ଫୁଲବାଣୀ, (ବି.ବି.ନୁ୍ୟଜ୍): ସରକାରୀ ଡାକ୍ତରଖାନା ପରିସରରେ ଚାଲିଛି ଘରୋଇ ପ୍ୟାଥଲୋଜି ଓ ମେଡିକାଲ ଷ୍ଟୋର୍ । ଏହାଦ୍ୱାରା ରୋଗୀମାନେ ଅଯଥା ଆର୍ଥିକ ଶୋଷଣର ଶିକାର ହେଉଥିବା ନେଇ ଅଭିଯୋଗ ହେଉଛି । ଏଭଳି ଘଟଣା ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି । ରାଜ୍ୟ ସରକାର ଆସନ୍ତା ଅକ୍ଟୋବର ୨ ତାରିଖରୁ ‘ମୋ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ରୋଗୀଙ୍କୁ ମାଗଣାରେ ଚିକିତ୍ସା ଓ ଔଷଧ ଯୋଗାଇବେ । ଏହାସହ ରୋଗୀମାନେ କିଭଳି ଉତ୍ତମ ସ୍ୱାସ୍ଥ୍ୟସେବା ପାଇବେ ସେ ନେଇ ଏହି କାର୍ଯ୍ୟକ୍ରମ ଜରିଆରେ ତଦାରଖ କରାଯିବ । ହେଲେ, ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ କିଭଳି ଏହି ଯୋଜନାର ସୁଫଳ ପାଇବେ ଉପରୋକ୍ତ ଘଟଣାବଳୀକୁ ଦେଖିଲେ ସ୍ପଷ୍ଟବାରି ହେଉଛି ।
ସୂଚନା ଅନୁଯାୟୀ, ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର କାଜୁଆଲିଟିକୁ ଲାଗି ରହିଥିବା ରୁମ୍ରେ ଚାଲିଛି ଓଟିଟିଇଟି ଟେଲିମେଡିସନ୍ସ ନାମରେ ଏକ ଘରୋଇ ପ୍ୟାଥଲୋଜି । ଏହାର ସମ୍ମୁଖରେ ରହିଥିବା ସାଇନ୍ ବୋର୍ଡରେ ମଧ୍ୟ ନ୍ୟାସ୍ନାଲ୍ ହେଲ୍ଥ ମିଶନ ବୋଲି ଉଲ୍ଲେଖ କରାଯାଇଛି । ଫଳରେ ଡାକ୍ତରଖାନାକୁ ଆସୁଥିବା ରୋଗୀ ଭାବୁଛନ୍ତି ଏହା ସରକାରୀ କ୍ଲିନିକ୍ । କ୍ଲିନିକ୍ କର୍ତ୍ତୁପକ୍ଷ ଦଲାଲାଙ୍କୁ ଡାକ୍ତରଙ୍କ ପରାମର୍ଶ ରୁମ୍ ପାଖରେ ମୁତୟନ କରିଛନ୍ତି । ଡାକ୍ତର ରୋଗୀଙ୍କୁ ରକ୍ତ କିମ୍ବା ଅନ୍ୟ କୌଣସି ପରୀକ୍ଷା ପାଇଁ କହିବା କ୍ଷଣୀ, ରୋଗୀଙ୍କୁ ଦଲାଲ୍ମାନେ ଏହି ଘରୋଇ ପ୍ୟାଥଲୋଜିକୁ ନେଇ ଆସନ୍ତି । ଯେହେତୁ, ଏହା ଡାକ୍ତରଖାନା ପରିସରରେ ରହିଛି ଏବଂ ବୋର୍ଡରେ ମଧ୍ୟ ନ୍ୟାସନାଲ ହେଲ୍ଥ ମିଶନ ଲେଖା ରହିଛି ରୋଗୀ ଭାବନ୍ତି ଏହା ସରକାରୀ ପ୍ୟାଥଲୋଜି । ଏବଂ ସେଠାରେ ନିଶ୍ଚିନ୍ତରେ ପରୀକ୍ଷା କରାଇଦିଅନ୍ତି । ହେଲେ, ରିପୋର୍ଟ ଦେବାବେଳକୁ ପାଥଲୋଜି କର୍ମୀ ରୋଗୀଙ୍କ ଠାରୁ ଅର୍ଥ ଆଦାୟ କରନ୍ତି । ୧୦ଟଙ୍କା ଠାରୁ ଆରମ୍ଭ କରି ୨୦୦ ଟଙ୍କା ପର୍ଯ୍ୟନ୍ତ ଗୋଟିଏ ଗୋଟିଏ ପରୀକ୍ଷା ପାଇଁ ଅର୍ଥ ଦାବି କରାଯାଏ । ଡାକ୍ତରଖାନା ପରିସରରେ ରହିଛି ୨ଟି ଔଷଧ ଦୋକାନ । ସରକାରଙ୍କ ନିରାମୟ ଯୋଜନାରେ ମାଗଣା ଔଷଧ ବ୍ୟବସ୍ଥା ଥିଲେ ମଧ୍ୟ ସବୁ ଔଷଧ ଏଠାରେ ମିଳୁନାହିଁ । ଡାକ୍ତର ମଧ୍ୟ ଅନେକ ସମୟରେ ରାଗୀଙ୍କୁ ନିରାମୟରେ ମିଳୁନଥିବା ଔଷଧ ଲେଖନ୍ତି । ଫଳରେ ରୋଗୀ ଏହି ଦୋକାନରୁ ଔଷଧ କିଣିବାକୁ ବାଧ୍ୟ ହେଉଛନ୍ତି । ବେସରକାରୀ ପ୍ୟାଥଲୋଜି ଓ ଔଷଧ ଦୋକାନୀଙ୍କ ସହ ଡାକ୍ତରଙ୍କ ଭିତିରିଆ ଯୋଗସୂତ୍ର ରହିଥିବା ଅଭିଯୋଗ ହେଉଛି ।
ଏ ସମ୍ପର୍କରେ ଓଟିଟିଏଟି ଟେଲିମେଡିସିନ୍ସର ବୌଷୟିକ ପରାମର୍ଶଦାତା ମହେଶ ସାହୁଙ୍କୁ ପଚାରିବାରୁ, ୨୦୧୪ ମସିହାରୁ ସାରା ଓଡ଼ିଶାରେ ସମସ୍ତ ଡାକ୍ତରଖାନାରେ ପିପିପି ମୋଡ୍ରେ ପ୍ୟାଥଲୋଜି ସେବା ଚାଲିଛି । ଏହା ସରକାରଙ୍କ ସହଭାଗିତାରେ ଚାଲିଛି । ବାହାର ପ୍ୟାଥଲୋଜିରୁ କମ୍ ଅର୍ଥରେ ଏଠାରେ ସେବା ଦିଆଯାଉଛି । ବିଭିନ୍ନ ପରୀକ୍ଷା ପାଇଁ ଖର୍ଚ ହେଉଥିବା ଅର୍ଥ ଯଦି ସରକାର ବହନ କରନ୍ତି ତେବେ ରୋଗୀଙ୍କ ଠାରୁ ଅର୍ଥ ଆଦାୟ କରାଯାଆନ୍ତା ନାହିଁ ବୋଲି ସେ କହିଛନ୍ତି । ରୋଗୀମାନେ ଡାକ୍ତରଖାନାରୁ ମିଳୁଥିବା ସରକାରଙ୍କ ମାଗଣା ଚିକିତ୍ସା ସେବାରୁ ବଞ୍ଚôତ ହୋଇ ବେସରକାରୀ ପ୍ୟାଥଲୋଜି ଓ ଔଷଧ ଦୋକାନରୁ ଅର୍ଥ ଦେଇ ସେବା ପାଉଥିବା କଥାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ସମିର କୁମାର ଦାସ ସ୍ୱୀକାର କରିଛନ୍ତି । ସରକାର ଏହି ସବୁ ପ୍ୟାଥଲୋଜି ଓ ଔଷଧ ଦୋକାନ ଗୁଡ଼ିକୁ ବନ୍ଦ କରିବାକୁ ନେଇଥିବା ପଦକ୍ଷେପ ଉପରେ ସୁପ୍ରିମ୍କୋର୍ଟରେ ବିଚାରାଧିନ ରହିଥିବାରୁ ସେଗୁଡ଼ିକୁ ଉଠାଇବା ସମ୍ଭବ ହୋଇପାରୁନି । ତେବେ ରୋଗୀଙ୍କ ସଚେତନ ପାଇଁ ସରକାର ବିଭିନ୍ନ ସାଇନ୍ ବୋର୍ଡ ଲଗାଯାଇଛି ବୋଲି ସେ କହିଛନ୍ତି ।


Comments are closed, but trackbacks and pingbacks are open.