ ଥାନା ବଳମ ଗାଁର ସୁଶାନ୍ତ କୁଲୁ (୩୦), ପୌରାଞ୍ଚଳ ରଜାମୁଣ୍ଡା ନିବାସୀ ନିତେଶ୍ ଇନ୍ଦୁଆର, ପଳସାକୁଦର ଗାଁର ବିମ୍ବାଧର ଉଦାବର (୪୦) ଓ ରାଜେଶ ବେହେରା (୨୭) ବୋଲି ଜଣାପଡିଛି । ଦେବଗଡ଼ ଅଣାଯାଉଥିବା ଅନ୍ୟ ୨ ଅଭିଯୁକ୍ତ ଟିକାୟତପାଲି ଥାନାଞ୍ଚଳର ରାନୁ ବେହେରା ଓ କିସିଣ୍ଡା ଥାନାଞ୍ଚଳର ସୁରେନ୍ଦ୍ର ପ୍ରଧାନ ବୋଲି ଜଣାପଡିଛି । ଅନ୍ୟ ପକ୍ଷରେ ଘଟଣାର ତଦନ୍ତ ଚାଲିଛି କହି ଅଧିକ ତଥ୍ୟ ଦେବାକୁ ମନା କରିବା ସହ ଖୁବଶିଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଧରାଯିବ ବୋଲି ଡିଏଫ୍ଓ ଶ୍ରୀମତୀ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି ।
ସୂଚନା ମତେ କିଛିଦିନ ତଳେ ଦେବଗଡ଼ ବନଖଣ୍ଡରୁ ବାଘ ଚମଡ଼ା ଚୋରାଚାଲାଣ ହେବାକୁ ପ୍ରସ୍ତୁତି ଚାଲିଥିବା ଖବରପାଇ ଡିଏଫ୍ଓ ଶ୍ରୀମତୀ ଷଡଙ୍ଗୀ ଫରେଷ୍ଟ ରେଞ୍ଜର କୁଶଚରଣ ସିଂ, ଡେପୁଟି ରେଞ୍ଜର ମହେନ୍ଦ୍ର ସାହୁ ଓ ଫରେଷ୍ଟର ପ୍ରସନ୍ନ ସାହୁଙ୍କୁ ନେଇ ଗୋଟିଏ ସ୍କ୍ୱାଡ୍ ଏବଂ କଂସର ଫରେଷ୍ଟର ପ୍ରସନ୍ନ ମିଶ୍ରଙ୍କ ନେତୃତ୍ୱରେ ଭୀମସେନ ଶତପଥୀ ଓ ଅନ୍ୟ କିଛି ବିଶ୍ୱସ୍ତ କର୍ମଚାରୀଙ୍କୁ ନେଇ ଆଉ ଏକ ସ୍କ୍ୱାଡ୍ ଗଠନ କରିଥିଲେ । ଉକ୍ତ ୨ ସ୍କ୍ୱାଡ୍ ଗ୍ରାହକ ସାଜି ତିଳେଇବଣି ବ୍ଲକ ବରଘାଟ ଛକ ନିକଟ ଏକ ଢାବା ହୋଟେଲ ନିକଟରେ ବଲରୋ ନେଇ ବାଘଛାଲ ସହ ଅପେକ୍ଷା କରିଥିବା ୪ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ସେହିପରି ସମ୍ବଲପୁର ଅଞ୍ଚଳକୁ ଚୋରାଚାଲାଣ କରୁଥିବା ଉକ୍ତ ବୋଲେରୋ ଭିତରୁ ବାଘଚମଡ଼ା ଥିବା ଏକ ଟୁରିଷ୍ଟ ବ୍ୟାଗ ଉଦ୍ଧାର କରିବା ସହ ସେହି ସମୟରେ ପାଇଲଟିଂ ପାଇଁ ସେଠାକୁ ପହଞ୍ଚିଥିବା ପାଳକୁଦର ଗାଁର ଦେବେନ୍ଦ୍ର ରଣଚୁଳିଆକୁ ବାଇକ୍ ସହ କାବୁ କରାଯାଇଥିଲା । ଅନ୍ୟପକ୍ଷରେ ଜବତ ହୋଇଥିବା ୧.୫ ମିଟର ଲମ୍ବର ଉକ୍ତ କଲରା ପତରିଆ ବାଘ ଚମଡ଼ାର ଆନୁମାନିକ ବଜାର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ ଆକଳନ କରିଛି । ସେହିପରି ୨ ମାସର ବ୍ୟବଧାନରେ ଜିଲ୍ଲାରୁ ୨ ବାଘ ଚମଡ଼ା ଜବତ ହେବା ଘଟଣାକୁ ନେଇ ଦେବଗଡ଼ ବନଖଣ୍ଡ ଏବେ ବନ୍ୟଜନ୍ତୁ ତସ୍କରଙ୍କ ଭୂସ୍ୱର୍ଗ ପାଲଟିଛି ବୋଲି ପରିବେଶବିତ ମହଲରେ ଚର୍ଚ୍ଚା ହେଉଛି ।
Comments are closed, but trackbacks and pingbacks are open.