ନବରଙ୍ଗପୁର,(ବି.ବି.ନୁ୍ୟଜ୍): ନବରଙ୍ଗପୁର ପୁଲିସ ଓ ଶ୍ରମ ବିଭାଗ ପକ୍ଷରୁ ଚଢଉ କରାଯାଇ ଏକ ସରକାରୀ ବସ୍ରୁ ୨୮ଜଣ ଦାଦନଶ୍ରମିକଙ୍କୁ ସୋମବାର ବିଳମ୍ବିତ ରାତିରେ ଉଦ୍ଧାର କରାଯାଇଛି । ଏମାନଙ୍କ ମଧ୍ୟରେ ୩ଜଣ ମହିଳା ଓ ୨୫ ଜଣ ପୁରୁଷ ଥିଲେ । ୧୩ ଜଣ ରାଇଘର ଓ ୧୫ଜଣ ଡାବୁଗାଁ ଅଞ୍ଚଳର ବୋଲି ପୁଲିସ କହିଛି । ଶ୍ରମ ବିଭାଗର କହିବା ପ୍ରକାରେ ଏହି ଶ୍ରମିକମାନେ ୩ ଟି ଗ୍ରୁପରେ ଆନ୍ଧ୍ର ଓ ତାମିଲନାଡୁକୁ ଦାଦନ ଖଟିବାକୁ ଯାଉଥିଲେ । ୯ଜଣ ଶ୍ରମିକ ଦୌନିକ ୩୦୦ ଟଙ୍କା ମଜୁରିରେ ଆନ୍ଧ୍ର କାକିନାଡାର ଜଣେ ଚିଙ୍ଗୁଡି ଚାଷୀଙ୍କ ଫାର୍ମରେ କାମ କରିବାକୁ ଯାଉଥିଲେ । ସେହିଭଳି ୬ଜଣ ଶ୍ରମିକ ବିଶାଖାପାଟଣାମ୍ର ଏକ ଅଣ୍ଡା ଫାର୍ମରେ କାମ କରିବାକୁ ଯାଉଥିଲେ । ବଳକା ୧୩ ଜଣ ତାମିଲନାଡୁ ଆନ୍ନାପୁରମ୍ର ଅଣ୍ଡା ଫାର୍ମରେ କାମ କରିବାକୁ ଯାଉଥିଲେ । ବେଆଇନ ଭାବେ ବାହାର ରାଜ୍ୟକୁ ଶ୍ରମିକ ଭାବେ ନଯିବା ପାଇଁ ତାଗିଦ୍ କରାଯିବ । ରାଜ୍ୟବାହାରକୁ ଦାଦନ ଖଟିବାକୁ ଯିବା ପୂର୍ବରୁ ପଞ୍ଚାୟତରେ ସୂଚନା ଦେବାକୁ ପରିବାର ଲୋକକୁ ତାଗିଦ୍ ପରେ ଛାଡି ଦିଆଯିବ ବୋଲି ଶ୍ରମ ନିରୀକ୍ଷକ ବୁଲିଶ୍ରୀ ହରିଆ କହିଛନ୍ତି ।
Comments are closed, but trackbacks and pingbacks are open.