ଇତିହାସ ଓ ସଂସ୍କୃତିର ସମ୍ମିଳନ—ଜଗତସିଂହପୁର ଐତିହ୍ୟ ପଦଯାତ୍ରା

Get real time updates directly on you device, subscribe now.

{ ତିର୍ତ୍ତୋଲରୁ ପ୍ରସନ୍ନଜିତ ଦାସଙ୍କ ସହ ସୋନାଲି ପଣ୍ଡାଙ୍କ ରିପୋର୍ଟ } : ଅନେକ ଉତ୍ସାହ ଓ ଉଦ୍ଦୀପନାର ସହିତ “ଜଗତସିଂହପୁର ଐତିହ୍ୟ ପଦଯାତ୍ରା”ର ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ, ଆଦିକବି ଶାରଳା ଦାସ ସଂସ୍କୃତି ଭବନ, ଜଗତସିଂହପୁର ଠାରେ ପାଳିତ ହୋଇଯାଇଅଛି। ବିଗତ ବାର ମାସରେ ବାରଗୋଟି ଐତିହ୍ୟ ପଦଯାତ୍ରା ସଫଳତାର ସହିତ ସମ୍ପନ୍ନ ହେବାପରେ, ଐତିହ୍ୟପ୍ରେମୀ ଉଦ୍ୟମୀ ଯୁବମାନଙ୍କ ଦ୍ୱାରା ଜଗତସିଂହପୁର ଐତିହ୍ୟ ପଦଯାତ୍ରାର ବାର୍ଷିକ ଉତ୍ସବ ଆୟୋଜନ କରାଯାଇଥିଲେ।ଉତ୍ସବ ଆରମ୍ଭରେ ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ମେମୋରିଆଲ ମହାବିଦ୍ୟାଳୟର ଛାତ୍ର ସେକ୍ ସାହିଲ ମହମ୍ମଦଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ମଙ୍ଗଳାଚରଣ ରୂପେ ଜଗନ୍ନାଥାଷ୍ଟକ ପରିବେଷଣ ହୋଇଥିଲା। ମୁସଲମାନ ପରିବାରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କ ନୃତ୍ୟାଭିନୟରେ ତାଲ୍ଲୀନ ଭାବ ଓ ବିଭୁ ପ୍ରେମ ସ୍ପଷ୍ଟ ରୂପେ ଝଲସି ଉଠିଥିଲା। ମଙ୍ଗଳା ଚରଣ ପରେ ପରେ ଜଗତସିଂହପୁରର ପ୍ରସିଦ୍ଧ ମାଆ ଶାରଳାଙ୍କ ଘଣ୍ଟ ପାଟୁଆ ନୃତ୍ୟ, ସଭାଗୃହରେ ଉପସ୍ଥିତ ଦର୍ଶକମାନଙ୍କୁ ବିମୋହିତ କରିବା ସହିତ ବିମୁଗ୍ଧ କରିଥିଲା।ଏହାପରେ ଶିକ୍ଷାବିତ ଡକ୍ଟର ବସନ୍ତ ମଞ୍ଜରୀ ଦାସଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଡକ୍ଟର ଦୀପକ୍ ସାମନ୍ତରାୟ, ଅମ୍ବିକା ପଟ୍ଟନାୟକ, ରଞ୍ଜନ କୁମାର ପଣ୍ଡା, ଭଗବାନ ଦାଶ ଆଦି ବରେଣ୍ୟ ବ୍ୟକ୍ତିବିଶେଷ ସଭାମଣ୍ଡନ କରି ନିଜର ବକ୍ତବ୍ୟ ଥିଲେ । ଜଗତସିଂହପୁର ଐତିହ୍ୟ ପଦଯାତ୍ରାର ବାର୍ଷିକ ଉତ୍ସବ ଉପଲକ୍ଷେ ଆୟୋଜିତ ହୋଇଥିବା ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ମାଟି ପ୍ରତି ସମର୍ପିତ ଅସାଧାରଣ ପ୍ରତିଭାଧାରୀ ସାଧାରଣବ୍ୟକ୍ତିମାନଙ୍କୁ ଉପଢୌକନ ମାନପତ୍ର ଓ ଜଗତସିଂହପୁର ଜିଲ୍ଲାର କଳା ଓ ସଂସ୍କୃତିକୁ ପ୍ରତିଫଳନ କରୁଥିବା ଚିତ୍ରିତ କଳସୀରେ ଔଷଧୀୟ ବୃକ୍ଷ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କ ମଧ୍ୟରେ ଥିଲେ ଶ୍ରୀମତୀ ସାଗରବାଳା ପଟ୍ଟନାୟକ ଯିଏକି ବାସନ୍ତୀ ଅପା ନାମରେ ସ୍ଥାନୀୟ ଅଞ୍ଚଳରେ ପରିଚିତ, ଜଗତସିଂହପୁର ମାଟିର ଜଣେ ଝିଅ ଯିଏ କି ୬୦ ଦଶକରେ କଟକରେ ଥିବା ପ୍ରତିଷ୍ଠିତ ଅନ୍ନପୂର୍ଣା ଥିଏଟର ବା ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଶତାଧିକ ନାଟକରେ ଅଭିନୟ କରିଛନ୍ତି। ଏଥି ସହିତ ଶେଷ ଶ୍ରାବଣ,…. ଆଦି କେତୋଟି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟକରି ଲୋକଙ୍କ ମନ ଜିଣିଛନ୍ତି। ଆଉ ଆଜି, ପରିଣତ ବୟସରେ ବି ଜୀବନର ରଙ୍ଗମଞ୍ଚରେ ଅଭିନୟ କରୁଛନ୍ତି। ଜୀବନ ଜଞ୍ଜାଳରେ ହାରି ନାହାନ୍ତି ସେ। ଏକ ଚାହା ଦୋକାନଟିଏ ଦେଇ ନିଜର ଦୁର୍ଘଟଣା ଗ୍ରସ୍ତ ପୁଅର ସେବା କରିବା ସହିତ ନିଜର ପରିବାର ପୋଶୁଛନ୍ତି। ଜଗତସିଂହପୁର ଝଙ୍କଡ଼ ପ୍ରସିଦ୍ଧ ମାଆ ଶାରଳାଙ୍କ ଘଣ୍ଟ ପାଟୁଆ ନୃତ୍ୟକୁ ଓଡ଼ିଶା ତଥା ଓଡ଼ିଶା ବାହାରେ ଏପରିକି ଦେଶ ବିଦେଶରେ ପ୍ରସିଦ୍ଧି ଆଣିଦେଇଥିବା ମିହିର ନନା ଏବଂ ତାଙ୍କ ସହକାରୀ ବୃନ୍ଦଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଠିକ ସେହିପରି ଜଗତସିଂହପୁର ମାଟିର ଆଉ ଜଣେ ପ୍ରତିଭାଧର ହେଲେ ଶାମ୍ ଚାଚା। ଜାତିରେ ଯବନ, ପୁଣି ଦୃଷ୍ଟି ବାଧିତ ହେଲେ ତାଙ୍କ କଣ୍ଠରେ ଜଗନ୍ନାଥଙ୍କ ଅମୃତ ଧାରା। ଏକ ଶରୀରରେ ଉଭୟ ସାଲବେଗ ଓ ସୁର୍ ଦାସଙ୍କୁ, ଶାମ୍ ଚାଚାଙ୍କ ରୂପରେ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା। ଵଳ୍କଳ ଯୁଗ ପରେ, ପୀଢ଼ି ପରେ ପୀଢ଼ି ଯେଉଁମାନେ ଲୁଗାବୁଣି ସମାଜକୁ ବସ୍ତ୍ର ପିନ୍ଧାଇଛନ୍ତି, ସେଇ ବୁଣାକାର ଭାଈ ଭଉଣୀ ଜଗତସିଂହପୁର ସହର ଅନ୍ତର୍ଗତ ବଡ଼ବାଗ ଗ୍ରାମର ହସ୍ତ ତନ୍ତ ସମିତିକୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକରେ ଥିବା କଳା ସଂସ୍କୃତି ସଂଘର ସଭାପତି, ଶିଶିର କୁମାର ପଣ୍ଡା, ଯିଏ କି ଆଜକୁ ୫୦ ବର୍ଷ ହେବ ପାଲା ପରିବେଷଣ କରି ଉତ୍କଳୀୟ ପ୍ରାଚୀନ କଳାକୁ ବଞ୍ଚାଇ ରଖିଛନ୍ତି ଏବଂ ହେମନ୍ତ କୁମାର ରାଉତ ଯିଏକି ପ୍ରାଚୀନ ଲୋକନୃତ୍ୟ ଘୋଡ଼ାନାଚକୁ ବଞ୍ଚାଇ ରଖିଛନ୍ତି ତାଙ୍କୁ ମଧ୍ୟ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା।ସେହିପରି ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ଓ ସଂରକ୍ଷଣ ପ୍ରତି ଯତ୍ନବାନ ଥିବା ସାମାଜିକ ଅନୁଷ୍ଠାନ ଓ ବ୍ୟକ୍ତିମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଶେଷରେ ଆଧୁନିକ ଯୁଗର ସାଲବେଗ ସାମ୍ ଚାଚାଙ୍କ ଜଗନ୍ନାଥ ଭଜନ ଶ୍ରୋତାଙ୍କୁ ମୁଗ୍ଧ କରିଦେଇଥିଲା। ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ବଡ଼ବାଗର ହସ୍ତତନ୍ତ ଲୁଗା ଓ ପୁସ୍ତକ ପ୍ରଦର୍ଶନୀ। ଏହି ଅବସରରେ “କଟକ ଐତିହ୍ୟ ପଦଯାତ୍ରା”, “ଢେଙ୍କାନାଳ ଐତିହ୍ୟ ପଦଯାତ୍ରା”, ଏବଂ “ପୁରୀ ଐତିହ୍ୟ ପଦଯାତ୍ରା” ର କର୍ମକର୍ତ୍ତାମାନଙ୍କୁ ସମ୍ମାନିତ କରାଯାଇଥିଲା। ମଧ୍ୟାହ୍ଣ ଭୋଜନ ପରେ ଜଗତସିଂହପୁର ଐତିହ୍ୟ ପଦଯାତ୍ରାର ପ୍ରଥମ ବାର୍ଷିକ ଉତ୍ସବ ସମାପନ ହୋଇଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons