{ ବଲାଙ୍ଗୀରରୁ ଅଞ୍ଜୁୁ ପୃଷ୍ଟିଙ୍କ ରିପୋର୍ଟ } : ବଲାଙ୍ଗିର ଠାରେ ଦିନିକିଆ ଗସ୍ତରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆସିଛନ୍ତି । ଜିଲ୍ଲା ବନଖଣ୍ଡ କାର୍ଯ୍ୟାଳୟର ବୈଠକ ଗୃହ ଠାରେ ଆୟୋଜିତ ହୋଇଥିବା ରାଜସ୍ୱ ଓ ଭୂଅର୍ଜନ ସମ୍ବନ୍ଧୀୟ ସମୀକ୍ଷା ବୈଠକ ଯୋଗଦାନ କରିଥିଲେ । ଏହି ସମୀକ୍ଷା ବୈଠକରେ କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ, ଟିଟିଲାଗଡ ବିଧାୟକ, ନବୀନ କୁମାର ଜୈନ, ଜିଲ୍ଲାପରିଷଦ ଅଧ୍ୟକ୍ଷା, ଶ୍ରୀମତୀ ଦେବକୀ ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ପବିତ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡାଃ. ବିଜୟାନନ୍ଦ ସେଠି, ନିର୍ବାହୀ ଅଧିକାରୀ-ତଥା-ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲାପରିଷଦ ଶ୍ରୀ ତରଣୀ ସୁନା ପ୍ରମୁଖ ଉପସ୍ଥିତ ଥିଲେ । ମାନ୍ୟବର ମନ୍ତ୍ରୀ ସମୀକ୍ଷା ବୈଠକରେ ବଲାଙ୍ଗିର ଜିଲ୍ଲାର ସମସ୍ତ ତହସିଲରେ କାର୍ଯ୍ୟକାରିତା ହେଉଥିବା ଯୋଜନାର ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ବସୁନ୍ଧରା ଯୋଜନା ଅନ୍ତର୍ଗତ ଭୂମିହୀନ ପରିବାରକୁ ଜମିପଟ୍ଟା ପ୍ରଦାନ, ପୂର୍ବରୁ ପଟା ପ୍ରଦାନ କରାଯାଇଥିବା ଘରବାଡି ଜମିର ଚିହ୍ନଟ, ଶିକ୍ଷାନୁଷ୍ଠାନ ଗୁଡିକର ଆବଶ୍ୟକତା ମୁତାବକ ଜମିର ନିୟମିତକରଣ, ଜଙ୍ଗଲ ଜମି ଅଧିକାର ଆଇନରେ ପ୍ରଦାନ କରାଯାଇଥିବା ପଟ୍ଟା ବଣ୍ଟନ, କିସମ୍, ଦେବା ବନ୍ଦୋବସ୍ତ ଓ ଜଙ୍ଗଲ ଜମି ଅଧିକାର ଅଧିନିୟମ ଅନ୍ତର୍ଗତ ବିଭିନ୍ନ ସମସ୍ୟାର ସମାଧାନ ଦୁଇ ମାସ ମଧ୍ୟରେ ଫଇସଲା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଗୋଚର ଜମିରେ ରହୁଥିବା ଲୋକଙ୍କୁ ଥଇଥାନ କରାଇବା ଉପରେ ମାନ୍ୟବର ମନ୍ତ୍ରୀ ଗୁରୁତ୍ୱ ଦେଇ, ବୃଦ୍ଧ, ଅସହାୟ ଓ ବିଭିନ୍ନ ସମସ୍ୟା ନେଇ ଆସୁଥିବା ଲୋକଙ୍କ ପଡ଼ିରହିଥିବା ଜମିଜମା ସମ୍ବନ୍ଧୀୟ, ରାଜସ୍ୱ, ଅଦାଲତ ମାମଲାଗୁଡିକର ତ୍ୱରନ୍ତ ଫଇସଲା କରିବା, ବିଭିନ୍ନ ସରକାରୀ ଅନୁଷ୍ଠାନ, ପ୍ରତିଷ୍ଠାନ, ବିଭାଗ ଇତ୍ୟାଦିର ଅବ୍ୟବହୃତ ଜମିକୁ ସରକାରୀ ଖାତାକୁ ଫେରସ୍ତ ଆଣି, ବିଭିନ୍ନ ଉନ୍ନୟନ ଯୋଜନା ନିମନ୍ତେ ପ୍ରଦାନ କରିବା, ବିଭିନ୍ନ ପଡା ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା, ଅଙ୍ଗନୱାଡି କେନ୍ଦ୍ରର ଭିତ୍ତିଭୂମି ଆଦି ବିଷୟରେ ସମୀକ୍ଷା ବୈଠକରେ ବିସ୍ତୃତ ଆଲୋଚନା କରାଯାଇ ସମସ୍ୟା ଗୁଡିକ ଉପରେ ଯଥା ସମୟରେ ସଠିକ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତହସିଲଦାର ମାନଙ୍କୁ ମାନ୍ୟବର ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ସରକାରୀ ଜମିର ସୁରକ୍ଷା ଓ ଏହାର ଜବରଦଖଲ କୁ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବା ନିମନ୍ତେ ମାନ୍ୟବର ମନ୍ତ୍ରୀ ତହସିଲଦାର ଏବଂ ଉପଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ଯୋଗଦାନ କରିଥିଲେ ।
Comments are closed, but trackbacks and pingbacks are open.