ପାରିବାରିକ କଳିର କରୁଣ ପରିଣତି:ଶିଶୁଙ୍କୁ ଧରି ଟ୍ରେନ୍ ଆଗକୁ ଡେଇଁଲେ ମାଆ

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ପାରିବାରିକ କଳିରୁ ଆତ୍ମହତ୍ୟା । ଦୁଇ ଦିନ ତଳେ କଟକ କାଠଯୋଡ଼ି ପୋଲ ଉପରୁ ସ୍ତ୍ରୀ ଆଗରେ ନଈକୁ ଡେଇଁ ସ୍ୱାମୀ ଆତ୍ମହତ୍ୟା କରିବା ଭଳି ଦୁଃଖଦ ଘଟଣା ଘଟିଥିଲା । ଶୁକ୍ରବାର ବ୍ରହ୍ମପୁରରେ ମଧ୍ୟ ସେହିଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି । ପାରିବାରିକ ହିଂସାରୁ ମାଆ ଦୁଇ କୁନି ଝିଅଙ୍କୁ ଧରି ଟ୍ରେନ୍ ଆଗକୁ ଡେଇଁପଡ଼ିଛନ୍ତି । ଟ୍ରେନ୍ ଧକ୍କାରେ ମାଆର ମୃତୁ୍ୟ ହୋଇଥିବା ବେଳେ ଦୁଇ ଝିଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ମାଛକୋଟ ଗ୍ରାମର ଉତ୍ସବ ଭଞ୍ଜଙ୍କ ସ୍ତ୍ରୀ ପ୍ରତିମା (୩୦) । ତାଙ୍କ ବଡ଼ ଝିଅ ପ୍ରିୟା (୧୧)ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବା ବେଳେ ସାନ ଝିଅ ରିୟା (୬) ବ୍ରହ୍ମପୁର ବଡ଼ ଡାକ୍ତରଖାନା ଅସ୍ଥିଶଲ୍ୟ ବିଭାଗରେ ଚିକିତ୍ସାଧୀନ ଥିବା ବ୍ରହ୍ମପୁର ଜିଆର୍ପି ଥାନା ଆଇଆଇସି ସୁକାନ୍ତ କୁମାର ଭୋଇ ସୂଚନା ଦେଇଛନ୍ତି ।
ଶୁକ୍ରବାର ସକାଳୁ ଖବର ମିଳିବା ପରେ ବଡ଼ ଡାକ୍ତରଖାନାରେ ପହଞ୍ଚି ଦୁଇ ଝିଅଙ୍କୁ ପଚରାଉଚରା କରିଥିଲେ ଜିଆର୍ପି ଷ୍ଟାଫ୍ । ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ପ୍ରତିମାଙ୍କ ମୃତଦେହ ବଡ଼ ଡାକ୍ତରଖାନା ଶବ ଗୃହରେ ରହିଛି । ରିୟା ପାଖରେ ତାଙ୍କ ବଡ଼ ବାପା ରହି ସେବା କରୁଛନ୍ତି । ସେ ଡାକ୍ତରଖାନାରେ ରହିବା ପରଠୁ କିଛି କହୁନାହିଁ । କେବଳ ମାଆକୁ ଝୁରି ହୋଇ କାନ୍ଦୁଛି । ସେପଟେ ପ୍ରତିମାଙ୍କ ମା’ କନକ ପ୍ରଧାନଙ୍କ ଅଭିଯୋଗ ପ୍ରକାରେ ବଡ଼ଗଡ଼ ଥାନା ପୁଲିସ ଯୌତୁକ ନିର୍ଯାତନା ମାମଲା ରୁଜୁ କରି ମୃତକଙ୍କ ସ୍ୱାମୀ ଉତ୍ସବଙ୍କୁ ଗିରଫ କରିଛି ।
ବ୍ରହ୍ମପୁର ଜିଆର୍ପି ଥାନାରୁ ମିଳିଥିବା ସୂଚନା ପ୍ରକାରେ ଗୁରୁବାର ସନ୍ଧ୍ୟାରେ ବ୍ରହ୍ମପୁର- ଗୋଳନ୍ଥରା ଷ୍ଟେସନ୍ ମଧ୍ୟବର୍ତ୍ତୀ ଅଞ୍ଚଳ ତଥା କିଲୋମିଟର ଖୁଣ୍ଟ ନମ୍ବର ୬୦୨/୨୯-୩୧ରେ ପ୍ରତିମା ତାଙ୍କର ଦୁଇ ଝିଅଙ୍କୁ ନେଇ ଟ୍ରେନ୍ ଆଗକୁ ଡେଇଁ ପଡ଼ିଥିଲେ । ଘଟଣାସ୍ଥଳରେ ପ୍ରତିମାଙ୍କ ମୃତୁ୍ୟ ହୋଇଥିଲା । ଦୁଇ ଝିଅ ଗୁରୁତର ଅବସ୍ଥାରେ ଚେତା ହରାଇ ରେଳଧାରଣା କଡ଼ରେ ପଡି ରହିଥିଲେ । ଏହା ଜାଣିବା ପରେ ସ୍ଥାନୀୟ ବାସିନ୍ଦା ଆର୍ପିଏଫ୍କୁ ସୂଚନା ଦେଇଥିଲେ । ଆହତ ପ୍ରିୟା ଓ ରିୟାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ପ୍ରିୟାର ଚେତା ଫେରିବା ପରେ ଘରର ଠିକଣା କହିଥିଲା ଏବଂ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ବ୍ରହ୍ମପୁର ଜିଆର୍ପି ଥାନାରେ ପ୍ରତିମାଙ୍କ ମୃତୁ୍ୟକୁ ନେଇ କେସ୍ ନମ୍ବର ୪୭/୨୦୧୯ ଅପମୃତୁ୍ୟ ମାମଲା ରୁଜୁ କରାଯାଇଛି । ପରିବାର ଲୋକ ପହଞ୍ଚି ନଥିବାରୁ ତାଙ୍କ ମୃତଦେହ ବଡ଼ ଡାକ୍ତରଖାନା ଶବ ଗୃହରେ ହିଁ ରହିଛି ।
ପୁଲିସ ସୂଚନା ପ୍ରକାରେ ଉତ୍ସବ ଓ ପ୍ରତିମାଙ୍କ ଘର ମାଛକୋଟ ଗ୍ରାମ । ସେମାନଙ୍କ ତିନୋଟି ଝିଅ ଓ ୫ ମାସର ପୁଅଟିଏ ରହିଛି । ବଡ଼ ଝିଅ ପ୍ରିୟା ଷÂ ଶ୍ରେଣୀରେ ପଢ଼ୁଥିବା ବେଳେ ଦ୍ୱିତୀୟ ଝିଅ ଶ୍ରୀୟା ତୃତୀୟ ଶ୍ରେଣୀରେ ଏବଂ ସାନ ଝିଅ ରିୟା ପ୍ରଥମ ଶ୍ରେଣୀରେ ପଢ଼ୁଛି । ପୁଅର ନାମ ହରେକୃଷ୍ଣ ଭଞ୍ଜ । ଉତ୍ସବ ସୁରଟରେ କାମ କରୁଥିବା ବେଳେ କିଛି ଦିନ ହେଲା ସେ ଗାଁକୁ ଫେରି ଏକ ଅଟୋ କିଣି ଚଳାଉଥିଲେ । କିନ୍ତୁ ଦମ୍ପତିଙ୍କ ମଧ୍ୟରେ ପ୍ରାୟ କଳହ ଲାଗି ରହୁଥିଲା । ଏ ନେଇ ଗୁରୁବାର ରାତିରେ ପ୍ରତିମା ଭଞ୍ଜଙ୍କ ମାଆ କନକ ପ୍ରଧାନ ବଡ଼ଗଡ଼ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । କନକଙ୍କ ଅଭିଯୋଗ ପ୍ରକାରେ ବଡ଼ଗଡ଼ ଥାନାରେ କେସ୍ ନମ୍ବର ୨୨୦/୨୦୧୯ ରୁଜୁ ହୋଇଥିବା ଆଇଆଇସି ପ୍ରତାପ ଚନ୍ଦ୍ର ତ୍ରିପାଠୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons