ଫୁଲବାଣୀ,(ବି.ବି.ନୁ୍ୟଜ୍): ମହିଳା, ଯୁବତୀ ଓ ଛାତ୍ରୀମାନଙ୍କୁ ଅସଦାଚରଣ କରୁଥିବା ଜଣେ ଯବାନଙ୍କୁ ଆଜି ପୁଲିସ କୋର୍ଟଚାଲାଣ କରିଛି । ଗତକାଲି ସ୍ଥାନୀୟ ଲୋକ ଯବାନଙ୍କୁ କାବୁ କରି ପୁଲିସକୁ ହସ୍ତାନ୍ତର କରିଥିଲେ । କୋର୍ଟ ଜାମିନ ଆବେଦନକୁ ନାମଞ୍ଜୁର କରିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।
ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲାର ସନାତନ ବେହେରା କଳାହାଣ୍ଡି ଜିଲ୍ଲା ୯ମ ରିଜର୍ଭ ବାଟାଲିୟନରେ ନିଯୁକ୍ତି ପାଇଥିବା ବେଳେ ଫୁଲବାଣୀ ରିଜର୍ଭ ପୁଲିସ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ । କିଛି ଦିନ ହେଲା ସେ ଫୁଲବାଣୀ ବ୍ଲକ ଅନ୍ତର୍ଗତ ଲହୁରିପାଲି, ଆଲାମୀ, ସାଇନପଦର ଗ୍ରାମକୁ ଯିବା ରାସ୍ତାରେ ଏକାଟିଆ ଯାଉଥିବା ମହିଳା, ଯୁବତୀ ଓ ଛାତ୍ରୀମାନଙ୍କୁ ଅଶ୍ଳୀଳ ଇଙ୍ଗୀତ କରିବା, ଟଣାଓଟରା କରିବା ଆଦି କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ସେ ଧରାପଡୁନଥିଲା । ଗୁରୁବାର ସନାତନ ଜଣେ ମହିଳାଙ୍କୁ ଟଣାଓଟରା କରୁଥିବା ବେଳେ ତାଙ୍କ ପାଟି ଶୁଣି ଲୋକମାନେ ଦୌଡି ଆସି ସନାତନକୁ କାବୁ କରି ପୁଲିସକୁ ଖବର କରିଥିଲେ । ପୁଲିସ ସନାତନକୁ ଥାନାକୁ ନେଇ ପଚରାଉଚୁରା କରିଥିଲା । ତାଙ୍କ ବିରୋଧରେ ପ୍ରାୟ ୧୨ ଜଣ ମହିଳା, ଯୁବତୀ ଲିଖିତ ଅଭିଯୋଗ କରିବାରେ ପୁଲିସ ୭୫ା୨୦୧୯ ମାମଲା ରୁଜୁ କରିଥିଲା । ଆଜି ପୁଲିସ ଅଭିଯୁକ୍ତ ସନାତନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କୋର୍ଟ ତାକୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିବା ଥାନାଧିକାରୀ ଆଦିତ୍ୟ ପ୍ରସାଦ ସେଠୀ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.