{ ତିର୍ତ୍ତୋଲରୁ ପ୍ରସନ୍ନଜିତ ଦାସଙ୍କ ସହ ସୋନାଲି ପଣ୍ଡାଙ୍କ ରିପୋର୍ଟ } : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳରେ ଦିନକୁ ଦିନ ବେଆଇନ ଦେଶୀ ଓ ବିଦେଶୀ ମଦ ସହ ଗଞ୍ଜେଇ କାରବାର ବଢ଼ୁଥିବା ନେଇ ସାଧାରଣ ଲୋକଙ୍କ ମଧ୍ଯରେ ଚିନ୍ତା ବଢ଼ିଛି। ପ୍ରଶାସନର କଡ଼ା ନଜର ସତ୍ତ୍ୱେ କିଛି କିଛି ଅସାଧୁ ବ୍ୟକ୍ତି ଦିନଦିପ୍ରହରରେ ଏପରି ବେଆଇନ କାରବାର ଚାଳ ଚାଲାଇଥିବା ଅଭିଯୋଗ ଉଠୁଛି। ବିଗତ ଦିନରେ ତିର୍ତ୍ତୋଲ ଥାନା ଅଧୀନ ବାଲିପାଟଣା ଗାଁର ପ୍ରହଲ୍ଲାଦ ସାହୁଙ୍କ ଘରେ ଚଢ଼ାଉ କରି ପୋଲିସ ପକ୍ଷରୁ ପ୍ରାୟ ୬.୨୦ ଲିଟର ବିଦେଶୀ ମଦ ଜବତ କରାଯାଇଥିଲା । ବେଆଇନ ଭାବରେ ଦେଶ ଓ ବିଦେଶୀ ମଦ ସଂରକ୍ଷଣ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିଲା । ଏହା ପରେ ଗତ କାଲି ରାହାମା ବଜାରରେ ଥିବା ଏକ ସରକାରୀ ସ୍ଵୀକୃତିପ୍ରାପ୍ତ ଭାଙ୍ଗ ଦୋକାନରେ ଅଚାନକ ଚଢ଼ାଉ କରାଯାଇଥିଲା । ଅତିରିକ୍ତ ତହସିଲଦାର, ଅବକାରୀ ବିଭାଗ ଓ ତିର୍ତ୍ତୋଲ ପୋଲିସର ମିଳିତ ଦଳ ଏହି ଚଢ଼ାଉକରିଥିଲେ। ତଦନ୍ତ ସମୟରେ ଭାଙ୍ଗ ବଦଳରେ ଗ ଗଞ୍ଜେଇ ଗଛିତ ରଖ୍ ବେଆଇନ ଭାବରେ ବ୍ୟବସାୟ କରାଯାଉଥୁବା ଅଭିଯୋଗ ମିଳିଥିଲା । ପୋଲିସ ଏହି ଘଟଣାରେ ଦୋକାନର ମାଲିକ ଓ ଜଣେ ଗ୍ରାହକଙ୍କୁ ଅଟକ ରଖ୍ ମାମଲା ରୁଜୁ କରିଥୁବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଦୀର୍ଘଦିନ ଧରି କିଛି ଅସାଧୁ ବ୍ୟକ୍ତି ପୋଲିସ ପ୍ରଶାସନକୁ ଖାତିର ନକରି ଏପରି ବେଆଇନ ବ୍ୟବସାୟ କରିଆସୁଛନ୍ତି। ଏହି ଘଟଣା ପରେ ଅଞ୍ଚଳରେ ଅବୈଧ ଦେଶୀ ମଦ ଏବଂ ଗଂଜେଇ କାରବାର ଉପରେ କଡା ପଦକ୍ଷେପ ନବାକୁ ସାଧାରଣ ଲୋକ ଦାବି କରିଛନ୍ତି।


Comments are closed, but trackbacks and pingbacks are open.