ତୁରୁମୁଙ୍ଗା,(ବି.ବି.ନୁ୍ୟଜ୍):କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ବିଗତ କିଛି ବର୍ଷ ହେଲା ଓଡ଼ିଶା ତଥା ଝାଡ଼ଖଣ୍ଡରେ ଚୋରି, ଡକାୟତି ଆଦି ଘଟଣାରେ ସଂପୃକ୍ତ ୬ ଆନ୍ତଃରାଜ୍ୟ ଡକାୟତଙ୍କୁ କାବୁ କରିଛି ପୁଲିସ । ସେମାନଙ୍କଠାରୁ ୩ପିସ୍ତଲ, ୧୬ ବାଇକ, ଏକାଧିକ ମୋବାଇଲ ଓ ମାରଣାସ୍ତ୍ର ଜବତ କରାଯାଇଛି । ସେମାନେ ହେଲେ ଡକାୟତି ମାମଲାର ମାଷ୍ଟରମାଇଣ୍ଡ ଘଟଗାଁ ଥାନା ବଡ଼ମସିଣାବିଲା ଗ୍ରାମର ଗୋବିନ୍ଦ ଗିରି(୩୮), ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇଟାଙ୍ଗିରୀ ଗ୍ରାମର ରାହୁଲ ନାୟକ(୨୫), ପଶ୍ଚିମ ସିଂହଭୂମି ଜିଲ୍ଲା ମଝିଗାଁ ଥାନା ଜମ୍ବୁରିପଶି ଗ୍ରାମର ମଣିକର ନାୟକ(୩୮), ଯାଜପୁର ଜିଲ୍ଲା ଟମକା ଥାନା ତରାଇଲ ଗ୍ରାମର ସୁକାନ୍ତ କୁମାର ପୃଷ୍ଟି(୩୮), ଘସିପୁରା ଥାନା ଅନ୍ତର୍ଗତ ବାଲିପାଳ ଅଞ୍ଚଳର ବିଷ୍ଣୁ ସେନାପତି(୩୭) ଏବଂ ଘଷିପୁରା ଥାନା ଅନ୍ତର୍ଗତ କେଶଦୁରାପାଳର ଅମୂଲ୍ୟ ପାତ୍ର (୩୨) ବୋଲି ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଚମ୍ପୁଆ ଏସଡିପିଓ ହରିହର ପାଣି ଓ ତୁରୁମୁଙ୍ଗା ଥାନାଧିକାରୀ ଅମିତାଭ ଦାସ ସୂଚନା ଦେଇଛନ୍ତି ।

ଏସଡିପିଓ ଶ୍ରୀ ପାଣି କହିଛନ୍ତି ଯେ, ଅଗଷ୍ଟ ୨୩ ପୂର୍ବାହ୍ନ ୧୧ଟାରେ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥ ଡାବରଚୁଆ ଛକ ନିକଟରେ ଭାରତ ଫାଇନାନ୍ସ କର୍ମଚାରୀ ପୁଷ୍ପଲତା ନାୟକଙ୍କୁ ଦୁର୍ବୃତ୍ତମାନେ ପିସ୍ତଲ ଦେଖାଇ ନଗଦ ୯୨ ହଜାର ଟଙ୍କା ଏବଂ ଫାଇନାନ୍ସ କାଗଜପତ୍ର, ମୋବାଇଲ ଆଦି ଲୁଟି ନେଇଥିଲେ । ଏନେଇ ତୁରୁମୁଙ୍ଗା ଥାନାରେ ଅଭିଯୋଗ ପରେ ପୁଲିସ ଜୋରଦାର ଛାନଭିନ ଜାରି ରଖିଥିଲା । ଏସପି ମିତ୍ରଭାନୁ ମହାପାତ୍ରଙ୍କ ନିଦେ୍ର୍ଧଶରେ ଡକାୟତମାନେ ବ୍ୟବହାର କରୁଥିବା ଫାଇନାନ୍ସ କର୍ମଚାରୀଙ୍କ ମୋବାଇଲକୁ ଟ୍ରାକିଂ ବେଳେ ସେମାନେ ପୁଣି ଲୁଟ୍ ଯୋଜନା କରୁଥିବା ଜଣାପଡ଼ିଥିଲା । ସେମାନଙ୍କୁ ଧରିବା ପାଇଁ ପୁଲିସ ଜାଲ ବିଛାଇଥିଲା ।
ଏହି ଡକାୟତି ଗ୍ୟାଙ୍ଗର ୩ଜଣଙ୍କୁ ସଦର ଥାନା ଅନ୍ତର୍ଗତ ନରଣପୁର ନିକଟରୁ କାବୁ କରାଯିବା ପରେ ଅନ୍ୟ ସ୍ଥାନରେ ଚଢ଼ାଉ କରାଯାଇ ଆଉ ୩ ଜଣଙ୍କୁ ଗିରଫ କରାଯାଇଥିଲା । ଗିରଫ ସମୟରେ ସେମାନେ ବ୍ୟବହାର କରୁଥିବା ୧୫ ଚୋରା ବାଇକ, ଗୋଟିଏ ସ୍କୁଟି ଜବତ କରାଯାଇଛି । ଏହାବାଦ୍ ୩ଟି ପିସ୍ତଲ, ୯ଟି ଅଫୁଟା ଗୁଳି, ଗୋଟିଏ ଖୋକା, ଗୋଟିଏ ଭୁଜାଲି, ଗୋଟିଏ ଫାର୍ସା ଓ ୬ଟି ମୋବାଇଲ ଜବତ ହୋଇଛି । ଏହି ଡକାୟତମାନେ କେନ୍ଦୁଝର ଜିଲ୍ଲାର ତୁରୁମୁଙ୍ଗା, ପାଟଣା, ନରଣପୁର, ଡିମ୍ବୋ, ବାରିଆ, ଘଟଗାଁ, ମୟୁରଭଞ୍ଜ ଜିଲ୍ଲାର ଘାଗରବେଡ଼ା, ଯାଜପୁର ଜିଲ୍ଲାର ଟମକା ଆଦି ପ୍ରମୁଖ ସ୍ଥାନରେ ହୋଇଥିବା ଟଙ୍କା, ମୋବାଇଲ, ବାଇକ ଲୁଟ୍ ଘଟଣାରେ ସଂପୃକ୍ତ ଥିବା ଜଣାପଡ଼ିଛି ।

ସେମାନଙ୍କ ନାମରେ ବିଭିନ୍ନ ଥାନାରେ ବହୁ ମାମଲା ମଧ୍ୟ ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଶ୍ରୀ ପାଣି, ଥାନାଧିକାରୀ ଶ୍ରୀ ଦାସ, ଏଏସଆଇ ଗୁରୁପ୍ରସାଦ ଦେଓ, କୈଳାସଚନ୍ଦ୍ର ମହାନ୍ତ, ଗୁମନ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଡକାୟତମାନଙ୍କ ବିରୋଧରେ ତୁରୁମୁଙ୍ଗା ଥାନା କେସ ନଂ୯୯/୨୪ା୯ା୨୦୧୯ରେ ଦଫା ୩୯୯/୪୦୨ ଭାରତୀୟ ଦଣ୍ଡ ବିଧାନ ଆଇନ ଓ ୨୫ ଭାରତୀୟ ଅସ୍ତ୍ରଶସ୍ତ୍ର ଆଇନ ଅନୁସାରେ ମାମଲା ରୁଜୁ ହୋଇଛି । ଆଜି ସମସ୍ତ ଡକାୟତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
Comments are closed, but trackbacks and pingbacks are open.