ଅଢେ଼ଇ କୋଟିର ବ୍ରାଉନସୁଗର ଜବତ

Get real time updates directly on you device, subscribe now.

ଜଳେଶ୍ୱର,(ବି.ବି.ନୁ୍ୟଜ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅବକାରୀ ବିଭାଗ ଓ ପୁଲିସକୁ ମିଳିଛି ବଡ଼ ସଫଳତା । ଏକକାଳୀନ ୨.୫ କୋଟି ଟଙ୍କାର ବ୍ରାଉନସୁଗର ଜବତ ହୋଇଛି । କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ୱର ପୁଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଜଳେଶ୍ୱର ଷ୍ଟେସନ ବଜାର ସ୍ଥିତ ଡାଇମଣ୍ଡ ହୋଟେଲ ମାଲିକଙ୍କ ଘରେ ମଙ୍ଗଳବାର ଭୋର ସମୟରେ ଚଢ଼ଉ କରିଥିଲେ । ଚଢ଼ଉରେ ୨ କିଲୋ ୬୭୬ଗ୍ରାମ ବ୍ରାଉନସୁଗର ଜବତ କରାଯିବା ସହିତ ହୋଟେଲ ମାଲିକଙ୍କ ସ୍ତ୍ରୀ, ତାଙ୍କ ଝିଅ ସହିତ ଜ୍ୱାଇଁଙ୍କୁ ଗିରଫ କରାଯାଇଛି । ଏଥିସହିତ ସେଠାରେ ଚାକରାଣୀ ଭାବେ କାର୍ଯ୍ୟ କରୁଥିବା ୨ ଜଣ ମହିଳାଙ୍କୁ ମଧ୍ୟ ଥାନାରେ ଅଟକ ରଖି ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ଜଣାଯାଇଛି । ଜବତ ବ୍ରାଉନ୍ସୁଗରର ଆନୁମାନିକ ମୂଲ୍ୟ ୨.୫ କୋଟି ଟଙ୍କାରୁ ଊର୍ଦ୍ଧ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ପ୍ରାଥମିକ ତଦନ୍ତ ଅନୁଯାୟୀ ଏହି ବ୍ରାଉନସୁଗର ସୁଦୂର ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲା ଲାଲଗୋଲା ଅଞ୍ଚଳରୁ ଆସିଥିବା ବେଳେ ରାଜଧାନୀ ଭୁବନେଶ୍ୱରକୁ ଚାଲାଣ ହୋଇଥା’ନ୍ତା ବୋଲି ଜଣାପଡ଼ିଛି । ଜଳେଶ୍ୱର ଅଞ୍ଚଳରେ ଏତେ ପରିମାଣରେ ବ୍ରାଉନସୁଗର ଥିବା ଜଣାପଡ଼ିବା ପରେ ଅବକାରୀ ବିଭାଗ ଓ ପୁଲିସ ମିଳିତ ଭାବେ ୩୫ଜଣିଆ ଟିମ୍ ଗଠନ କରି ଏହି ଚଢ଼ଉ କରିଥିଲେ । ଅବକାରୀ ବିଭାଗ ଦ୍ୱାରା ସଂପୃକ୍ତ ହୋଟେଲ ମାଲିକଙ୍କ ଜ୍ୱାଇଁ ମୁକ୍ତାର ଅଲ୍ଲୀ ଖାଁ ନିକଟରୁ ୧.୫୦୦ କେଜି ବ୍ରାଉନସୁଗର ଜବତ କରାଯାଇଥିବା ବେଳେ ଅବକାରୀ ଥାନା କେସ୍ ନଂ ୧୦୦/୨୧,୨୨ ମୂଳେ ମାମଲା ରୁଜୁ ହୋଇଛି ।
ସେହିପରି ପୁଲିସ ଦ୍ୱାରା ରାଜପୁର ଗ୍ରାମର ଇସାଉଦ୍ଧିନଙ୍କ ସ୍ତ୍ରୀ ରୁକସାନା ବିବି (୪୩) ଏବଂ ସେହି ଗ୍ରାମର ସାମାଇ ମୁର୍ମୁଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନା ମୁର୍ମୁ (୩୫) ଠାରୁ ୧ କେଜି ୧୭୬ ଗ୍ରାମ ବ୍ରାଉନସୁଗର ଜବତ କରାଯିବା ସହିତ ଜଳେଶ୍ୱର ଥାନାରେ କେସ୍ ନଂ ୩୪୧/୨୧ ମୂଳେ ମାମଲା ରୁଜୁ ହୋଇଛି । ବାଲେଶ୍ୱର ଏସପି ସୁଧାଂଶୁ ଶେଖର ମିଶ୍ର ଜଳେଶ୍ୱର ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏ ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି । ଏସ୍ପିଙ୍କ କହିବାନୁଯାୟୀ, ୨୦୨୧ ଜାନୁୟାରୀ ସୁଦ୍ଧା ବାଲେଶ୍ୱର ଜିଲ୍ଲାରେ ୪୮ଟି ଏନ୍ଡିପିଏସ୍ ମାମଲା ରୁଜୁ କରାଯାଇଥିବା ବେଳେ ୭ କେଜି ୦୩୪ଗ୍ରାମ ବ୍ରାଉନ୍ସୁଗର ଜବତ କରାଯାଇଛି । ୮୭ ଜଣଙ୍କୁ ଏ ବାବଦରେ ଗିରଫ କରାଯାଇଥିବା ବେଳେ ୧୫ଟି ଗାଡ଼ି ଓ ୩ ଲକ୍ଷ ୪୫ ହଜାର ୮୯୦ ଟଙ୍କା ଜବତ କରାଯାଇଛି । ଜଳେଶ୍ୱର ଥାନା ପକ୍ଷରୁ ୨୧ଟି ସାମଲା ରୁଜୁ ହୋଇଥିବା ବେଳେ ୫. ୦୨୬ କିଗ୍ରା ବ୍ରାଉନସୁଗର, ୩୮ଜଣଙ୍କୁ ଗିରଫ, ୮ଟି ଗାଡ଼ି ଜବତ ଏବଂ ୮୬ ହଜାର ୧୫୪ଟଙ୍କା ଜବତ କରାଯାଇଛି ବୋଲି ଏସ୍ପି ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ଜଳେଶ୍ୱରରୁ ବ୍ରାଉନସୁଗର କାରବାରକୁ ସମୂଳେ ବନ୍ଦ କରାଯିବ ବୋଲି ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଜଳେଶ୍ୱର ଏସ୍ଡିପିଓ ଅଙ୍କିତା କୁମ୍ଭାର ଓ ଜଳେଶ୍ୱର ଆଇଆଇସି ପ୍ରଜ୍ଞା ମହାନ୍ତି ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons