{ ମୟୂରଭଞ୍ଜରୁ ସ୍ଵତନ୍ତ୍ର ପ୍ରତିନିଧି ମନୋଜ କୁମାର ବେହେରାଙ୍କ ରିପୋର୍ଟ } : ଆଜି ବରଗଡ଼ର ସୋହେଲା ଠାରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ସମଗ୍ର ଓଡ଼ିଶାର ଚାଷୀ ଭାଇ-ଭଉଣୀଙ୍କ ପାଇଁ କ୍ୱିଣ୍ଟାଲ ପ୍ରତି ୮୦୦ ଟଙ୍କା ଇନପୁଟ୍ ସବସିଡି ବଣ୍ଟନ କରୁଛନ୍ତି । ସେହି ପରିପ୍ରେକ୍ଷୀରେ ଜିଲ୍ଲାର ଚାଷୀ ଭାଇ ଭଉଣୀ ମାନେ ଆଜି ବାରିପଦା ସ୍ଥିତ ନିୟନ୍ତ୍ରିତ ବଜାର କମିଟି ପଡ଼ିଆ ଠାରେ ଏକତ୍ରିତ ହୋଇ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ଦେଖିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଜଙ୍ଗଲ, ପରିବେଶ ଓ ଜଳାବାୟୁ ପରିବର୍ତ୍ତନ ତଥା ଶ୍ରମ ବିଭାଗ, ଇଂ ଗଣେଶ ରାମସିଂ ଖୁଣ୍ଟିଆ ଯୋଗ ଦେଇ ଜିଲ୍ଲାବାସୀଙ୍କୁ ଉଦବୋଧନ ଦେଇଥିଲେ।ଏଥିସହିତ, ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ, ରାଜ୍ୟସଭା, ଶ୍ରୀମତୀ ମମତା ମହାନ୍ତ, ମାନ୍ୟବର ବିଧାୟକ, ସାରସକଣା ଶ୍ରୀ ଭାଦଵ ହାଁସଦା, ମାନ୍ୟବର ବିଧାୟକ, ବାରିପଦା ଶ୍ରୀ ପ୍ରକାଶ ସୋରେନ, ମାନ୍ୟବର ବିଧାୟକ, ରାଇରଙ୍ଗପୁର ଶ୍ରୀ ଜଲେନ ନାଏକଙ୍କ ସମେତ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ପ୍ରମୁଖ ମଂଚାସୀନ ଥିଲେ।ନିଜ ଅବିଭାଷଣରେ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ, “ମୟୂରଭଞ୍ଜ ସର୍ବଦା ନିଜ ଉନ୍ନତ ମାନର ଚାଷ ପାଇଁ ପ୍ରସିଦ୍ଧ। ଆଉ ରାଜ୍ୟସରକାର ପ୍ରତିଶ୍ରୁତି ରକ୍ଷା କରି ଆଜିର ତାରିଖରେ, ଏହି ଚାଷୀ ସମାବେଶରେ ଇନପୁଟ ସବସିଡ଼ି ଦେବା ଆରମ୍ଭ କରିଛନ୍ତି । ମୋର ଦୃଢ ବିଶ୍ୱାସଯେ ରାଜ୍ୟ ସରକାରଙ୍କର ଏହି ଯୁଗାନ୍ତକାରୀ ପଦକ୍ଷେପ, ସମସ୍ତ ଚାଷୀ କୂଳ ପାଇଁ ଏକ ଅମୃତ ସମୟ ଆଣିଦେବ।”ସୂଚନାନୁସାରେ, ଏହି ସବସିଡି ଇନପୁଟ ରାଶି ମାତ୍ର ୪୮ ଘଣ୍ଟାରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ । କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଦର ୨୩୦୦ ଟଙ୍କା ଯେଉଁ ଆକାଉଣ୍ଟ କୁ ଯିବ ସେହି ଆକାଉଣ୍ଟକୁ ୮୦୦ ଟଙ୍କା ଯିବ ନାହିଁ । ଏହି ୮୦୦ ଟଙ୍କା ପାଇଁ ଅଲଗା ଆକାଉଣ୍ଟ ହେବ ସେହି ଆକାଉଣ୍ଟକୁ ଟଙ୍କା ଯିବ । ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଖୁବ ଶୀଘ୍ର, ଆସନ୍ତା ୨୪ ତାରିଖରୁ ଧାନ କ୍ରୟ ଆରମ୍ଭ ହୋଇଯିବ, ଏଣୁ ଚାଷୀ ମାନେ ଖୁବ ଶୀଘ୍ର ତାଙ୍କ ଆକାଉଣ୍ଟରେ ଏହି ୮୦୦ ଟଙ୍କା ପାଇପାରିବେ। ଚାଷୀଙ୍କ ମଧ୍ୟରେ ଯେପରି ଦ୍ୱନ୍ଦ ନ ରୁହେ ସେଥିପାଇଁ ଜିଲ୍ଲା ପ୍ରଶାସନ ଜରିଆରେ ସେଚତନ କରାଯାଉଛି।ସୂଚନା ଥାଉକି, ଚଳିତଥର ପୂର୍ବ ଅପେକ୍ଷା ଅଧିକ ଚାଷୀ ଧାନ ବିକ୍ରି କରିବାକୁ ପଞ୍ଜିକରଣ କରିଛନ୍ତି । ମୟୂରଭଞ୍ଜରେ ୫୫୯୩୮ ଜଣ ଚାଷୀ ପଂଜିକୃତ କରିଛନ୍ତି ଏବଂ ଚାଷୀଙ୍କ ମନରେ ଯେପରି କୌଣସି ଦ୍ଵନ୍ଦ ନରୁହେ, ସେଥିପାଇଁ ପ୍ରତ୍ୟେକ ମଣ୍ଡିର ସୂଚନା ଫଳକରେ ମଣ୍ଡି ନୋଡଲ ଅଫିସର ଓ ମଣ୍ଡି ସୁପରଭାଇଜରଙ୍କ ନାମ ସହିତ ତାଙ୍କ ମୋବାଇଲ ନମ୍ୱର ପ୍ରଦର୍ଶନ କରା ଯାଉଛି । ଏହା ଛଡା, ପ୍ରତ୍ୟେକ ମଣ୍ଡିରେ CCTV ଲଗାଇବା ସହତି ଏକ କେନ୍ଦ୍ର ସ୍ତରୀୟ Control Room ଓଡିଶା ଯୋଗାଣ ନିଗମ, ଭୁବନେଶ୍ୱର ଠାରେ ବ୍ୟବସ୍ଥା ମଧ୍ୟ କରାଯାଇଛି।ଧାନ ପରିବହନକାରୀ ଯାନ ଗୁଡିକର ଗତିବିଧି ଉପରେ ନଜର ରଖିବା ପାଇଁ ସମସ୍ତ ସୀମା ଯାଞ୍ଚ ପଏଣ୍ଟ ରେ CCTV ଏବଂ camera mounted vehicle ର ବ୍ୟବସ୍ଥା କରିବା ପାଇଁ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ଯାଉଛି ଯେପରି ଏହି ପ୍ରକ୍ରିୟାରେ କୌଣସି ପ୍ରକାରର ଅସୁବିଧା ନହୁଏ। ଯେହେତୁ ଚଳିତ ଧାନ କ୍ରୟ ଋତୁରେ ସୀମା ଯାଞ୍ଚ ଏକ ପ୍ରମୁଖ କାର୍ଯ୍ୟ ଅଟେ, ପ୍ରଶାସନ ମଧ୍ୟ ଖୁବ ଦାୟିତ୍ୱର ସହ ଏହି କାର୍ଯ୍ୟକୁ ସମ୍ପନ୍ନ କରିବ।ସମବାୟ ବିଭାଗ ଦ୍ୱାରା ସମସ୍ତ ଧାନ ସଂଗ୍ରହଣ କେନ୍ଦ୍ରରେ ସଂଗ୍ରହଣ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ପ୍ରାଥମିକତା ଆଧାରରେ ଆବଶ୍ୟକୀୟ ବୈଷୟିକ ଯନ୍ତ୍ରପାତି ଓ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ଗୁରୁତ୍ବ ଦେବେ । ମିଲକୁ ଧାନ ପହଞ୍ଚିବା ପୂର୍ବରୁ ଏହାର ମାନକୁ ନିଶ୍ଚିତ କରିବା ପାଇଁ ମଣ୍ଡିରେ ଧାନର ମାନ ଯାଞ୍ଚ କରାଯିବ ଏବଂ ଯାଞ୍ଚ ସମୟରେ ମିଲର ଉପସ୍ଥିତ ରହିବେ । ଯାଞ୍ଚ ରିପୋର୍ଟର ଏକକିତା ନକଲ ସମ୍ପୃକ୍ତ ଚାଷୀଙ୍କୁ ପ୍ରଦାନ କରାଯିବ ।ଜିଲ୍ଲା ଅଧିକାରୀ ମାନେ ଜିଲ୍ଲା ଗସ୍ତ ସମୟରେ ଧାନ ମଣ୍ଡିକୁ ପରିଦର୍ଶନ କରି ଧାନ ସଂଗ୍ରହ ବ୍ୟବସ୍ଥାର ତଦାରଖ କରିବେ । ମୟୂରଭଞ୍ଜ ଜିଲ୍ଲାରେ ଥିବା ୧୦୩ଟି ମଣ୍ଡି ଓ ୫୨ଟି LAMPS ରେ ସିସିଟିଭି ଲାଗିଛି ଏବଂ ସବୁଠାରେ ନୋଡାଲ ଅଫିସର କାର୍ଯ୍ୟରତ ଅଛନ୍ତି; ଏହା ସମସ୍ତ ସୁବିଧା ଏବଂ ବିନା କୌଣସି ଦ୍ଵିଧାରେ ସେବା ପ୍ରଦାନ କରିବ ।ଏହି କାର୍ଯ୍ୟକ୍ରମରେ ପ୍ରଭାଗୀୟ ଯୋଗାଣ ଅଧିକାରୀ ଲକ୍ଷ୍ମୀଧର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲାପାଳ ଶ୍ରୀ ସୟ ଧନ୍ୟବାଦ ଅର୍ପଣ କରିଥିଲେ। ଏଥି ସହିତ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ କୃଷ୍ଣ ସେଠୀ ଓ ମୁଖ୍ୟ କୃଷି ଅଧିକାରୀ ଶ୍ରୀ ସିଦ୍ଧାର୍ଥ ବେହୁରିଆ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Comments are closed, but trackbacks and pingbacks are open.