ଡାକ୍ତରୀ ପେସାକୁ ଫେରିଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝି

Get real time updates directly on you device, subscribe now.

ସୁନ୍ଦରଗଡ଼,(ବି.ବି.ନୁ୍ୟଜ୍): ଡାକ୍ତରୀ ପେସା ଛାଡ଼ି ରାଜନୀତିକୁ ଆସିଥିବା ଡା. ପ୍ରଫୁଲ୍ଲ ମାଝି ୧୫ ବର୍ଷ ପରେ ପୁଣି ନିଜ ପୁରୁଣା ଡାକ୍ତରୀ ଲାଇନକୁ ଫେରି ରୋଗୀ ଦେଖିବା ଆରମ୍ଭ କରିଛନ୍ତି । ଜିଲ୍ଲାରେ ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଡା. ମାଝି ରାଜନୀତିକୁ ଆସିବା ପୂର୍ବରୁ କୋଲକାତାରେ ଡାକ୍ତର ଭାବେ ପ୍ରଥମେ ନିଜ ସେବା ଆରମ୍ଭ କରିଥିଲେ । ସେଠାରୁ ୧୯୭୯ ମସିହାରୁ ଓଡ଼ିଶାକୁ ଆସି ତାଳଚେରରେ ଡାକ୍ତର ଭାବେ ଯୋଗଦେଇ ୨୦୦୩ ଯାଏ କାର୍ଯ୍ୟ କରିଥିଲେ ।
ତାଳଚେରରୁ ଖୋର୍ଦ୍ଧାକୁ ୨୦୦୩ରେ ବଦଳି ହୋଇ ଯାଇ ସେଠାରେ କାର୍ଯ୍ୟ କରି ଆସୁଥିଲେ । ୨୦୦୬ରେ ତଲସରାର ବିଧାୟକ ଗଜାଧର ମାଝିଙ୍କ ହଠାତ୍ ସ୍ୱର୍ଗବାସ ହେବାରୁ ଡା. ମାଝି ପେସା ଛାଡ଼ି ରାଜନୀତିକୁ ଓହ୍ଲାଇଥିଲେ । ସେ ସ୍ୱର୍ଗତ ଗଜାଧର ମାଝିଙ୍କ ପୁତୁରା ଜ୍ୱାଇଁ ହୋଇଥିବାରୁ ଓ ତଲସରାର ସ୍ଥାୟୀ ବାସିନ୍ଦା ହୋଇଥିବାରୁ ୨୦୦୬ ଉପ ନିର୍ବାଚନରେ କଂଗ୍ରେସ ଦଳ ତାଙ୍କୁ ବିଧାୟକ ପ୍ରାର୍ଥୀ କରାଇଥିଲା । ଉପ ନିର୍ବାଚନରେ ଡା. ମାଝି ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ । ଏହାପରେ ୨୦୦୯ ଓ ୨୦୧୪ ନିର୍ବାଚନରେ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇ ତଲସରା ନିର୍ବାଚନମଣ୍ଡଳୀର ସେବା କରି ଆସୁଥିଲେ । ବିଧାୟକ ଥିବା ସମୟରେ ଓଡ଼ିଶାରେ କଂଗ୍ରେସ ଦଳର ସରକାର ନଥିବା ସଞ୍ଚେ୍ୱ ବିରୋଧୀ ଦଳରେ ରହି ନିଜ ନିର୍ବାଚନ ମଣ୍ଡଳୀର ବହୁ ଉନ୍ନୟନ କାର୍ଯ୍ୟ କରିଥିଲେ । ରାଜ୍ୟରେ ଥିବା ବିଜୁ ଜନତା ଦଳ ସରକାର ବିଧାୟକ ଡା. ମାଝିଙ୍କ କାର୍ଯ୍ୟ ଦକ୍ଷତା ଦେଖି ସର୍ବଶ୍ରେÂ ବିଧାୟକ ଭାବେ ପୁରସ୍କୃତ କରିଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ସେ ପୁଣି ଥରେ କଂଗ୍ରେସ ଦଳରୁ ବିଧାୟକ ପାଇଁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ନିର୍ବାଚନରେ ପରାଜିତ ହେବା ପରେ ୫ ବର୍ଷ କ’ଣ କରିବେ ବୋଲି ଚିନ୍ତା କରି ଲୋକଙ୍କୁ ସେବା ଯୋଗାଇବା ଲାଗି ପୁଣି ଥରେ ନିଜ ପୁରୁଣା ପେସାକୁ ଆପଣାଇବା ପାଇଁ ଇଛା କଲେ । ସଂଯୋଗକୁ ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଧାରିବା ପାଇଁ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ଜିଲ୍ଲା ଖଣିଜ ପ୍ରତିÂାନ ପାଣ୍ଠିରୁ ଡାକ୍ତର ନିଯୁକ୍ତି କରିବା ପାଇଁ ବିଜ୍ଞାପନ ପ୍ରକାଶ କଲେ । ଏହି ବିଜ୍ଞାପନ ପ୍ରକାଶ ପାଇବା ପରେ ଡା. ମାଝି ପୁଣି ଥରେ ଡାକ୍ତର ହେବା ପାଇଁ ଆବେଦନ କରିଥିଲେ । ଜିଲ୍ଲାପାଳ ପୂର୍ବତନ ବିଧାୟକ ଡା. ମାଝିଙ୍କୁ ନିଯୁକ୍ତି ଦେଲେ । ହେଲେ ସେ ନିଜ ଅଞ୍ଚଳରେ ବିଧାୟକ ଥିବା ସମୟରେ ତଲସରା ପଞ୍ଚାୟତର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ପ୍ରତିÂା କରିଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରହି ଲୋକଙ୍କ ସେବା କରିବେ ବୋଲି ଜଣାଇଥିଲେ ।
ଜିଲ୍ଲାପାଳ ମଧ୍ୟ ପୂର୍ବତନ ବିଧାୟକଙ୍କୁ ନିଜ ଇଛା ମୁତାବକ ତଲସରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚ୍ସି)ରେ ଡାକ୍ତର ଭାବେ ନିଯୁକ୍ତି ପ୍ରଦାନ କରିଥିଲେ । ଡା. ମାଝି ନିଯୁକ୍ତି ପତ୍ର ପାଇବା ପରେ ଗତକାଲିଠାରୁ ତଲସରା ପିଏଚ୍ସିରେ ଯୋଗଦେଇ ରୋଗୀ ସେବା ଆରମ୍ଭ କରିଛନ୍ତି । ସେ ପୁଣି ଥରେ ନିଜ ପେସାକୁ ଫେରି ନିଜ ଅଞ୍ଚଳରେ ଡାକ୍ତର ଭାବେ ଯୋଗ ଦେଇଥିବାରୁ ଲୋକଙ୍କ ମଧ୍ୟରେ ବି ଖୁସିର ଲହରି ଖେଳି ଯାଇଛି । ସେ ବିଧାୟକ ଥିବା ସମୟରେ ଉକ୍ତ ପିଏଚ୍ସି ଖୋଲିଥିଲେ । ମାତ୍ର ନିଯୁକ୍ତି ପାଉଥିବା ଡାକ୍ତର ଅଳ୍ପଦିନ ରହି ଚାଲି ଯାଉଥିବାରୁ ଲୋକେ ସେବା ପାଇବାରୁ ବଞ୍ଚିତ ହେଉଥିଲେ । ନିର୍ବାଚନରେ ପରାଜୟ ହେବା ପରେ ଡା. ମାଝି କାହିଁକି ଖାଲି ବସିବେ ସେଥିପାଇଁ ଲୋକଙ୍କ ସେବା କରିବା ପାଇଁ ନିଜ ପେସାକୁ ଆପଣାଇ ଥିବା ନିଜେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons