ଚାକିରି ନାଁରେ ଠକେଇ :ମାଷ୍ଟରମାଇଣ୍ଡ୍ ସହ ଆଉ ୩ ଗିରଫ

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଚିକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ ମାମଲାରେ ଉମରକୋଟ ପୁଲିସ ଭୁବନେଶ୍ୱରରୁ ଆଉ ୩ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗଜପତି ଜିଲ୍ଲାର ଜିରାଙ୍ଗ ଗାଁର ସ୍ଲିକ୍ ରିସୋର୍ସ ପ୍ରାଇଭେଟ୍ ଲିମିଟେଡ୍ର ମୁଖ୍ୟ ତଥା ମାଷ୍ଟରମାଇଣ୍ଡ ସୁଯୋଗ୍ୟ ଗୁରୁ, ପୁରୀ ଜିଲ୍ଲା ପିପିଲିର ସୁନୀଲ କୁମାର ରାୟ ଓ ଜଗତସିଂହପୁର ନୂଆଁଗାଁର ସାଗରକୁମାର ଜେନା । ଭୁବନେଶ୍ୱରରେ ଥିବା ସ୍ଲିକ୍ ରିସୋର୍ସ ପ୍ରାଇଭେଟ ଲିମିଟେଡ୍ କାର୍ଯ୍ୟାଳୟରେ ଚଢଉ କରି ଏମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ଉମରକୋଟ ଥାନା ଅଧିକାରୀ ଉମେଶକୁମାର ସାହୁ କହିଛନ୍ତି । ଏହି ମାମଲରେ ବର୍ତ୍ତମାନ ମୋଟ ୬ଜଣଙ୍କୁ ଗିରଫ କରାଯାଇଛି ।
ଥାନା ଅଧିକାରୀ ଶ୍ରୀ ସାହୁଙ୍କ ସୂଚନା ଅନୁଯାୟୀ, ଚାକିରି ଦେବା ନାଁରେ ଜିଲ୍ଲାର ବେକାର ଯୁବକ ଯୁବତୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ ସମ୍ପର୍କରେ ଥାନାରେ ଏତଲା ଦିଆଯାଇଥିଲା । ଏତଲାକୁ ଭିତ୍ତି କରି ପୁଲିସ୍ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାରେ ସପ୍ତାହକ ତଳେ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତଦନ୍ତ ବେଳେ ଭୁବନେଶ୍ୱରରେ ମାଷ୍ଟରମାଇଣ୍ଡ ଥିବା ଜଣାପଡିବା ପରେ ଏସ୍ପି ନୀତିନ କୁଶଲକରଙ୍କ ନିଦେ୍ର୍ଧଶକ୍ରମେ ଉମରକୋଟ ଥାନା ଅଧିକାରୀ ସାହୁଙ୍କ ନେତୃତ୍ୱରେ ଏସ୍ଆଇ ରାଧାକାନ୍ତ ବାରିକ ଓ ପର୍ଶୁରାମ ସାହୁ ଭୁବନେଶ୍ୱରରେ ପହଞ୍ଚିଥିଲେ । ଭୁବନେଶ୍ୱରରେ ପହଞ୍ଚିବା ପରେ ଏହି ଠକେଇ ଘଟଣାର ଚେର ବିଭିନ୍ନ ଜିଲ୍ଲାକୁ ଲମ୍ବିଥିବା ପୁଲିସ ଜାଣିବାକୁ ପାଇଥିଲା । ଭୁବନେଶ୍ୱର ରସୁଲଗଡ଼ ସ୍ଲିକ୍ ରିସୋର୍ସ ପ୍ରାଇଭେଟ ଲିମିଟେଡ୍ କାର୍ଯ୍ୟାଳୟରେ ଚଢଉ କରି ମାଷ୍ଟରମାଇଣ୍ଡ ସହ ୩ଜଣଙ୍କୁ ଗିରଫ କରିଥିଲା । ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ସାହୁ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ବେକାର ଯୁବକ ଯୁବତୀଙ୍କୁ ମାସକୁ ସାଢେ ୭ ହଜାର ଟଙ୍କା ଦରମା ଦେଇ ନବରଙ୍ଗପୁର ଜିଲ୍ଲାରେ କାମ କରିବାକୁ ମାନବାଧିକାର କମିଟି ନାଁରେ ୨୦୦ଜଣଙ୍କୁ ଚାକିରି ଦିଆଯାଇଥିଲା । ଗ୍ରାମାଞ୍ଚଳର ହିତାଧିକାରୀଙ୍କୁ ସରକାରୀ ଯୋଜନା ପହଞ୍ଚାଇବା ପାଇଁ ଚାକିରି ଦିଆଯାଇଥିଲା । ଆବାସ ଘର, ଜମି ପଟ୍ଟା, ରେସନ କାର୍ଡ ଭଳି ସାମାଜିକ ସୁରକ୍ଷା ଯୋଜନା ଲୋକଙ୍କୁ ଯୋଗାଇଦେବା ନାଁରେ ଇ-ସୁବିଧା ନାମକ କାର୍ଡ ବଣ୍ଟନ କରାଯାଉଥିଲା । କାର୍ଡ ପ୍ରତି ଗୋଟିଏ ପରିବାରଠାରୁ ୩୦ ଟଙ୍କା ନିଆଯାଉଥିଲା । ଏହି କାର୍ଡକୁ ବିକ୍ରି କରିବା ପାଇଁ ଗାଁ ଗାଁରେ ସଚେତନ ସଭା କରାଯାଉଥିଲା । ଜନପ୍ରତିନିଧି, ସରକାରୀ କର୍ମଚାରୀ ଓ ସାମ୍ବାଦିକଙ୍କୁ ଡାକି ବିଶ୍ୱାସ ଜନ୍ମାଯାଉଥିଲା । ହିତାଧିକାରୀଙ୍କ ପାଖରୁ ତଥ୍ୟ ଆଣିବା ପାଇଁ ଜିଲ୍ଲାର ଯୁବକ ଯୁବତୀଙ୍କୁ କାମରେ ନିୟୋଜିତ କରାଯାଇଥିଲା । ସେମାନଙ୍କୁ ପ୍ରତି ମାସରେ ୧ହଜାର କାର୍ଡ ବିକ୍ରି କରିବାକୁ ନିଦେ୍ର୍ଧଶ ଦିଆଯାଇଥିଲା । ସେପ୍ଟେମ୍ବର ୨୯ ତାରିଖରେ ଉମରକୋଟ ଥାନାରେ ଏନେଇ ମାମଲା ରୁଜୁ ହେବା ପରେ ଘଟଣା ପଦାକୁ ଆସିଥିଲା । ଝରିଗାଁ ବ୍ଲକ ଚଚ୍ଚା ଗାଁର ଗୌତମ ପୂଜାରୀ ଏବଂ ତାଙ୍କ ସ୍ତ୍ରୀଙ୍କୁ ଡାଟାଏଣ୍ଟ୍ରି ଚାକିରି ଦେବା ନାଁରେ ଉମରକୋଟର ରଞ୍ଜିତା ବର୍ମା ଓ ତାଙ୍କ ସ୍ୱାମୀ ଆଶିଷକୁମାର ପାତ୍ର ୧ ଲକ୍ଷ ୪୫ ହଜାର ଟଙ୍କା ନେଇଥିଲେ । ସେହିପରି କଚରାପାରା ଗାଁର ଦଶମନ୍ତ କଲାରଙ୍କ ୪୦ ହଜାର ଟଙ୍କା, ରାଇଘରର ରାଇନୁ ଗଣ୍ଡ ୪୦ ହଜାର, ପ୍ରେମଶିଳା ନାୟକଙ୍କ ପାଖରୁ ୪୦ ହଜାର ଟଙ୍କା ନେଇଥିଲେ । ଜିଲ୍ଲାର ଶତାଧିକ ବେକାର ଯୁବତୀ ଯୁବକଙ୍କଠାରୁ କୋଟିଏରୁ ଅଧିକ ଟଙ୍କା ଟଙ୍କା ଆଦାୟ କରାଯାଇଥିଲା । ମାସ ମାସ ଧରି କାହାକୁ ଚାକିରି ଦିଆଯାଇ ନଥିଲା । ଚାକିରି ନମିଳିବାରୁ ଯୁବକ ଯୁବତୀମାନେ ରଞ୍ଜନା ବର୍ମା ଓ ତାଙ୍କ ସ୍ୱାମୀ ଆଶିଷକୁମାର ପାତ୍ରଙ୍କୁ ଟଙ୍କା ଫେରାଇବା ଲାଗି କରିଥିଲେ । ଟଙ୍କା ଫେରସ୍ତ ବଦଳରେ ଯୁବକ ଯୁବତୀଙ୍କୁ ସେମାନେ ଓଲଟା ଧମକ ଦେଇଥିଲେ । ଥାନାରେ ଏତଲା ପରେ ରଞ୍ଜନା ଓ ତାଙ୍କ ସ୍ୱାମୀ ଆଶିଷ ସହ ଅନୀଲ କୁମାର ବାନାର୍ଜୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଏଥିସହ ନବରଙ୍ଗପୁର କାର୍ଯ୍ୟାଳୟକୁ ସିଲ୍ କରାଯାଇ କାଗଜପତ୍ର ଓ ଲ୍ୟାପ୍ଟପ୍କୁ ପୁଲିସ୍ ଜବତ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons