ବାରିପଦା,(ବି.ବି.ନୁ୍ୟଜ୍): ଜଣେ ଯୁବତୀଙ୍କ ସହିତ ପ୍ରେମ ସଂପର୍କ ରଖି ସେr ଓ ତା’ପରେ ସେହି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି ଧୋକା ଦେବା ଘଟଣାରେ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ବାରିପଦା ସଦର ଥାନା ପୁଲିସ । ଅଭିଯୁକ୍ତ ଯୁବକ ଜଣଙ୍କ ଶାମାଖୁଣ୍ଟା ବ୍ଲକ ଅଧୀନ ଧନପୁର ଗ୍ରାମର ଖଗେଶ୍ୱର ମହାନ୍ତଙ୍କ ପୁଅ ଗୁଲସନ ମହାନ୍ତ(୨୨) । ସୋସିଆଲ ମିଡିଆରେ ପ୍ରେମୀ ଯୁଗଳଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ ହେବା ପରେ ଯୁବତୀଙ୍କ ପକ୍ଷରୁ ବାରିପଦା ସଦର ଥାନାରେ ଗତକାଲି ଲିଖିତ ଅଭିଯୋଗ ହୋଇଥିଲା । ଏଭଳି ସମ୍ବେଦନଶୀଳ ଘଟଣା ନେଇ ପୁଲିସ ସଙ୍ଗେ ସଙ୍ଗେ ୧୦୩/୧୯ ନଂ କେସ୍ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ବୁଧବାର ଅଭିଯୁକ୍ତ ଗୁଲସନକୁ ଗିରଫ କରିଛି । ଡାକ୍ତରୀ ମାଇନା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୁକ୍ତ ଗୁଲସନ ବିରୋଧରେ ପୁଲିସ ୩୨୮/୩୭୬/୫୦୬ଆଇପିସି ଆକ୍ଟ ସହିତ ଆଇଟି ଆକ୍ଟ ୬୭(ଏ) ଏବଂ ୬୬(ଡି) ଦଫା ଲଗାଇଛି ।
ସଦରଥାନା ଅଧିକାରୀ ସ୍ୱର୍ଣ୍ଣଲତା ମିଞ୍ଜଙ୍କ ସୂଚନା ମୁତାବକ ୨୦୧୮ ମସିହାରେ ଗୁଲସନ ସହିତ ଯୁବତୀଙ୍କ ପ୍ରେମ ସଂପର୍କ ଗଢି ଉଠିଥିଲା । ତେବେ ପରବର୍ତ୍ତୀ ସମୟରେ ସଂପର୍କରେ ଫାଟ ପଡ଼ିବାରୁ ଯୁବକ ଜଣକ ଯୁବତୀଙ୍କୁ ବାରମ୍ବାର ବ୍ଲାକମେଲ୍ କରିଆସୁଥିଲେ । ଯୁବକଙ୍କ ପାଖରେ ଥିବା ତାଙ୍କର ଫଟୋକୁ ଭାଇରାଲ କରିଦେବେ ବୋଲି ମଧ୍ୟ ଧମକ ଦେଉଥିଲେ । ତେବେ ଯୁବତୀ ଜଣକ ଆଉ ଗୁଲସନଙ୍କ ସହିତ କୌଣସି ସଂପର୍କ ନ ରଖିବାରୁ ଶେଷରେ ଗୁଲସନ ତାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିଦେଇଥିଲେ । ସୋସିଆଲ ମିଡିଆରେ ପ୍ରେମିକ ପ୍ରେମିକାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ହେବା ପରେ ଯୁବତୀଙ୍କ ପରିବାର ଲୋକ ଲଜ୍ଜା ଓ ଲୋକନିନ୍ଦା ଭୟରେ ଘାରି ହେଉଥିବା ବେଳେ ସାହାସ ଜୁଟାଇ ପୀଡ଼ିତା ଜଣକ ନିଜେ ଆସି ସଦର ଥାନାରେ ଗୁଲସନ ବିରୋଧରେ ଏତଲା ଦେଇଥିଲେ । ଏହି ଅଭିଯୋଗକୁ ଆଧାର କରି ସଦର ଥାନା ପୁଲିସ ଗୁଲସନକୁ ଗିରଫ କରି କୋର୍ଟ ଚାଲାଣ କରିଛି ।


Comments are closed, but trackbacks and pingbacks are open.