{ ଭଞ୍ଜନଗରରୁ ଗୋବିନ୍ଦ ଚନ୍ଦ୍ର ଗୌଡଙ୍କ ରିପୋର୍ଟ } : ରାଧାକୃଷ୍ଣ ପାଠାଗାର, ବିନାୟକ ୟୁଥ କ୍ଲବ ଓ ନଦିଆ ସଂଘ, ବାଉଁଶଲୁଣ୍ଡି ଆନୁକୂଲ୍ୟରେ ସମାଜସେବୀ, ମନ୍ଦିର ପରିଚାଳନା କମିଟି, ପାଠାଗାରର ସଭ୍ୟ ତଥା ବିନାୟକ ୟୁଥ କ୍ଲବ ଓ ନଦିଆ ସଂଘର ଉପଦେଷ୍ଟା ସ୍ୱର୍ଗତ ଶଙ୍କର୍ଷଣ ପ୍ରଧାନ, ବାଉଁଶଲୁଣ୍ଡିଙ୍କ ବିୟୋଗରେ ସ୍ମୃତି ଚାରଣ ସଭା ବଡ଼ଦାଣ୍ଡରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନିରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରୟାତ ବ୍ୟକ୍ତିତ୍ୱ ଶଙ୍କର୍ଷଣ ପ୍ରଧାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା । ଅନିଲ କୁମାର ନାଏବଙ୍କ ଦ୍ୱାରା ଗାୟତ୍ରୀ ମନ୍ତ୍ର ପାଠ କରାଯିବା ସହ ଏକ ମିନିଟ ନୀରବତା ଅବଲମ୍ବନ ପୂର୍ବକ ଦିବଂଗତ ବ୍ୟକ୍ତିତ୍ୱଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।ଶିକ୍ଷୟିତ୍ରୀ ସଂଗୀତା ପଣ୍ଡା ଓ ସଂଗୀତ ଗୁରୁ ଅଶୋକ କୁମାର ମହାପାତ୍ରଙ୍କ ଦ୍ୱାରା ସ୍ମୃତି ସଂଗୀତ ପରିବେଷଣ କରାଯାଇଥିଲା ।କବି ପ୍ରଶାନ୍ତ ମହାନ୍ତି, ଆନନ୍ଦ ସଂଗୀତାନୁଷ୍ଠାନର ଗୁରୁ ଅଶୋକ କୁମାର ମହାପାତ୍ର, କୂର୍ମିକୁଳ ପ୍ରଦେଶ କମିଟି ସମ୍ପାଦକ ବିଶ୍ୱନାଥ ରାଉତ, ପ୍ରାକ୍ତନ ଅଧ୍ୟକ୍ଷ ଡଃ. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଭଞ୍ଜନଗର ବାର ଆସୋସିଏସନ ସଭାପତି ଲକ୍ଷ୍ମୀକାନ୍ତ ମହାପାତ୍ର,ଭଞ୍ଜନଗର ପଞ୍ଚାୟତ ସମିତି ପୂର୍ବତନ ଚେୟାରମ୍ୟାନ୍ ଭବାନୀ ଶଙ୍କର ପ୍ରଧାନ, ବାଉଁଶଲୁଣ୍ଡି ଗ୍ରାମ ପଞ୍ଚାୟତ ସରପଞ୍ଚ ଉଦ୍ଧବ ଚରଣ ମିଶ୍ର, କୂର୍ମିକ୍ଷତ୍ରିୟ ସମ୍ପାଦକ ବୈଦ୍ୟନାଥ ପ୍ରଧାନ, ବରିଷ୍ଠ ଆଇନଜୀବୀ ବୈଦ୍ୟନାଥ ସାହୁ ମଞ୍ଚାସୀନ ହୋଇ ସ୍ଵର୍ଗତ ବ୍ୟକ୍ତିତ୍ୱ ଶଙ୍କର୍ଷଣ ପ୍ରଧାନଙ୍କ ସ୍ମୃତି ଚାରଣ କରି କହିଥିଲେ ଯେ, ସେ ବାଲ୍ୟାବସ୍ଥାରୁ ମାତା ଓ ପିତାଙ୍କୁ ହରାଇ ବଡ଼ଭାଇ ଓ ଭାଉଜଙ୍କ ତତ୍ତ୍ଵାବଧାନରେ ରହିଥିଲେ । ଖଣ୍ଡଦେଉଳି(ଗଞ୍ଜାମ) ଉଚ୍ଚ ବିଦ୍ୟାଳୟରୁ ହାଇସ୍କୁଲ ଶିକ୍ଷା ସମାପ୍ତ ପରେ ଭଞ୍ଜନଗର କବି ସମ୍ରାଟ ମହାବିଦ୍ୟାଳୟରେ ଆଇ.ଏସସି ଶିକ୍ଷା ଲାଭ କରି ଇଲେକ୍ଟ୍ରିକାଲ ଆଇ.ଟି.ଆଇ ତାଲିମ ପ୍ରାପ୍ତ ହୋଇ ଜଳସେଚନ ବିଭାଗ, ଭଞ୍ଜନଗରରେ ଯୋଗ ଦିଅନ୍ତି । ଏହାପରେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରି ସମାଜର ମୁଖ୍ୟ ସ୍ରୋତରେ ଜଡ଼ିତ ହୋଇ ସମାଜର ବିଭିନ୍ନ ପ୍ରଗତି ମୂଳକ କାର୍ଯ୍ୟ ସମ୍ପାଦନ କରିଛନ୍ତି ।ବାମପନ୍ଥୀ ଚିନ୍ତାଧାରାରେ ଉଦ୍ବୁଦ୍ଧ ହୋଇ ଲୋକଙ୍କର ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ବିଭିନ୍ନ ଆନ୍ଦୋଳନରେ ସେ ନିଜକୁ ସାମିଲ କରିଥିଲେ ।ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଅଧୁରା କାର୍ଯ୍ୟକୁ ସମାପ୍ତ କରିବା ପାଇଁ ଆଜିର ସ୍ମୃତି ଚାରଣ ସଭାରେ ଭଂଜନଗର ଓକିଲ ସଂଘର ପୂର୍ବତନ ସଭାପତି ଅଭିମନ୍ୟୁ ଗୈଡ, ବିନାୟକ ୟୁଥ୍ କ୍ଳବ୍ ସଭାପତି ବିକାଶ ପ୍ରଧାନ,ଶିକ୍ଷକ ସନ୍ତୋଷ କୁମାର ବେହେରା, ଉମାଚରଣ ମିଶ୍ର, ସାମ୍ବାଦିକ ଦିଲ୍ଲୀପ କୁମାର ପଗଡ, ବେଲଗୁଣ୍ଠା ବ୍ଲକ କୃଷକ ସଭା ସମ୍ପାଦକ ଦୀନବନ୍ଧୁ ଜେନା, ଘୁମୁସର ସମ୍ବାଦର ସଂପାଦକ ନେତାଜୀ ବିଷୋୟୀ ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟ କର୍ମଚାରୀ ଅନିଲ କୁମାର ନାୟକ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ଜଳନ୍ଧର ନାୟକ(ଜନ) ସକ୍ରିୟ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଶତାଧିକ ଲୋକ ଯୋଗ ଦେଇଥିଲେ।ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମ ଚରଣ ପ୍ରଧାନ କାର୍ଯ୍ୟକ୍ରମକୁ ସଫଳତାର ସହିତ ସଂଯୋଜନା କରିଥିଲେ ।


Comments are closed, but trackbacks and pingbacks are open.