ଓଡ଼ିଶାର ସମ୍ବାଦପତ୍ର ଓ ପତ୍ରପତ୍ରିକାରେ କାର୍ଟୁନ୍ କଳାର ସ୍ଥାନ ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ

Get real time updates directly on you device, subscribe now.

{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ଓଡ଼ିଶା କାର୍ଟୁନ୍ ଏକାଡେମୀ ପକ୍ଷରୁ ଜାନୁଆରୀ ୧୮ ତାରିଖ ଦିନ ଭୁବେନେଶ୍ବରସ୍ଥିତ ଜୟଦେବ ଭବନର ପ୍ରଦର୍ଶନୀ କକ୍ଷରେ ଏକ କାର୍ଟୁନ୍ ପ୍ରଦର୍ଶନୀ ସହ ଓଡ଼ିଶାର ସମ୍ବାଦପତ୍ର ଓ ପତ୍ରପତ୍ରିକାରେ କାର୍ଟୁନ୍ କଳାର ସ୍ଥାନ ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଶିଷ୍ଟ ଚିତ୍ରଶିଳ୍ପୀ କେଶୁ ଦାସ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ଏହାପରେ କାର୍ଟୁନ୍ ଏକାଡେମୀର ସଭାପତି ତଥା ବିଖ୍ୟାତ କାର୍ଟୁନ୍ ଶିଳ୍ପୀ କମଳାକାନ୍ତ ରଥ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ‘ପ୍ରମେୟ’ର ସମ୍ପାଦକ ଗୋପାଳ ମହାପାତ୍ର ନିଜର ବକ୍ତବ୍ୟରେ କହିଲେ ଯେ କାର୍ଟୁନ୍ ହେଉଛି ଏମିତି ଏକ ଅସ୍ତ୍ର ଯାହା ଯେତେ ଶକ୍ତିଶାଳୀ ବ୍ୟକ୍ତି ହେଲେ ବି ତା’କୁ ଧରାଶାୟୀ କରିଦିଏ। ସେ କହିଲେ ଯେ କାର୍ଟୁନ୍‌ରେ ଚିତ୍ର ଅପେକ୍ଷା ସେଥିରେ ଗୋଟିଏ ବା ଦେଢ଼ ଧାଡ଼ିରେ ଲେଖାଯାଉଥିବା କ୍ୟାପସନ୍ ଅଧିକ ମହତ୍ତ୍ବ ରଖେ। ‘ସମ୍ବାଦ’ର ସମ୍ପାଦିକା ତନୟା ପଟ୍ଟନାୟକ କହିଲେ ଯେ ବୃହତ୍ତର ପାଠକ ସମାଜ ପାଖରେ ପହଞ୍ଚିବା ପାଇଁ କାର୍ଟୁନ୍ ଏକ ସବଳ ମାଧ୍ୟମ। ସେ ମଧ୍ୟ କହିଲେ କାର୍ଟୁନ୍ ଏଭଳି ହେବା ଉଚିତ ଯାହାକୁ ସମ୍ବାଦପତ୍ରର ପ୍ରଥମ ପୃଷ୍ଠାରେ ଦିଆଯାଇପାରିବ। ସୁଲେଖକ ମୃଣାଳ ଚାଟାର୍ଜୀ ନିଜର ସାରଗର୍ଭକ ଭାଷଣରେ କାର୍ଟୁନ୍ ଭଳି ଏକ ହାସ୍ୟରସ ଆଧାରିତ ମାଧ୍ୟମର ଗୁରୁତ୍ବ ବିଷୟ ସୂଚାଇଥିଲେ। ସେ କହିଲେ ଯେ କାର୍ଟୁନ୍ ଚିତ୍ରର ତୀକ୍ଷ୍ଣ ସନ୍ଦେଶ ପ୍ରତି ସହନଶୀଳତା ଦିନକୁ ଦିନ କମିଯାଉଛି। ଆଜିକାଲି କ୍ଷମତାରେ ଥିବା ବ୍ୟକ୍ତିବିଶେଷଙ୍କୁ ଦେବତା ବୋଲି ମଣାଯାଉଛି, ଯାହା କାର୍ଟୁନ୍ ଭାବଧାରାର ବିପରୀତ। ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆର ସାଧାରଣ ସମ୍ପାଦକ ତଥା ବିଶିଷ୍ଟ ସାମ୍ବାଦିକ ରୁବେନ୍ ବାନାର୍ଜୀ କହିଲେ ଯେ ଏହି ପ୍ରଦର୍ଶନୀ ଓ ଆଲୋଚନାଚକ୍ର ଏଭଳି ଏକ ସମୟରେ ହେଉଛି ଯେତେବେଳେ ଦେଶରେ କେତେଜଣ କାର୍ଟୁନିଷ୍ଟଙ୍କ ଉପରେ ହିଂସାତ୍ମକ ଆକ୍ରମଣର ଘଟଣା ଘଟିଛି। ଏହାର ମୂଳ କାରଣ ହେଉଛି ଅସହିଷ୍ଣୁତା। ସ୍ବନାମଧନ୍ୟ କାର୍ଟୁନିଷ୍ଟ ପରେଶ ନାଥ ନିଜର ଅଭିଭାଷଣରେ ନିଜ କାର୍ଟୁନିଷ୍ଟ ଜୀବନର ଅନୁଭୂତି ବର୍ଣ୍ଣନା କରିଥିଲେ। ସେ ମଧ୍ୟ କହିଲେ ଯେ ପୂର୍ବ ଅପେକ୍ଷା ବର୍ତ୍ତମାନ କାର୍ଟୁନ୍ ପ୍ରତି ସହନଶୀଳତା କମିଯାଇଛି। ଏହି ସଭାରେ କାର୍ଟୁନ୍ କଳାକୁ ତାଙ୍କର ଜୀବନବ୍ୟାପୀ ଅବଦାନ ପାଇଁ ପରେଶ ନାଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉପଲକ୍ଷେ ଆୟୋଜିତ ପ୍ରଦର୍ଶନୀରେ ଓଡ଼ିଶାର ୧୮ ଜଣ ବିଶିଷ୍ଟ କାର୍ଟୁନ୍‌ଶିଳ୍ପୀଙ୍କ ଦ୍ବାରା ଅଙ୍କିତ ଉଚ୍ଚକୋଟୀର ଚିତ୍ରମାନ ପ୍ରଦର୍ଶିତ ହୋଇଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons